କୋଭିଡ୍‌ କିଟ୍‌ କେଳେଙ୍କାରୀ, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଭିଡ୍‌ କିଟ୍ କେଳେଙ୍କାରୀକୁ ନେଇ ବଢ଼ିଲା ରାଜ୍ୟ ସରକାରଙ୍କ ଅଡୁଆ। ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଦାୟର ହେଲା ଜନସ୍ୱାର୍ଥ ମାମଲା। ଏପଟେ ଅଧିକ ଆକ୍ରମଣାତ୍ମକ ମୁଦ୍ରାରେ ଥିବା କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମୁହାଁ ହୋଇଛି। କୋଭିଡ୍ ସରଞ୍ଜାମ କିଣାରେ ବ୍ୟାପକ ଅନିୟମିତାକୁ ନେଇ ଓଡ଼ିଶାର ନମ୍ୱର-୧ ଟେଲିଭିଜନ୍‌ ଓଟିଭିରେ ଲଗାତର ଖବର ପ୍ରସାରଣ ହୋଇଥିଲା। ଏହା ପରେ ବିଭିନ୍ନ ଗଣମାଧ୍ୟମରେ ଏହା ଉପରେ ତଥ୍ୟ ଭିତ୍ତିକ ରିପୋର୍ଟ ପ୍ରକାଶ କରିଥିଲେ। ୧୦ […]

highcourt-1.1

Manoranjan Sial
  • Published: Monday, 08 June 2020
  • , Updated: 08 June 2020, 07:54 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଭିଡ୍‌ କିଟ୍ କେଳେଙ୍କାରୀକୁ ନେଇ ବଢ଼ିଲା ରାଜ୍ୟ ସରକାରଙ୍କ ଅଡୁଆ। ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଦାୟର ହେଲା ଜନସ୍ୱାର୍ଥ ମାମଲା। ଏପଟେ ଅଧିକ ଆକ୍ରମଣାତ୍ମକ ମୁଦ୍ରାରେ ଥିବା କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମୁହାଁ ହୋଇଛି।

କୋଭିଡ୍ ସରଞ୍ଜାମ କିଣାରେ ବ୍ୟାପକ ଅନିୟମିତାକୁ ନେଇ ଓଡ଼ିଶାର ନମ୍ୱର-୧ ଟେଲିଭିଜନ୍‌ ଓଟିଭିରେ ଲଗାତର ଖବର ପ୍ରସାରଣ ହୋଇଥିଲା। ଏହା ପରେ ବିଭିନ୍ନ ଗଣମାଧ୍ୟମରେ ଏହା ଉପରେ ତଥ୍ୟ ଭିତ୍ତିକ ରିପୋର୍ଟ ପ୍ରକାଶ କରିଥିଲେ। ୧୦ ଟଙ୍କାରେ କିଣିବାକୁ ଟେଣ୍ଡର ଆହ୍ୱାନ କରି ୧୬ ଟଙ୍କାରେ ମାସ୍କ କିଣିବା, ମନଇଚ୍ଛା ଅର୍ଡର କରି ବାତିଲ କରିବା ଓ ପୁଣି ବାଧ୍ୟ ହୋଇ କିଣିବା, ଭେଣ୍ଟିଲେଟର ଭଳି ଅତ୍ୟାବଶ୍ୟକ ସରଞ୍ଜାମ ମଗାଇ ଫେରାଇ ଦେବା, ସମାନ ମାନର ସରଞ୍ଜାମକୁ ଭିନ୍ନ ଭିନ୍ନ କମ୍ପାନୀଠୁ ଭିନ୍ନ ଭିନ୍ନ ଦାମ୍‌ରେ କିଣିବା ଏବଂ ବିଳମ୍ବରେ ଅର୍ଡର ଦେଇ ଶୀଘ୍ର ଡେଲିଭରି ପାଇଁ ୫୦ ପ୍ରତିଶତର ପ୍ରୋତ୍ସାହନ ଦେବା ଅଭିଯୋଗ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏ ସବୁଥିରେ କେନ୍ଦ୍ରୀୟ ଗାଇଡ୍‌ ଲାଇନ୍‌ ଉଲ୍ଲଙ୍ଘନ ସହ ବ୍ୟାପକ ଅନିୟମିତତାର ଅଭିଯୋଗ ଥିବାରୁ ଘଟଣାର ସିବିଆଇ କିମ୍ବା ଜୁଡିସିଆଲ ତଦନ୍ତ ଦାବିରେ ଆଜି ଦୁଇଟି ଜନସ୍ୱାର୍ଥ ମାମଲା ଓଡ଼ିଶା ହାଇକୋର୍ଟରେ ରୁଜୁ ହୋଇଛି।

