ଦୁର୍ନୀତିଖୋର ସରକାରୀ କର୍ମଚାରୀଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁର୍ନୀତିଖୋର କର୍ମଚାରୀଙ୍କ ମୁଣ୍ଡରେ ଝୁଲୁଛି ବରଖାସ୍ତର ଖଣ୍ଡା। ଗୋଟିଏ ମାସରେ ୩୭ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସର ବାର୍ତ୍ତା। ତେବେ ଏଥିରେ ପୁଣି କେଁ ପୁରାଇଛନ୍ତି ବିରୋଧୀ। କେବଳ ତଳିଆ କର୍ମଚାରୀ କାହିଁକି, ଦୁର୍ନୀତି କରୁଥିବା ବଡ଼ ବଡ଼ିଆ ଅଫିସରଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ କରିଛନ୍ତି। ମାସକ ଭିତରେ ବରଖାସ୍ତ ହେଲେଣି ୩୭ କର୍ମଚାରୀ। […]

corrupt-officers-get-punishment

Manoranjan Sial
  • Published: Saturday, 14 September 2019
  • , Updated: 14 September 2019, 10:09 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁର୍ନୀତିଖୋର କର୍ମଚାରୀଙ୍କ ମୁଣ୍ଡରେ ଝୁଲୁଛି ବରଖାସ୍ତର ଖଣ୍ଡା। ଗୋଟିଏ ମାସରେ ୩୭ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସର ବାର୍ତ୍ତା। ତେବେ ଏଥିରେ ପୁଣି କେଁ ପୁରାଇଛନ୍ତି ବିରୋଧୀ। କେବଳ ତଳିଆ କର୍ମଚାରୀ କାହିଁକି, ଦୁର୍ନୀତି କରୁଥିବା ବଡ଼ ବଡ଼ିଆ ଅଫିସରଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ କରିଛନ୍ତି।

ମାସକ ଭିତରେ ବରଖାସ୍ତ ହେଲେଣି ୩୭ କର୍ମଚାରୀ। ପେନସନ ବନ୍ଦ ହୋଇଛି ୬ ପୂର୍ବତନ କର୍ମଚାରୀଙ୍କର। ଦୁର୍ନୀତିଖୋର କର୍ମଚାରୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଏହି କଡା ଆଭିମୁଖ୍ୟକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ଦୁର୍ନୀତି କଲେ ଭୋଗିବାକୁ ପଡ଼ିବ ବହିଷ୍କାର ଦଣ୍ଡ। ଭିଜିଲାନ୍ସ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ଏମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।

ଗତବର୍ଷ ୫୪୨ ସରକାରୀ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ମାମଲା କରିଥିଲା ଭିଜିଲାନ୍ସ ବିଭାଗ। ଏଥିରୁ ଅଧାରୁ କମ୍‌ ଅର୍ଥାତ ୨୩୪ଟି ମାମଲା ଫଇସଲା ହୋଇଛି। ଅଭିଯୁକ୍ତଙ୍କ ମୃତ୍ୟୁ ଓ ଅନ୍ୟ କାରଣ ଯୋଗୁ ୧୮ଟି ମାମଲା ବନ୍ଦ ହେବା ପରେ ବାକି ୨୧୪ ମାମଲାରୁ ୧୧୦ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସରକାରୀ କର୍ମଚାରୀ। ଏଥିରୁ ବଡ଼ବାବୁ ଅର୍ଥାତ କ୍ଲାସ ଓ୍ୱାନ୍ ଅଧିକାରୀ ଅଛନ୍ତି ମାତ୍ର ୨୦ ଜଣ। ବଡ଼କଥା ହେଉଛି, ଦୋଷୀ ସାବ୍ୟସ୍ତ ହେଲା ପରେ ମଧ୍ୟ ୨୦ରୁ ମାତ୍ର ୨ ଜଣ ବଡ଼ ବାବୁଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।

୨୦୧୮ ମସିହାରେ ସମୁଦାୟ ୩୩ ସରକାରୀ କର୍ମଚାରୀଙ୍କୁ ବହିଷ୍କାର କରାଯାଇଥିଲା। ଏଥର ମୁଖ୍ୟମନ୍ତ୍ରୀ ବହିଷ୍କାର କରିଥିବା ୩୭ ଜଣଙ୍କ ମଧ୍ୟରୁ ସମସ୍ତେ ପ୍ରାୟ ତଳିଆ କର୍ମଚାରୀ। ତେବେ ତଳିଆ କର୍ମଚାରୀଙ୍କ ବିରୋଧର ବହିଷ୍କାର ଦଣ୍ଡକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ।

ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି-“କୋଟି କୋଟି ଟଙ୍କା ଲୁଟିଥିବା ଖଣି, ଚିଟ୍‌ଫଣ୍ଡ, PWD ଓ RD ବିଭାଗର ଉଚ୍ଚ ପଦସ୍ତ ଅଧିକାରୀଙ୍କ ବିରୋଧରେ ନବୀନ ବାବୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ତାହାହେଲେ ଆମେ ଜାଣିବାକୁ ଜିରୋ ଟଲେରାନ୍ସର ବାର୍ତ୍ତା ଠିକ ଭାବେ କାର୍ଯ୍ୟକାରୀ ହେଉଛି।”

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି-“କୋଟିକୋଟି ଟଙ୍କା ଖାଇଥିବା ବଡ଼ ବଡ଼ିଆ ବାବୁଙ୍କୁ ଧରିପାରୁ ନାହାନ୍ତି। କେବଳ ତଳିଆ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରିଦେଉଛନ୍ତି। ଏଠି ସବୁ ଡ୍ରାମା ଚାଲିଛି।”

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି-“ଯିଏ ଦୋଷ କରିବ, ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଇଏଏସ୍‌ ଅଫିସର ଜେଲ୍‌ ଯିବାର ନଜିର ମଧ୍ୟ ରହିଛି।”

ବିଧାନସଭାରେ ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ୧୦ ବର୍ଷରେ ୧୧ ଆଇଏଏସ୍‌ ଓ ୨୨୭ ଓଏଏସ୍ ଅଫିସରଙ୍କ ବିରୋଧରେ ଭିଜିଲାନ୍ସ ମାମଲା ଚାଲିଥିବା ବେଳେ ୪ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏଥିରୁ କେବଳ ଜଣେ ଓଏଏସ ଅଧିକାରୀ ବିଜୟିନୀ ବିଶ୍ୱାଳଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି। ୬୮ଟି ମାମଲାର ତଦନ୍ତ ସରିନି। ତେବେ ଏଠି ପ୍ରଶ୍ନ ଉଠୁଛି, ବର୍ଷ ବର୍ଷ ଧରି ବଡ଼ ବଡ଼ିଆ ବାବୁଙ୍କ ବିରୋଧରେ ଥିବା ଅଭିଯୋଗର ଫଇସଲା କାହିଁକି ହୋଇପାରୁନି? କାହିଁକି ବଡ଼ ବଡ଼ିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ହାତ ଯାଉନି?

Related story