ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକହଜାର ଛୁଇଁବାକୁ ବସିଥିବାବେଳେ ୧ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ନମୁନା ପରୀକ୍ଷା ହୋଇଛି । ଗତକାଲି ମଧ୍ୟରାତ୍ରି ସୁଦ୍ଧା ରାଜ୍ୟରେ ୧ଲକ୍ଷ ୩୦୨ଟି କୋଭିଡ-୧୯ ନମୂନା ପରୀକ୍ଷା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି। ସ୍ୱଳ୍ପ ସମୟ ମଧ୍ୟରେ ଓଡ଼ିଶା ଏହି ସଫଳତା ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ଆଧୁନିକ ପରୀକ୍ଷାଗାର ଓ ଉନ୍ନତମାନର ମେସିନ ବ୍ୟବହାର କରି ଓଡ଼ିଶାରେ ଏପର୍ଯ୍ୟନ୍ତ ୧ଲକ୍ଷ ୩୦୨ଟି କୋଭିଡ୍ ପରୀକ୍ଷା କରାଯାଇଛି। ରାଜ୍ୟରେ ମାର୍ଚ୍ଚ ୧୫ ତାରିଖରେ ପ୍ରଥମଥର ପାଇଁ କୋଭିଡ୍-୧୯ ନମୁନା ପରୀକ୍ଷା ହୋଇଥିଲା। ସେତେବେଳେ ଦୈନିକ ୫-୬ଟି ନମୂନା ପରୀକ୍ଷା ହେଉଥିବାବେଳେ ଏବେ ଏହି ସଂଖ୍ୟା ପ୍ରାୟ ୫ ହଜାରରେ ପହଂଚିଲାଣି।
ରାଜ୍ୟରେ ଆଜି ସୁଦ୍ଧା ମୋଟ ୯୭୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩୦୭ ଜଣ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି। ୫ ଜଣ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ୬୬୬ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ସେହିପରି ଅନ୍ୟ ୮୬୬ଜଣ ସନ୍ଦିଗ୍ଧ ହସ୍ପିଟାଲ ଆଇସୋଲେସନରେ ଅଛନ୍ତି।
କୋଭିଡ-୧୯ ନିୟମ ଓ ମାର୍ଗଦର୍ଶିକା ଉଲ୍ଲଘଂନ କରିଥିବା ଅଭିଯୋଗରେ ମେ’ ୧୮ତାରିଖରୁ ମେ’ ୧୯ତାରିଖ ସକାଳ ପର୍ଯ୍ୟନ୍ତ ୨୪ଘଣ୍ଟା ମଧ୍ୟରେ ୧୦ଟି ମାମଲା ଦାଏର ହୋଇଛି। ଏଥିରୁ ୬ଟି ମାମଲା ଲକଡାଉନ୍ ସମ୍ପର୍କିତ ହୋଇଥିବାବେଳେ ୩ଟି ହୋମ୍ କ୍ୱାରେଣ୍ଟାଇନ ଉଲ୍ଲଘଂନ ଓ ଗୋଯିଏ ଗୁଜବ ପ୍ରଚାର ପାଇଁ ଉଦ୍ଦିଷ୍ଟ। ବିଭିନ୍ନ ଅଭିଯୋଗରେ ୩୪ଜଣଙ୍କୁ ଗିରଫ କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।