ବଣ୍ଡାଘାଟି, ନିୟମଗିରିରେ ପଶିଲା କରୋନା; ୩୨ ଆକ୍ରାନ୍ତ ପରେ ଚେଇଁ ଉଠିଲା ପ୍ରଶାସନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପ୍ରତିଦିନ ଶିକାର କରୁଛି। ଯାହାକୁ ରୋକିବା ପାଇଁ କେତେ କଣ ବ୍ୟବସ୍ଥା କରିଛନ୍ତି ସରକାର। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦେଶ ପାହାଡ଼ି ଇଲାକାରେ ପହଞ୍ଚିପାରୁନଥିଲା ପରି ମନେ ହେଉଛି। ଏଠି ଲୋକମାନେ ପୂର୍ବ ପରି ଚଳୁଛନ୍ତି ଓ ମିଳା ମିଶା କରୁଛନ୍ତି। ପାହାଡ଼ି ଇଲାକାର ଏହି ମଣିଷମାନେ ନା ଠିକ୍‌ ଭାବେ ମାସ୍କ ପିନ୍ଧୁଛନ୍ତି ନା […]

Bonda Tribal

Manoranjan Sial
  • Published: Sunday, 16 May 2021
  • , Updated: 16 May 2021, 09:15 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପ୍ରତିଦିନ ଶିକାର କରୁଛି। ଯାହାକୁ ରୋକିବା ପାଇଁ କେତେ କଣ ବ୍ୟବସ୍ଥା କରିଛନ୍ତି ସରକାର। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦେଶ ପାହାଡ଼ି ଇଲାକାରେ ପହଞ୍ଚିପାରୁନଥିଲା ପରି ମନେ ହେଉଛି। ଏଠି ଲୋକମାନେ ପୂର୍ବ ପରି ଚଳୁଛନ୍ତି ଓ ମିଳା ମିଶା କରୁଛନ୍ତି।

ପାହାଡ଼ି ଇଲାକାର ଏହି ମଣିଷମାନେ ନା ଠିକ୍‌ ଭାବେ ମାସ୍କ ପିନ୍ଧୁଛନ୍ତି ନା ସାମାଜିକ ଦୂରତା ମାନୁଛନ୍ତି। କାଁଭାଁ କେତେ ଜଣ ଲୋକଙ୍କୁ ଛାଡ଼ି ଦେଲେ ପ୍ରାୟତଃ ସମସ୍ତେ ବିନା ମାସ୍କରେ ବୁଲୁଥିବା ଦେଖିବାକୁ ମିଳିଛି। ଯାହାଫଳରେ ସେମାନେ କରୋନା ଆକ୍ରାନ୍ତ ହେଉଛନ୍ତି। ମାଲକାନଗିରି ଜିଲ୍ଲା ବଣ୍ଡାଘାଟି ମୁଦୁଲିପଡ଼ାରୁ ୧୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ରାୟଗଡ଼ା ଜିଲ୍ଲାର ନିୟମଗିରି ଅଞ୍ଚଳରୁ ୨୦ ଜଣ ଆକ୍ରାନ୍ତ ହୋଇଛନ୍ତି। ଯାହାକୁ ନେଇ ପ୍ରଶାସନ ଚିନ୍ତାରେ ପଡ଼ି ଯାଇଛି।

ମାଲକାନଗିରି ଜିଲ୍ଲାର ବଣ୍ଡାଘାଟି। ଏଠି କରୋନାର ପ୍ରଥମ ଲହର ଦେଖିବାକୁ ମିଳିନଥିଲା। ସେଠାରେ ଜଣେ ହେଲେ କେହି କରୋନାରେ ଆକ୍ରାନ୍ତ ହୋଇନଥିଲେ। ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ଅଧିକ ଥିବାରୁ କରୋନା ଛୁଇଁ ପାରିନଥିଲା ବୋଲି ଆଲୋଚନା ହେଉଥିଲା। ସେଥିପାଇଁ ବଣ୍ଡା ସମ୍ପ୍ରଦାୟର ଲୋକମାନେ ବିନ୍ଦାସ୍‌ ଜୀବନ ଅତିବାହିତ କରୁଥିଲେ। ବିନା ମାସ୍କରେ ନିଜ ଦୁନିଆ ତଥା ପାହାଡ଼ି ଇଲାକାରେ ଘୂରି ବୁଲୁଥିଲେ। ନାଚ ଗୀତରେ ମସ୍‌ଗୁଲ୍‌ ରହୁଥିଲେ। ଏହାରି ଭିତରେ କରୋନାର ଦ୍ୱିତୀୟ ଲହର ଆସି ସାରିଲାଣି।

