ଝାରସୁଗୁଡା(ଭାଗିରଥୀ ସାହୁ):କୋଇଲା ଚୁଲା ନିଆଁରେ ପୋଡ଼ି ହୋଇ ଜୀବନ୍ତ ଦଗ୍ଧ ହୋଇଗଲେ ଦମ୍ପତି । ଏପରି ଦୁଃଖଦ ଖବର ଆଜି ଝାରସୁଗୁଡା ଜିଲା ବ୍ରଜରାଜନଗରସ୍ଥିତ ରାମପୁରଠାରେ ଘଟିଛି। ମୃତ ଦମ୍ପତି ହେଲେ ଗିରିବର ଦାଶ(୪୭) ଓ ତାଙ୍କ ପତ୍ନୀ ଗୀତା ଦାଶ।
ସୂଚନାଯୋଗ୍ୟ, ଗୀତା ଆଜି ସକାଳେ କୋଇଲା ଚୁଲାକୁ ଘର ଭିତରକୁ ନେବା ସମୟରେ ଅସାବଧାନତା ହେତୁ ପିନ୍ଧିଥିବା ଶାଢୀରେ ନିଆଁ ଲାଗିଯାଇଥିଲା । ଚୁଲା ସହ ଗୀତା ତଳେ ପଡିବାରୁ ତାଙ୍କ ଦେହରେ ଜୋରରେ ନିଆଁ ଲାଗିଥିଲା । ପତ୍ନୀଙ୍କ ଚିତ୍କାର ଶୁଣି ତାଙ୍କୁ ବଞ୍ଚାଇବାକୁ ଯାଇ ଗିରିବର ବି ନିଆଁରେ ନିଜେ ବି ଜଳିଯାଇଥିଲେ । ଘଟଣାସ୍ଥଳରେ ଉଭୟଙ୍କ ମୃତଦେହ ପଡିଛି । ସେମାନଙ୍କ ପୁଅ ଟ୍ୟୁସନ୍ରୁ ଫେରିବା ପରେ ବାପାମା’ଙ୍କ ମୃତଦେହ ଦେଖି ଭାଙ୍ଗି ପଡ଼ିଥିବା ଜଣାଯାଇଛି। ପଡୋଶୀ ଓ ରାମପୁର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ଜଣାଯାଇଛି।