ସମ୍ବଲପୁର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମାଡ଼ି ଚାଲିଛି ମହାମାରୀ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୦୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣ ରୋକିବାକୁ ନିଅଯାଉଛି କଡ଼ା ପଦକ୍ଷେପ । ଭୁବନେଶ୍ୱର, କଟକ ପରେ ଏବେ ସମ୍ବଲପୁରରେ ଲାଗୁ ହୋଇଛି କଡ଼ା କୋଭିଡ଼ କଟକଣା।
ସମ୍ବଲପୁର ମ୍ୟୁନିସିପାଲିଟି ପକ୍ଷରୁ ଜାରୀ ନିୟମ ଅନୁଯାୟୀ, ଏଣିକି ସହରରେ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଏପରିକି ଯେଉଁମାନେ କୌଣସି କାମରେ ବାହାରୁ ସମ୍ବଲପୁର ଆସୁଛନ୍ତି ସେମାନେ ମଧ୍ୟ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହାବାଦ ହୋଟେଲ, ରେଷ୍ଟୁରାଣ୍ଟରେ ଅଧିକ ଭିଡ଼ ହେଲେ ଖାଦ୍ୟ ପ୍ୟାକିଂ କରି ଗ୍ରାହକଙ୍କୁ ଦେବାକୁ ହୋଟେଲ ମାଲିକମାନଙ୍କୁ କୁହାଯାଇଛି । କୌଣସି ସ୍ଥାନରେ ଅଧିକ ଲୋକ ରୁଣ୍ଡ ହେଲେ ସାମାଜିକ ଦୂରତା ଅନୁପାଳନ କରିବାକୁ ନିର୍ଦ୍ଦେଶ ରହିଛି । ରାସ୍ତାକଡ଼ ଖାଦ୍ୟ ଦୋକାନୀମାନେ ମଧ୍ୟ ଖାଦ୍ୟ ପ୍ୟାକିଂ କରି ଦେବାକୁ ନିର୍ଦ୍ଦେଶନାମା ଜାରି କରିଛି ସମ୍ବଲପୁର ମହାନଗର ନିଗମ । କଟକଣା ନ ମାନିଲେ କୋଭିଡ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।
ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୦୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍ରୁ ୪୭୧ ଓ ଲୋକାଲ କେସ୍ ୩୩୩ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୭ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୬,୧୩୨କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ଆକ୍ଟିଭ କେସ୍ ୪୨୬୨ ଥିବା ବେଳେ ସୁସ୍ଥ ହେଲେଣି ୧୨,୮୨,୬୯୦ ଆକ୍ରାନ୍ତ।