ମାଲକାନଗିରି(ଜିତେନ୍ଦ୍ର ବେଉରା): "ମୁଁ ଆଉ ସେଠି ରହିବିନି। ମୋତେ ମାଡ଼ ମାରି ଗାଈ ଚରାଇବାକୁ ପଠାଉଛନ୍ତି। ଗାଈ ନ ଚରାଇଲେ ଖାଇବାକୁ ଦେଉନାହାନ୍ତି। ଭୋକ ଉପାସରେ କେମିତି ବଞ୍ଚିବି ।” ବଞ୍ଚି ଥାଉ ଥାଉ ବାପାମା’ ପର କରି ଦେବା ପରେ ଏପରି ଛାତିଥରା ବିଳାପ କରୁଛି ୯ ବର୍ଷର ଜଣେ ନାବାଳକ।
ଦୁନିଆ କ’ଣ ବୁଝିବା ପୂର୍ବରୁ ନିଜର ସବୁଠୁ ଆପଣାର ବାପାମା’ ହିଁ ତାକୁ ରାସ୍ତା ମଝିରେ ଛିଡ଼ା କରି ଦେଇଛନ୍ତି। ନିଷ୍ଠୁର ଦୁନିଆରେ ନିଜର ବୋଲି କେହି ନ ଥିବା ବେଳେ ସମସ୍ତଙ୍କୁ କେବଳ ବଲ ବଲ କରି ଚାହିଁବା ଛଡ଼ା ଆଉ କିଛି ଜାଣିପାରୁନାହିଁ। ସମ୍ପର୍କର ଚରମ ସୀମାରେ ପହଞ୍ଚିଥିବା ଏପରି ସ୍ୱାର୍ଥପରତାର କାହାଣୀ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ।
ଯାହାକୁ ଦୁନିଆକୁ ଆଣିଥିଲେ, ବାଟ ଚାଲିବା ଶିଖିବା ଆଗରୁ ତାକୁ ପର କରିଦେଲେ ବାପାମା’ । ନିଜ ସ୍ୱାର୍ଥ ଆଗରେ ତୁଚ୍ଛ ଲାଗିଲା ପୁଅର ନିଷ୍ପାପ ମୁହଁ। ବାପାମା’ ଦୁହେଁ ନିଜ ଖୁସି ପାଇଁ ଅଲଗା ଅଲଗା ରାସ୍ତା ବାଛି ଅନ୍ୟତ୍ର ବିବାହ କରିନେଲେ। ଆଉ ମଝିରେ କଣ୍ଟା ହୋଇଥିବା ୯ ବର୍ଷର ପୁଅକୁ ଅନ୍ୟତ୍ର ବିକିଦେଲେ।
ପିଲାଟିକୁ ଯାହା ଘରେ ଛାଡିଥିଲେ ସେ ଗାଈ ଚରାଇବାକୁ ବାଧ୍ୟ କରିବା ସହ ଠିକ ଭାବରେ ଖାଇବାକୁ ଦେଉନାହିଁ। ଶେଷରେ ପିଲାଟି ସେଠାରୁ ଲୁଚି ଲୁଚି ପଙ୍ଗାମ ନିକଟସ୍ଥ ସଲପପଦର ଗାଁ ର ଏକ ଅଙ୍ଗନବାଡ଼ି କେନ୍ଦ୍ର ରେ ଆସି ପହଞ୍ଚିଲା । ତାକୁ ପଚାରିବାରୁ ସେ ପୂରା କାହାଣୀ ବଖାଣି ଥିଲା ଗ୍ରାମବାସୀଙ୍କ ସମ୍ମୁଖରେ । ସେହି ଗାଁର ଅଙ୍ଗନବାଡ଼ି କର୍ମୀ ତାଙ୍କୁ ନିଜ ଘରକୁ ଆଣି ଖାଇବା ପିଇବା ଦେଇ ମୁଣ୍ଡ ଗୁଞ୍ଜିବାକୁ ଆଶ୍ରୟ ଦେଇଛନ୍ତି ।
ହେଲେ କିଣିଥିବା ବ୍ୟକ୍ତି ଖବର ପାଇ ସେଠାରେ ପହଞ୍ଚି ଝଗଡ଼ା କରି ତାକୁ ନେଇଯିବାକୁ ଉଦ୍ୟତ ହେଉଥିବାରୁ ଗ୍ରାମବାସୀ ପିଲାଟିକୁ ରଖିବା ସହ ସରକାରଙ୍କୁ ସହାୟତା ପାଇଁ ଦାବି କରିଛନ୍ତି।
ଏ ସମ୍ପର୍କରେ ମାଥିଲି ବିଡିଓ ଆଶିଷ କୁମାର ଭୋଇ କହିଛନ୍ତି, ଏ ସମ୍ପର୍କରେ ଖବର ପାଇଲୁ। ଉକ୍ତ ନାବାଳକଙ୍କ ବାପାମା’ ତଥା ନିକଟ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରାଯିବ। ସେମାନେ ରଖିବାକୁ ରାଜି ନ ହେଲେ ପ୍ରଶାସନ ତରଫରୁ ପିଲାଟିର ରହିବା ବ୍ୟବସ୍ଥା କରାଯିବ।