କୋଭିଡ୍ ମୃତ୍ୟୁ: ଆଜି ଓଡ଼ିଶା ଦେଶରେ ତୃତୀୟ, ଆକ୍ଟିଭ କେସ୍ ବି ଚିନ୍ତାଜନକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କୋଭିଡ-୧୯ ମହାମାରୀ ସଂକ୍ରମଣ ମାମଲା ଏବେ  କେବଳ ଦେଶର ଉତ୍ତର-ପୂର୍ବାଂଚଳ ରାଜ୍ୟଗୁଡ଼ିକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ରାଜ୍ୟରେ  ନିୟନ୍ତ୍ରଣାଧୀନ ରହିଥିବାବେଳେ ଓଡ଼ିଶାରେ ଆଜି କୋଭିଡ୍ ମୃତ୍ୟୁ ସଂଖ୍ୟା ଓ ଆକ୍ଟିଭ କେସ୍ ଚିନ୍ତାଜନକ ସ୍ଥିତିରେ ରହିଛି। ଆଜି ମହାରାଷ୍ଟ୍ର ଓ କେରଳ ପରେ ଓଡ଼ିଶାରେ ସର୍ବାଧିକ ୫୬ଜଣଙ୍କ ମୃତ୍ୟୁ କୋଭିଡ-୧୯ରେ ହୋଇଥିବାବେଳେ  ଆଜି କେରଳରେ ୩.୮୫% ଆକ୍ଟିଭ କୋଭିଡ୍ କେସ୍ ଅଛି। କେରଳ ପରେ ଓଡ଼ିଶାରେ ୧.୯୦ ପ୍ରତିଶତ ଓ ତେଲେଙ୍ଗାନାରେ ୧.୫୪ […]

covid-death

Ordigital Desk
  • Published: Tuesday, 20 July 2021
  • , Updated: 20 July 2021, 09:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କୋଭିଡ-୧୯ ମହାମାରୀ ସଂକ୍ରମଣ ମାମଲା ଏବେ  କେବଳ ଦେଶର ଉତ୍ତର-ପୂର୍ବାଂଚଳ ରାଜ୍ୟଗୁଡ଼ିକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ରାଜ୍ୟରେ  ନିୟନ୍ତ୍ରଣାଧୀନ ରହିଥିବାବେଳେ ଓଡ଼ିଶାରେ ଆଜି କୋଭିଡ୍ ମୃତ୍ୟୁ ସଂଖ୍ୟା ଓ ଆକ୍ଟିଭ କେସ୍ ଚିନ୍ତାଜନକ ସ୍ଥିତିରେ ରହିଛି। ଆଜି ମହାରାଷ୍ଟ୍ର ଓ କେରଳ ପରେ ଓଡ଼ିଶାରେ ସର୍ବାଧିକ ୫୬ଜଣଙ୍କ ମୃତ୍ୟୁ କୋଭିଡ-୧୯ରେ ହୋଇଥିବାବେଳେ  ଆଜି କେରଳରେ ୩.୮୫% ଆକ୍ଟିଭ କୋଭିଡ୍ କେସ୍ ଅଛି। କେରଳ ପରେ ଓଡ଼ିଶାରେ ୧.୯୦ ପ୍ରତିଶତ ଓ ତେଲେଙ୍ଗାନାରେ ୧.୫୪ ପ୍ରତିଶତ ଆକ୍ଟିଭ କୋଭିଡ୍ କେସ୍ ଆଜି ରେକର୍ଡ କରାଯାଇଛି।  ଓଡ଼ିଶାରେ କୋଭିଡ୍ ସଂକ୍ରମଣ ହାର ହ୍ରାସ ପାଇବାବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି ଓ ଏହା ବ୍ୟାକଲଗ୍ ପରିସଂଖ୍ୟାନ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ଆଜି ରାଜ୍ୟସଭାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ବିଭିନ୍ନ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ଓଡ଼ିଶାରେ ୨୦୨୧ ଏପ୍ରିଲରେ ୧୦୮, ମେ’ରେ ୬୯୦ ଓ ଜୁନରେ ୧୨୫୧ଜଣଙ୍କର କୋଭିଡ୍ ସଂକ୍ରମଣରେ ମୃତ୍ୟୁ ହୋଇଛି। ୨୦୨୦ ଏପ୍ରିଲ ମାସରେ ଏହି ମୃତ୍ୟୁସଂଖ୍ୟା ୧, ମେ’ରେ ୬ ଏବଂ ଜୁନରେ ୧୬ ରହିଥିଲା। କେନ୍ଦ୍ର ସରକାରଙ୍କଠୁ ୫୦ଲକ୍ଷ ଟଙ୍କାର ବୀମାରାଶି ପାଇବା ପାଇଁ ଏପର୍ଯ୍ୟନ୍ତ ଓଡ଼ିଶାରୁ ମୃତ ୫୫ଜଣ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପରିବାର ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି। ଓଡ଼ିଶାରେ ୨୦୨୧ ମସିହାରେ(ଜୁଲାଇ ୧୪ତାରିଖ ସୁଦ୍ଧା) ମୋଟ ୨୮୫୭ଜଣଙ୍କର କୋଭିଡ୍ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମାଣ୍ଡଭିୟା ରାଜ୍ୟସଭାରେ ସୂଚନା ଦେଇଛନ୍ତି। ୨୦୧୯ ମସିହାରେ ରାଜ୍ୟରେ ମୋଟ ୩ଲକ୍ଷ ୪୨ହଜାର ୯୪୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସେଥିରୁ ମାତ୍ର ୪୩୧୯୧ଜଣ ଡାକ୍ତରୀ ସାର୍ଟିଫିକେଟ୍ ନେଇଥିବା ମନ୍ତ୍ରୀ ଶ୍ରୀ ମାଣ୍ଡଭିୟା ସ୍ପଷ୍ଟ କରିଛନ୍ତି । ଅବଶ୍ୟ ସେତେବେଳେ କୋଭିଡ୍ ସଂକ୍ରମଣ ମାମଲା ଆସିନଥିଲା।