ସରଗରମ ଆଲୋଚନା ଭିତରେ କଂଗ୍ରେସ ଆଜି ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନିଶାନା କରିବା ସହ ଦଳେ ଅଫିସର ଗୋଷ୍ଠୀ କରି ରାଜକୋଷକୁ ଲୁଟ୍‌ କରିଛନ୍ତି ବୋଲି ଅଭିଯୋଗ କରିଛି। ସେପଟେ ବିଜେପି କୋଭିଡ୍‌ ସାମଗ୍ରୀ କିଣାରେ ସ୍ୱଚ୍ଛତା ନଥିବା କଥା କହି ନିର୍ଦ୍ଦିଷ୍ଟ ରାଜ୍ୟରୁ ସାମଗ୍ରୀ କିଣାଯିବାକୁ ନେଇ ପ୍ରଶ୍ନ କରିଛି।

ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ କହିଛନ୍ତି-“ଅନିୟମିତତା ଅଭିଯୋଗ ଆସିବା ପରେ ଅଫିସରଙ୍କୁ ବିଦା କରାଗଲା। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ସମ୍ପୃକ୍ତ ଥିବା ଜଣାପଡ଼ି ଗଲାଣି। କାରଣ ମୁଖ୍ୟ ସଚିବ ଓ ଅନ୍ୟମାନଙ୍କୁ ପ୍ରଶଂସାପତ୍ର ଦିଆଗଲା। ଏପଟେ ବିଦା କରାଯାଉଛି, ସେପଟେ ପ୍ରଶଂସାପତ୍ର ଦିଆଯାଉଛି। ଏଥିରୁ କଣ ବୁଝାପଡ଼ୁଛି?”

ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି-“କିଛି ଜିନିଷ କିଣିବା ବେଳେ ବିଡିଂରେ ସବୁଠୁ ଲୋୟେଷ୍ଟ ବିଡରକୁ ଟେଣ୍ଡର ଦିଆଯାଏ। ତା’ ଛଡ଼ା କ୍ୱାଲିଟି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଏ। କୌଣସି ନିର୍ଦ୍ଦିଷ୍ଟ ରାଜ୍ୟକୁ ବିଡ଼ିଂ ନଦିଆ ଯାଉ। କେନ୍ଦ୍ର ସରକାର ଭୋକାଲ୍‌ ଫର୍ ଲୋକାଲକୁ ଗୁରୁତ୍ୱ ଦେଉଥିବା ବେଳେ ଓଡ଼ିଶାରେ ମଧ୍ୟ ଏହା କାର୍ଯ୍ୟକାରୀ କରାଯାଉ। ତା’ ଛଡ଼ା ରାଜ୍ୟର ଯୁବକମାନେ କିପରି ରାଜ୍ୟ ଭିତରେ ନିଯୁକ୍ତି ପାଇବେ ତାହା ଉପରେ ଧ୍ୟାନ ଦିଆଯାଉ।”

ଏପଟେ କୋଭିଡ୍‌ ସରଞ୍ଜାମ କିଣାରେ ମନ୍ତ୍ରିସ୍ତରୀୟ କମିଟିର ଭୂମିକାକୁ ବିରୋଧୀ ଟାର୍ଗେଟ୍‌ କରିବା ପରେ ସଫେଇ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଦୁର୍ନୀତି ହୋଇନି ବୋଲି ସେ କହିଥିଲେ।

ତେବେ ୧୦ ଟଙ୍କାରେ ମାସ୍କ କିଣିବାକୁ ଟେଣ୍ଡର ଆହ୍ୱାନ କରି କିପରି ୧୬ ଟଙ୍କାରେ କିଣାଗଲା? ସେହିପରି ଏକାଥରେ ୩୦ ଲକ୍ଷ ମାସ୍କ ତାମିଲନାଡୁର ବିଷ୍ଣୁ ଡିସ୍ପୋଜେବଲ କମ୍ପାନୀଠୁ କାହିଁକି କିଣା ହେଲା? ବଜାର ଦର ଠୁ ଚଢ଼ା ଦରରେ ମାସ୍କ କିଣାଯିବା ପଛର ଉଦ୍ଦେଶ୍ୟ କଣ? ସାମଗ୍ରୀ ମହଜୁଦ ଥାଇ ମଧ୍ୟ ପୁଣି ୨୦ ଲକ୍ଷ ମାସ୍କ କିଣାଯିବାକୁ କାହିଁକି ଟେଣ୍ଡର ହେଲା? ବିରୋଧୀଙ୍କ ଏ ତମାମ ପ୍ରଶ୍ନର ଉତ୍ତର ନେଇ କିନ୍ତୁ ମୁହଁ ଖୋଲି ନାହାନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଏହି ପ୍ରସଙ୍ଗରେ ବିଜେଡି କିନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସପକ୍ଷରେ ଠିଆ ହୋଇ ଏହା ରାଜନୀତିର ସମୟ ନୁହେଁ, ଦଳ ତାର ମତ ସ୍ପଷ୍ଟ କରିସାରିଛି ବୋଲି କହିଛି।

Related story