ଚାକିରି ହରାଇବେ ଦାଗୀ କର୍ମଚାରୀ, ଏଣିକି ପ୍ରତି ୩ ମାସରେ ରିଭ୍ୟୁ କମିଟି ବୈଠକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଦାଗୀ, ଦୁର୍ନୀତିଗ୍ରସ୍ତ ଓ ଅଳସୁଆ କର୍ମଚାରୀଙ୍କ ପାଇଁ ସତର୍କ ଘଣ୍ଟି। ସରକାରୀ ଚାକିରିରୁ ସେମାନଙ୍କୁ ବାଧ୍ୟତାମୂଳକ ଅବସର ନେବାକୁ ପଡ଼ିପାରେ। ରାଜ୍ୟ ସରକାର ନିଜର ୩୨ ବର୍ଷ ପୁରୁଣା ଆଇନକୁ କଡ଼ାକଡ଼ି ପାଳନ କରିବା ପାଇଁ ସମସ୍ତ ସଚିବଙ୍କୁ ନିର୍ଦ୍ଦେଶ ଦେବା ସହ ନିୟମିତ ରିଭ୍ୟୁ କମିଟି ବୈଠକ କରି ସକ୍ରିୟ ଜନସେବାରେ ବାଧକ ସାଜୁଥିବା ଅଫିସର ଓ କର୍ମଚାରୀମାନଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ କଡ଼ା ତାଗିଦ୍ କରିଛନ୍ତି। ଯେଉଁ ସଚିବ ଏହି […]

Secretariat2

Manoranjan Sial
  • Published: Wednesday, 25 September 2019
  • , Updated: 25 September 2019, 09:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଦାଗୀ, ଦୁର୍ନୀତିଗ୍ରସ୍ତ ଓ ଅଳସୁଆ କର୍ମଚାରୀଙ୍କ ପାଇଁ ସତର୍କ ଘଣ୍ଟି। ସରକାରୀ ଚାକିରିରୁ ସେମାନଙ୍କୁ ବାଧ୍ୟତାମୂଳକ ଅବସର ନେବାକୁ ପଡ଼ିପାରେ। ରାଜ୍ୟ ସରକାର ନିଜର ୩୨ ବର୍ଷ ପୁରୁଣା ଆଇନକୁ କଡ଼ାକଡ଼ି ପାଳନ କରିବା ପାଇଁ ସମସ୍ତ ସଚିବଙ୍କୁ ନିର୍ଦ୍ଦେଶ ଦେବା ସହ ନିୟମିତ ରିଭ୍ୟୁ କମିଟି ବୈଠକ କରି ସକ୍ରିୟ ଜନସେବାରେ ବାଧକ ସାଜୁଥିବା ଅଫିସର ଓ କର୍ମଚାରୀମାନଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ କଡ଼ା ତାଗିଦ୍ କରିଛନ୍ତି। ଯେଉଁ ସଚିବ ଏହି ନିର୍ଦ୍ଦେଶନାମାକୁ ଅଣଦେଖା କରିବେ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦେଇଛନ୍ତି।

ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସଞ୍ଜିବ ଚୋପ୍ରା ଗତକାଲି ରାଜ୍ୟର ସମସ୍ତ ବିଭାଗୀୟ ସଚିବଙ୍କୁ ଏହି ନିର୍ଦ୍ଦେଶନାମା ଜାରି କରି ଦକ୍ଷ ପ୍ରଶାସନ ସୁନିଶ୍ଚିତ କରାଇବା ଓ ଜନସେବାରେ ପ୍ରତିବନ୍ଧକ ସାଜୁଥିବା ଅଫିସର ଓ କର୍ମଚାରୀଙ୍କୁ ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ସରକାରୀ ଚାକିରିରୁ ବାଧ୍ୟତାମୂଳକ ଅବସର ଦେବା ପାଇଁ କହିଛନ୍ତି। ୧୯୮୭ ମସିହା ନଭେମ୍ବର ୨୪ତାରିଖରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ସର୍କୁଲାର ଏବଂ ସୁପ୍ରିମକୋର୍ଟଙ୍କ କେତେକ ରାୟ ଆଧାରରେ ଏଭଳି ଦାଗୀ ଓ ଅଯୋଗ୍ୟ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପରାମର୍ଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ପ୍ରଦତ୍ତ (୨୦୦୧ରେ ଗୁଜରାଟ ସରକାର ଓ ଉମେଦଭାଇ ମାମଲା, ଓଡ଼ିଶା ସରକାର ଓ ଏସ.ରାମଚନ୍ଦ୍ର ରାଜୁ ମାମଲା, ୨୦୦୨ରେ ୟୁପି ସରକାର ଓ ବିଜୟକୁମାର ଜୈନ ମାମଲା) ରାୟ ଏବଂ ଓଡ଼ିଶା ସଭିଲ କୋଡ୍, ରୁଲ-୭୧ (କ) ଆଧାରରେ ଅସାଧୁ ସରକାରୀ ଅଫିସର ଓ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି । ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶ ଅନୁସାରେ, ଏଣିକି ଜଣେ ସରକାରୀ ଅଫିସର ଓ କର୍ମଚାରୀ ନିଜ ଚାକିରି କାଳର ୩୦ବର୍ଷ ପୂରଣ କରିଥିଲେ ଅବା ତାଙ୍କୁ ୫୦ବର୍ଷ ବୟସ ହୋଇଥିଲେ (ଯେଉଁଟି ଆଗ) ତାଙ୍କର ଚାକିରିରେ ପ୍ରଦର୍ଶନର ସମୀକ୍ଷା କରାଯିବ। ସେହିପରି ୫୫ବର୍ଷ ବୟସରେ ପୁଣିଥରେ ତାଙ୍କର ପ୍ରଦର୍ଶନର ସମୀକ୍ଷା ହେ। ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ବର୍ଗର ଅଫିସରଙ୍କ ଚାକିରିର ପ୍ରଦର୍ଶନ ସମୀକ୍ଷା ପ୍ରତି ବର୍ଷ ମାର୍ଚ୍ଚ ୩୧, ଜୁନ୍ ୩୦, ସେପ୍ଟେମ୍ବର ୩୦ ଓ ଡିସେମ୍ବର ୩୧ ତାରିଖରେ ରିଭ୍ୟୁ କମିଟି ବୈଠକରେ ହେବ।

