ଡାକ୍ତରୀ ଛାତ୍ରଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଲେ ଏସ୍‌ସିବି କର୍ତ୍ତୃପକ୍ଷ

କଟକ: ଏସ୍‌ସିବି ମେଡିକାଲରେ ଚାଲିଥିବା ଡାକ୍ତରୀ ଛାତ୍ରଙ୍କ ଆନ୍ଦୋଳନ ଆଜି ପ୍ରତ୍ୟାହୃତ ହୋଇଛି। ଏସ୍‌ସିବି ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କଠାରୁ ଲିଖିତ ପ୍ରତିଶ୍ରୁତି ପାଇବା ପରେ ଛାତ୍ରମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏସ୍‌ସିବି ମେଡିକାଲରେ ସିସିଟିଭି କ୍ୟାମେରା, ସୁରକ୍ଷା କର୍ମୀ ନିୟୋଜନ, ରାତିରେ କାର୍ଯ୍ୟରତ ଡାକ୍ତରଙ୍କ ସୁରକ୍ଷା, ମଙ୍ଗଳାବାଗ ଫାଟକ ଦେଇ ରୋଗୀ ଓ ଆମ୍ବୁଲାନ୍ସ ବ୍ୟତୀତ ସାଧାରଣ ଲୋକଙ୍କ ଗମନାଗମନକୁ ରୋକିବା, ୱାର୍ଡ ମଧ୍ୟକୁ ପ୍ରବେଶ ପାଇଁ ରୋଗୀଙ୍କ ସମ୍ପର୍କୀୟଙ୍କ ଲାଗି ପାସ୍ ବ୍ୟବସ୍ଥା ପ୍ରମୁଖ ଦାବି […]

scb medical college

Rakesh Mallick
  • Published: Saturday, 01 April 2017
  • , Updated: 01 April 2017, 09:36 PM IST

କଟକ: ଏସ୍‌ସିବି ମେଡିକାଲରେ ଚାଲିଥିବା ଡାକ୍ତରୀ ଛାତ୍ରଙ୍କ ଆନ୍ଦୋଳନ ଆଜି ପ୍ରତ୍ୟାହୃତ ହୋଇଛି। ଏସ୍‌ସିବି ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କଠାରୁ ଲିଖିତ ପ୍ରତିଶ୍ରୁତି ପାଇବା ପରେ ଛାତ୍ରମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି।

ଏସ୍‌ସିବି ମେଡିକାଲରେ ସିସିଟିଭି କ୍ୟାମେରା, ସୁରକ୍ଷା କର୍ମୀ ନିୟୋଜନ, ରାତିରେ କାର୍ଯ୍ୟରତ ଡାକ୍ତରଙ୍କ ସୁରକ୍ଷା, ମଙ୍ଗଳାବାଗ ଫାଟକ ଦେଇ ରୋଗୀ ଓ ଆମ୍ବୁଲାନ୍ସ ବ୍ୟତୀତ ସାଧାରଣ ଲୋକଙ୍କ ଗମନାଗମନକୁ ରୋକିବା, ୱାର୍ଡ ମଧ୍ୟକୁ ପ୍ରବେଶ ପାଇଁ ରୋଗୀଙ୍କ ସମ୍ପର୍କୀୟଙ୍କ ଲାଗି ପାସ୍ ବ୍ୟବସ୍ଥା ପ୍ରମୁଖ ଦାବି ନେଇ ଡାକ୍ତରୀ ଛାତ୍ରମାନେ କଲେଜ୍‌ ଅଧ୍ୟକ୍ଷ ଡାକ୍ତର ସିଦ୍ଧାର୍ଥ ଦାଶ, ଏସ୍‌ସିବି ମେଡିକାଲ ଅଧୀକ୍ଷକ ଡାକ୍ତର ଶ୍ୟାମା କାନୁନଗୋ ଓ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କ ଆଲୋଚନା କରିଥିଲେ। ମେଡିକାଲ କର୍ତ୍ତୃପକ୍ଷ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ମାର୍ଚ୍ଚ ୨୭ ତାରିଖ ବିଳମ୍ୱିତ ରାତିରେ ଜଗତସିଂହପୁର ଜିଲ୍ଲାର ଜଣେ ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟମାନେ ଡାକ୍ତରୀ ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା। ପରଦିନ ଡାକ୍ତରୀ ଛାତ୍ରମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ।

ଅଧ୍ୟକ୍ଷ ଡାକ୍ତର ସିଦ୍ଧାର୍ଥ ଦାଶ କହିଛନ୍ତି,“ପ୍ରତିମାସ ଶେଷ ଗୁରୁବାର ଡାକ୍ତରୀ ଛାତ୍ରଙ୍କ ସମସ୍ୟା ନେଇ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ। ମେଡିକାଲ ପରିସରରେ ଏବଂ ୱାର୍ଡରେ ବର୍ଷ ତମାମ ୩ ପ୍ଲାଟୁନ୍ ପୋଲିସ ମୁତୟନ ରହିବେ। ମେଡିକାଲ ପରିସରରେ ଅଧିକ ସଂଖ୍ୟକ ସିସିଟିଭି ଲଗାଯିବ।”

ପ୍ରଭାତ ରଂଜନ ବିଶ୍ୱାଳ କହିଛନ୍ତି,“ଡାକ୍ତରୀ ଛାତ୍ରଙ୍କୁ କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହିତ ଆଲୋଚନ କରାଯାଇ ୩ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି। ପରବର୍ତ୍ତୀ ସମୟରେ ଅନ୍ୟ ଦାବି ଗୁଡ଼ିକ ସ୍ଥାୟୀ ଭାବେ ସମାଧାନ କରାଯିବ।”

Related story