କଂଗ୍ରେସ ସହ ଆସନ ବୁଝାମଣା: ୪-୧ରେ ସନ୍ତୁଷ୍ଟ ହେବ ସିପିଆଇ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ସିପିଆଇ ସହ ଆସନ ବୁଝାମଣା କରି କଂଗ୍ରେସ ଆଗାମୀ ସାଧାରଣ ନିର୍ବାଚନକୁ ଓହ୍ଲାଇବ। ଏଥିପାଇଁ ଆଜି ଉଭୟ ଦଳର ନେତାଙ୍କ ମଧ୍ୟରେ ହୋଇଥିବା ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି। ଗୋଟିଏ ଲୋକସଭା ଓ ୪ଟି ବିଧାନସଭା ଆସନରେ କଂଗ୍ରେସ ସମର୍ଥନରେ ସିପିଆଇ ନିଜର ପ୍ରାର୍ଥୀ ଦେବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ଆଜି କଂଗ୍ରେସ ଓ ସିପିଆଇ ମଧ୍ୟରେ ଆସନ ବୁଝାମଣାକୁ […]

congress

Manoranjan Sial
  • Published: Saturday, 02 March 2019
  • , Updated: 02 March 2019, 07:53 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ସିପିଆଇ ସହ ଆସନ ବୁଝାମଣା କରି କଂଗ୍ରେସ ଆଗାମୀ ସାଧାରଣ ନିର୍ବାଚନକୁ ଓହ୍ଲାଇବ। ଏଥିପାଇଁ ଆଜି ଉଭୟ ଦଳର ନେତାଙ୍କ ମଧ୍ୟରେ ହୋଇଥିବା ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି। ଗୋଟିଏ ଲୋକସଭା ଓ ୪ଟି ବିଧାନସଭା ଆସନରେ କଂଗ୍ରେସ ସମର୍ଥନରେ ସିପିଆଇ ନିଜର ପ୍ରାର୍ଥୀ ଦେବ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ଆଜି କଂଗ୍ରେସ ଓ ସିପିଆଇ ମଧ୍ୟରେ ଆସନ ବୁଝାମଣାକୁ ନେଇ ଏକ ବୈଠକ ହୋଇଥିଲା। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ପିସିସି ପକ୍ଷରୁ ଆସନ ବୁଝାମଣା କମିଟିର ସଦସ୍ୟ ଜଗନ୍ନାଥ ପଟ୍ଟନାୟକ ଓ ଅନନ୍ତ ପ୍ରସାଦ ସେଠୀ ଉପସ୍ଥିତ ଥିଲେ। ସେହିପରି ସିପିଆଇ ପକ୍ଷରୁ ଦଳର ବରିଷ୍ଠ ନେତା ଦିବାକର ନାୟକ, ଆଶୀଷ କାନୁନଗୋ ଓ ରାମକୃଷ୍ଣ ପଟ୍ଟନାୟକ ଯୋଗ ଦେଇଥିଲେ।