ସେହିପରି ତୃତୀୟ ଓ ଚତୁର୍ଥ ଶ୍ରେଣୀ ବର୍ଗର କର୍ମଚାରୀଙ୍କ ପାଇଁ ଅନୁରୂପ ସମୟସୀମା ଆଧାରରେ ପ୍ରତିବର୍ଷ ଜୁନ୍ ୩୦ ଓ ଡିସେମ୍ବର ୩୧ତାରିଖରେ ରିଭ୍ୟୁ କମିଟି ବୈଠକରେ ସେମାନଙ୍କର ଚାକିରିର ପ୍ରଦର୍ଶନର ସମୀକ୍ଷା ହେବ। ରାଜ୍ୟ ଓ ଜିଲ୍ଲାସ୍ତରରେ କାର୍ଯ୍ୟ କରୁଥିବା ସମସ୍ତ ସରକାରୀ ଅଫିସର ଓ କର୍ମଚାରୀଙ୍କୁ ନିଜ ଚାକିରି କାଳ ମଧ୍ୟରେ ନିଶ୍ଚିତ ଭାବେ ଏହି ସମୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ।

ତେବେ କର୍ମଚାରୀଙ୍କ ଚାକିରିର ପ୍ରଦର୍ଶନର ସମୀକ୍ଷାବେଳେ କେତେକ ପ୍ରସଙ୍ଗକୁ ଗୁରୁତ୍ୱର ସହ ବିଚାରକୁ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତାହା ହେଲା, ଯଦି କୌଣସି ଅଫିସର ଅବା କର୍ମଚାରୀଙ୍କ ବିରୁଦ୍ଧରେ ପ୍ରଶାସନିକ କାର୍ଯ୍ୟ ଠିକ୍ ଭାବେ କରୁନଥିବା ଓ ସନ୍ଦେହଜନକ ଭାବେ ସମ୍ପତ୍ତି ଆହରଣ ତଥା ଦୁର୍ନୀତି କରୁଥିବାର ଅଭିଯୋଗ ହୋଇଛି କିନ୍ତୁ ଏସବୁର ପର୍ଯ୍ୟାପ୍ତ ପ୍ରମାଣ ନଥିବାରୁ ତାଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇପାରିନି , ତା’ହେଲେ ଏସବୁ ଅଭିଯୋଗକୁ ମଧ୍ୟ ସମ୍ପୃକ୍ତ କର୍ମଚାରୀଙ୍କ ଚାକିରିର ପ୍ରଦର୍ଶନର ସମୀକ୍ଷାବେଳେ ବିଚାରକୁ ନେବା ପାଇଁ କୁହାଯାଇଛି। ଓଡ଼ିଶା ସରକାର ବନାମ ଏସ ରାମଚନ୍ଦ୍ର ରାଜୁ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଆଧାରରେ ଏଭଳି ପଦକ୍ଷେପ ନେବାକୁ ସାଧାରଣ ପ୍ରଶାସନ ବିଭାଗ କହିଛି।

ଏସବୁ ବ୍ୟତୀତ କେଉଁ ଆଧାରରେ କର୍ମଚାରୀଙ୍କ ଚାକିରିର ପ୍ରଦର୍ଶନର ସମୀକ୍ଷା କରାଯିବ ଓ କେଉଁ ବର୍ଗର କର୍ମଚାରୀଙ୍କ ପ୍ରଦର୍ଶନର ସମୀକ୍ଷା ପାଇଁ ରିଭ୍ୟୁ କମିଟିରେ କିଏ ଅଧ୍ୟକ୍ଷ ଓ ସଦସ୍ୟ ରହିବେ ତା’ର ତାଲିକା ମଧ୍ୟ ପ୍ରକାଶ ପାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୧୩ପୃଷ୍ଠାର ଏହି ସର୍କୁଲାରରେ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବାର ଫର୍ମାଟ୍ ମଧ୍ୟ ରହିଛି।

Related story