କରୋନାର ଏହି ଦ୍ୱିତୀୟ ଲହର ଅତି ଭୟଙ୍କର ହୋଇ ଉଠିଛି। ଯାହାକୁ ନେଇ ରାଜ୍ୟ ସରକାର ଆହୁରି ତତ୍ପର ହୋଇଛନ୍ତି। ହେଲେ ବଣ୍ଡା ସମ୍ପ୍ରଦାୟର ଲୋକମାନେ ସଚେତିତ ହୋଇନାହାନ୍ତି। ସେମାନେ ପୂର୍ବ ପରି ବିନା ମାସ୍କରେ ବୁଲୁଛନ୍ତି। ଏହାର ଚିତ୍ର ବଣ୍ଡାଘାଟିର କିସନୀପଡା ଗାଁରେ ଦେଖିବାକୁ ମିଳିଛି। ଏଠି ଲୋକମାନେ ମାସ୍କ ପିନ୍ଧୁ ନଥିବା ବେଳେ ସାମାଜିକ ଦୂରତା କଣ ଜାରି ନାହାନ୍ତି। ଏହାଛଡ଼ା କରୋନା ମହାମାରୀ କଣ? କିଭଳି ଏହାଠାରୁ ଦୂରେଇ ରହିବେ? ତାହା ମଧ୍ୟ ସେମାନେ ଜାଣିନାହାନ୍ତି। ବଣ୍ଡାଘାଟିରେ ଥିବା ୩୨ଟି ଗ୍ରାମରେ ଏଭଳି ଚିତ୍ର।

ମାସ୍କ ପିନ୍ଧୁ ନଥିବାରୁ ଓ ସାମାଜିକ ଦୂରତା ବଜାୟ ରଖୁନଥିବାରୁ ବଣ୍ଡାଘାଟି ଅଞ୍ଚଳରେ ୧୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୧୨ ଜଣଙ୍କ ମଧ୍ୟରୁ ମୁଦୁଲିପଡା ପଞ୍ଚାୟତର ୮ ଜଣ ଥିବା ବେଳେ ଅଣ୍ଡ୍ରାହାଲ ପଞ୍ଚାୟତର ୪ ଜଣ ରହିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ବଣ୍ଡାଘାଟିକୁ କରୋନା ଆସିଲା କେମିତି? ଜିଲ୍ଲା ପ୍ରଶାସନ ଏହା କାରଣ ଖୋଜୁଥିବା ବେଳେ ଆନ୍ଧ୍ରପ୍ରଦେଶ ହାଟ କିମ୍ୱା ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀଙ୍କ ପାଇଁ କରୋନା ବ୍ୟାପୁଥିବା ସନ୍ଦେହ କରାଯାଉଛି।

ବଣ୍ଡା ସଂପ୍ରଦାୟର ଲୋକଙ୍କୁ କରୋନା ଛୁଇଁବା ପରେ ପ୍ରଶାସନର ଚେତା ପଶିଛି। ସଂକ୍ରମିତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିବା ସହ କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ କରିଛି। ଏହାଛଡ଼ା କରୋନା ଟେଷ୍ଟିଂକୁ ବଢାଇ ଦିଆଯାଇଛି। ଡାକ୍ତରି ଟିମ୍‌ ପହଞ୍ଚି ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରୁଛି। ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଡାକ୍ତର କହିଛନ୍ତି।

ଏପଟେ ନିୟମଗିରି ପାହାଡ଼ି ଅଞ୍ଚଳରେ ପହଞ୍ଚିଛି କରୋନା। ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ ପାରସାଲି ଓ ସୁନାଖଣ୍ଡି ପଞ୍ଚାୟତରେ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୟଭୀତ ଅବସ୍ଥାରେ ଡଙ୍ଗରିଆ କନ୍ଧ ସମାଜ। ପାରସାଲି ପଞ୍ଚାୟତର ସରପଞ୍ଚ ନିଜେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ଦେବା ସହ ଏବେଠୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନନେଲେ ସ୍ଥିତି ଭୟଙ୍କର ହେବା ନେଇ ସତର୍କ କରାଇଛନ୍ତି। ସ୍ଥାନୀୟ ବିଡିଓଙ୍କ ସହ ଏକ ମେଡିକାଲ୍‌ ଟିମ୍‌ ନିୟମଗିରି ଅଞ୍ଚଳକୁ ଯାଇ ସାମ୍ପଲ ସଂଗ୍ରହ କରିଛି।

Related story