ବଢ଼ିବା ବେଳକୁ ଉଜାଡ଼ି ଦେଲା, ତଥାପି ଆଶା..

ପାରାଦୀପ(ରମାକାନ୍ତ ନାୟକ): ଲଗାଣ ବର୍ଷାରେ ମହାନଦୀ ଓ ପାଇକା ନଦୀରେ ଜଳସ୍ତର ବଢ଼ିବା ପରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ଶହ ଶହ ଏକର ଚାଷ ଜମି ବନ୍ୟା ପାଣିରେ ବୁଡି ରହିଛି। ଫଳରେ ପନିପରିବା ଠାରୁ ଆରମ୍ଭ କରି ଧାନ, ଚିନାବାଦାମ ଚାଷ ସବୁକିଛି ପଚିସଢ଼ି ନଷ୍ଟ ହେଉଛି। ଆଖି ଆଗରେ ଫସଲ ଉଜୁଡୁଥିବାର ଦେଖି ଚାଷୀ ଧୈର୍ଯ୍ୟହରା ହୋଇପଡ଼ିଛନ୍ତି। ଚଳିତ ବର୍ଷ ବିଳମ୍ବରେ ଫସଲ ଆରମ୍ଭ କରିଥିଲେ ଚାଷୀ। ଧାନ ଗଛ ଟିକିଏ ବଢ଼ିବା […]

jagasingpur

Jyoshna Pradhan
  • Published: Tuesday, 20 August 2019
  • , Updated: 20 August 2019, 12:49 PM IST

ପାରାଦୀପ(ରମାକାନ୍ତ ନାୟକ): ଲଗାଣ ବର୍ଷାରେ ମହାନଦୀ ଓ ପାଇକା ନଦୀରେ ଜଳସ୍ତର ବଢ଼ିବା ପରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ଶହ ଶହ ଏକର ଚାଷ ଜମି ବନ୍ୟା ପାଣିରେ ବୁଡି ରହିଛି। ଫଳରେ ପନିପରିବା ଠାରୁ ଆରମ୍ଭ କରି ଧାନ, ଚିନାବାଦାମ ଚାଷ ସବୁକିଛି ପଚିସଢ଼ି ନଷ୍ଟ ହେଉଛି। ଆଖି ଆଗରେ ଫସଲ ଉଜୁଡୁଥିବାର ଦେଖି ଚାଷୀ ଧୈର୍ଯ୍ୟହରା ହୋଇପଡ଼ିଛନ୍ତି।

ଚଳିତ ବର୍ଷ ବିଳମ୍ବରେ ଫସଲ ଆରମ୍ଭ କରିଥିଲେ ଚାଷୀ। ଧାନ ଗଛ ଟିକିଏ ବଢ଼ିବା ଆରମ୍ଭ ହେବା ବେଳକୁ ବନ୍ୟା ପାଣି ପଶି ସବୁ କିଛି ଉଜାଡ଼ି ଦେଲା। ବନ୍ୟା ପାଣିରେ ମିଶିଯାଇଛି ଧାନ, ଭେଣ୍ଡି, ଜହ୍ନି, କଲରା, କାକୁଡି ଆଦି ବହୁ ପରିବା ଗଛ। ସବୁକିଛି ଉଜୁଡ଼ି ପଡ଼ିଥିଲେ ବି କାଳେ କିଛି ରହିଯାଇଥିବ, ଏଇ ଆଶାରେ ଛାତିଏ ପାଣିରେ ପଶି ଫସଲକୁ ଖୋଜୁଛନ୍ତି ଚାଷୀ। ଯାହା ଟିକେ ରହିଯାଇଛି, ତାକୁ ବିକଳରେ ତୋଳି ଆଣୁଛନ୍ତି।

ସେହିପରି ନାସୀ ପଞ୍ଚାୟତରେ ଏସଏଚଜି ମହିଳାମାନେ ଜମି ଲିଜ୍‌ରେ ନେଇ ଋଣ କରି ବାଦାମ ଚାଷ କରିଥିଲେ। ହେଲେ ବନ୍ୟା ପାଣି ପଶିବା ଯୋଗୁ ବାଦାମ ଚାଷ ନଷ୍ଟ ହେବା ପରେ କେମିତି ଋଣ ଶୁଝିବେ କିଛି ଜାଣିପାରୁ ନାହାନ୍ତିା କ୍ଷୟକ୍ଷତିର ଆକଳନ କରି ଆବଶ୍ୟକ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି।

ଏନେଇ କୁଜଙ୍ଗ ବିଡିଓ କିଶୋରଚନ୍ଦ୍ର ସ୍ୱାଇଁ କହିଛନ୍ତି,“ ଫସଲ କ୍ଷୟକ୍ଷତି ଆକଳନ ପାଇଁ ହର୍ଟିକଲଚର୍ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିବା ପରେ ସରକାରଙ୍କ ନିର୍ଦ୍ଦେଶ ମୁତାବକ କ୍ଷତିପୂରଣ ଦିଆଯିବ।”

ଚାଷ ଜମିରୁ ଗାଁଗଣ୍ଡା ସବୁଠି କ୍ଷତି ପହଞ୍ଚାଇଛି ବନ୍ୟା। ପାଣି ଘେରରେ କିଏ ଘର ଦ୍ୱାର ହରାଇ ବାସହରା ହୋଇଛି ତ’ ଆଉ କିଏ ହରାଇଛି ବର୍ଷକର ପରିଶ୍ରମ।

Related story