ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ୍। ଏଥିପାଇଁ ଭୁବନେଶ୍ୱରରୁ ବାରବାଟୀ ଷ୍ଟାଡିୟମ ପର୍ଯ୍ୟନ୍ତ ୨ଟି ରୁଟ୍ରେ ସ୍ୱତନ୍ତ୍ର ଭାବେ ମୋ ବସ୍ ଚାଲିବ। କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ୍ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।
କ୍ରୁଟ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍ରୁ ରସୁଲଗଡ଼ ଦେଇ ବାରବାଟୀ ଷ୍ଟାଡିୟମ ପର୍ଯ୍ୟନ୍ତ ମୋ ବସ୍ ସେବା ଯୋଗାଇ ଦିଆଯିବ। ସେହିପରି ବରମୁଣ୍ଡାରୁ ପଟିଆ ଦେଇ ବାରବାଟୀ ଷ୍ଟାଡିୟମ ପର୍ଯ୍ୟନ୍ତ ମୋ ବସ୍ ସେବା ଯୋଗାଇ ଦିଆଯିବ। ଏହି ସେବା ପାଇଁ ମୋ ବସ୍ ଭଡ଼ା ୪୦ ଟଙ୍କା ରଖାଯାଇଥିବା ନେଇ ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ମ୍ୟାଚ୍କୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏନେଇ ଡିଜିପି ସୁନୀଲ କୁମାର ବଂଶଲଙ୍କ ଅଧ୍ୟକ୍ଷତାରେ ଆଜି ଏକ ସମୀକ୍ଷା ବୈଠକ ବସିଥିଲା। ଏଥିରେ ଅତରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଆର୍.କେ ଶର୍ମାଙ୍କ ସହିତ ଭୁବନେଶ୍ୱର-କଟକ ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ କଟକ ଡିସିପି ପିନାକ ମିଶ୍ର ଉପସ୍ଥିତ ଥିଲେ। ଖେଳର ସୁପରିଚାଳନା ପାଇଁ ୩ ଜଣ ଡିସିପି, ୭ ଜଣ ଅତିରିକ୍ତ ଡିସିପି, ୩୨ ଏସିପି, ୪୫ ଇନ୍ସପେକ୍ଟର, ୨୭୭ ଏସ୍ଆଇ/ଏଏସ୍ଆଇ, ୨୧ ଟ୍ରାଫିକ ହାବିଲଦାର, ୯୨ ଟ୍ରାଫିକ କନଷ୍ଟେବଲ, ୧୭୬ ଏପିଆର କନଷ୍ଟେବଲ, ୪୩ ମହିଳା କନଷ୍ଟେବଲ, ୧୭୧ ହୋମଗାର୍ଡ ଓ ୧୮୬ ସେକ୍ସନ ଫୋର୍ସ ମୁତୟନ କରାଯିବ ବୋଲି ଡିଜିପି ସୁନୀଲ କୁମାର ବଂଶଲଙ୍କୁ ଅବଗତ କରାଇଛନ୍ତି ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।
ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ଟି ଟ୍ୱେଣ୍ଟି କ୍ରିକେଟ୍ ମ୍ୟାଚ୍ ପାଇଁ ସ୍ୱତନ୍ତ୍ର ମୋ ବସ୍ ସେବା। ଏନେଇ ମାଷ୍ଟରକ୍ୟାଣ୍ଟିନ୍ରୁ ଭାୟା ରସୁଲଗଡ଼ ଏବଂ ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ପଟିଆ ରୋଡ଼୍ ଦେଇ କଟକ ବାରବାଟୀ ଷ୍ଟାଡ଼ିୟମ୍ ଯାଏ ଆପଣ ମୋ ବସ୍ରେ ଯାତ୍ରା କରିପାରିବେ ।#MoBusForBetterYou pic.twitter.com/oC38EgTwkL
— Capital Region Urban Transport (@CRUT_BBSR) June 10, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।