ଅନ୍ୟପକ୍ଷରେ, ଭାରତ ସରକାରଙ୍କ କୋଭିଡ୍ ଡ୍ୟାସବୋର୍ଡ ତଥ୍ୟ ଅନୁସାରେ ଓଡ଼ିଶାରେ କୋଭିଡ୍ ସଂକ୍ରମଣର ଆକ୍ଟିଭ କେସ୍ ଆଜି ବି ଦେଶର ଅନ୍ୟ ରାଜ୍ୟଗୁଡ଼ିକ(ଉତ୍ତର-ପୂର୍ବାଂଚଳ ରାଜ୍ୟକୁ ବାଦ୍ ଦେଲେ ) ତୁଳନାରେ ଅଧିକ ରହିଛି । କେରଳରେ ଆଜି କୋଭିଡ୍ ଆକ୍ଟିଭ କେସ୍  ୩.୮୫ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ଦ୍ୱିତୀୟ ସର୍ବାଧିକ ୧.୯୦ ପ୍ରତିଶତ ଓ ତେଲେଙ୍ଗାନାରେ ୧.୫୪ ପ୍ରତିଶତ ଅଛି। ଅବଶ୍ୟ ଉତ୍ତର-ପୂର୍ବାଂଚଳ ରାଜ୍ୟ ଅରୁଣାଚଳ ପ୍ରଦେଶ,ଆସାମ, ମଣିପୁର,ମିଜୋରାମ, ସିକିମ, ନାଗାଲ୍ୟାଣ୍ଡ, ମେଘାଳୟ ଓ ତ୍ରିପୁରାରେ କୋଭିଡ୍ ଆକ୍ଟିଭ କେସ୍ ଆଜି ୩.୧୮%ରୁ ୨୨.୧୯ ପ୍ରତିଶତ ରହିଛି।
ସେହିପରି ଓଡ଼ିଶାରେ କୋଭିଡ୍ ସଂକ୍ରମିତ ୫୬ଜଣଙ୍କର ଆଜି ମୃତ୍ୟୁ ହୋଇଥିବା ସରକାରୀ ଭାବେ ଦର୍ଶାଯାଇ ଥିବାବେଳେ ମହାରାଷ୍ଟ୍ରରେ ୬୬ ଓ କେରଳରେ ୫୮ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଗତ କିଛିଦିନ ଧରି ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ କରୋନା ମୃତ୍ୟୁ ହାର ବେଶ୍ କମ୍ ରହିଛି।

ଓଡ଼ିଶା ସରକାରଙ୍କ ପକ୍ଷରୁ ଆଜି ଦିଆଯାଇଥିବା କୋଭିଡ୍ ମୃତ୍ୟୁର ସଂଖ୍ୟା ସମଗ୍ର ଦେଶରେ ତୃତୀୟ ସର୍ବାଧିକ ରହିଛି । ରାଜ୍ୟର ବିଭିନ୍ନ ଶଶ୍ମାନଗୁଡ଼ିକରେ ମୃତ କୋଭିଡ୍  ରୋଗୀଙ୍କ ଲମ୍ବାଧାଡ଼ି ଲାଗୁଥିବାବେଳେ ସରକାରୀ ଭାବେ ମୃତ୍ୟୁସଂଖ୍ୟା ଅପେକ୍ଷାକୃତ କମ୍ ରହୁଥିଲା। ଏବେ ସ୍ଥିତି ସୁଧୁରିବାବେଳେ ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଓ ଆକ୍ଟିଭ କେସ୍ ହ୍ରାସ ନହେବା ନିଶ୍ଚିତ ଭାବେ ଚିନ୍ତାର ବିଷୟ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Related story