ଉଭୟ ପକ୍ଷ ମଧ୍ୟରେ ଆସନ ବୁଝାମଣାକୁ ନେଇ ଆଲୋଚନା ହେବାପରେ ସିପିଆଇ ନେତା ଆଶୀଷ କାନୁନଗୋ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ୭ଟି ଆସନ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ରାଜ୍ୟରେ ଦଳର ସ୍ଥିତି ଓ ଆସନ ବୁଝାମଣାକୁ ନେଇ ନିଜର ମତ ସମ୍ପର୍କରେ ଅବଗତ କରାଯାଇଥିଲା। ଗୋଟିଏ ଲୋକସଭା ଆସନ (ଆସିକା) କୁ ନେଇ କଂଗ୍ରେସ ପୂର୍ବରୁ ଗ୍ରୀନ୍ ସିଗନାଲ ଦେଇସାରିଛି। ଆଜିର ଆଲୋଚନାରେ ୫ଟି ବିଧାନସଭା ଉପରେ ଦଳ ଗୁରୁତ୍ୱ ଦେଇଛି। ଏସବୁ ହେଲା ଛତ୍ରପୁର, ବୌଦ, ବ୍ରଜରାଜନଗର, ଏରସମା-ବାଲିକୁଦା ଓ ଚିତ୍ରକୋଣ୍ଡା। ଆଲୋଚନା ସକରାତ୍ମକ ରହିଛି ଓ ଖୁବଶୀଘ୍ର ଏସବୁ ଆସନକୁ ନେଇ ସମାଧାନ ହୋଇଯିବ ବୋଲି ସେ କହିଛନ୍ତି।
ତେବେ ‘ଓଡ଼ିଶା ରିପୋର୍ଟର’କୁ ସୂଚନା ଦେଇ ଶ୍ରୀ କାନୁନଗୋ କହିଛନ୍ତି ଯେ, କଂଗ୍ରେସ ସହ ଆସନ ବୁଝାମଣାକୁ ନେଇ ହୋଇଥିବା ସହମତି ପ୍ରସ୍ତାବ ସମ୍ପର୍କରେ ଦଳର ନେତାମାନଙ୍କୁ ଅବଗତ କରାଯିବା ପାଇଁ ଆସନ୍ତାକାଲି ସିପିଆଇ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଡକାଯାଇଛି। ଏହି ବୈଠକରେ ଆସନ ବୁଝାମଣା, ପ୍ରାର୍ଥୀ ଚୟନ, ପାଣ୍ଠି ସଂଗ୍ରହ ଆଦି ସମ୍ପର୍କରେ ଆଲୋଚନା ହେବା ସହ ଏହି ଆସନ ବୁଝାମଣା ପ୍ରସ୍ତାବକୁ ଅନୁମୋଦନ କରାଇବା ପାଇଁ ସେଣ୍ଟ୍ରାଲ କମିଟିକୁ ପଠାଯିବ। ତେବେ ରାଜ୍ୟରେ କଂଗ୍ରେସ ସହ ଦଳ ମେଣ୍ଟ କରୁନି ବରଂ ଆସନ ବୁଝାମଣା କରୁଛି ବୋଲି ଶ୍ରୀ କାନୁନଗୋ ସ୍ପଷ୍ଟ କରିଛନ୍ତି।
ସେପଟେ କଂଗ୍ରେସ ମଧ୍ୟ ସିପିଆଇ ସହ କରିଥିବା ଆଲୋଚନାକୁ ଆସନ୍ତା ୬ତାରିଖରେ ପିସିସି ନିର୍ବାଚନ କମିଟିକୁ ଅବଗତ କରିବ। ସେଠାରୁ ଅନୁମତି ମିଳିବା ପରେ ଉକ୍ତ ପ୍ରସ୍ତାବକୁ ଏଆଇସିସିକୁ ପଠାଇବ। ସେହିପରି ଆସନ୍ତାକାଲି ଜେଏମଏମ ସହ ବୈଠକ ବସିବାର କାର୍ଯ୍ୟକ୍ରମ ଥିବାବେଳେ କଂଗ୍ରେସ ଓ ସିପିଏମ୍ ମଧ୍ୟରେ ଚୂଡ଼ାନ୍ତ ଆସନ ବୁଝାମଣା ପ୍ରସଙ୍ଗରେ ଆସନ୍ତା ୫ତାରିଖରେ ବୈଠକ ଅନୁଷ୍ଠିତ ହେବ।

ତେବେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଗାମୀ ସାଧାରଣ ନିର୍ବାଚନରେ ସିପିଆଇକୁ ଆସିକା ଲୋକସଭା ସମେତ ବୌଦ,ଛତ୍ରପୁର ଓ ଚିତ୍ରକୋଣ୍ଡା ଆସନ ଛାଡ଼ିବାକୁ କଂଗ୍ରେସ ସମ୍ମତି ଦେଇଛି। ଅତିବେଶୀରେ କଂଗ୍ରେସ ଆଉ ଗୋଟିଏ ବିଧାନସଭା ଆସନ ଛାଡ଼ିବ ବୋଲି ସଙ୍କେତ ଦେଇଛି। ୪ରୁ ଅଧିକ ବିଧାନସଭା ଆସନ ଛାଡ଼ିବା ସପକ୍ଷରେ କଂଗ୍ରେସ ନଥିବା ରୋକଠୋକ୍ ଭାବେ ସିପିଆଇ ନେତୃବୃନ୍ଦଙ୍କୁ ଜଣାଇ ଦେଇଛି। ଆସନ୍ତାକାଲି ଏହି ପ୍ରସଙ୍ଗ ସିପିଆଇ ରାଜ୍ୟ କାର୍ଯ୍ୟକାରିଣୀରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

Related story