ସରି ଆସିଲାଣି ଖରା ଛୁଟି, ଫୋନି ପ୍ରଭାବିତ ଅଞ୍ଚଳରେ କେମିତି ହେବ ପାଠପଢ଼ା ?

ପୁରୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବାତ୍ୟା ଫୋନି ମାଡ଼ରେ ଉଜୁଡି ଯାଇଥିବା ଶିକ୍ଷା ଭିତ୍ତିଭୂମିକୁ ନେଇ ଚିନ୍ତା । ଆଉ ଦିନ କେଇଟା ପରେ ସ୍କୁଲ ଖୋଲିବାକୁ ଥିବା ବେଳେ ଭାଙ୍ଗି ଯାଇଇବା ଅନେକ ସ୍କୁଲ ଗୃହ ଏବେବି ଅଣ୍ଟାସଳଖି ଠିଆ ହୋଇପାରିନି । ସେପଟେ ସ୍କୁଲରେ ଆଶ୍ରୟ ନେଇଥିବା ଅନେକ ବାତ୍ୟା ବିପନ୍ନ ନିଜ ନିଜ ଗାଁକୁ ଫେରିନାହାଁନ୍ତି।  ତେଣୁ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଖରାଛୁଟି ପରେ ସ୍କୁଲ  ଖୋଲିପାରିବ ନା ନାହିଁ ତାକୁ  ନେଇ ସୃଷ୍ଟି ହୋଇଛି ଅନିଶ୍ଚିତତା […]

c-88

Tapas Behera
  • Published: Monday, 03 June 2019
  • , Updated: 03 June 2019, 09:03 PM IST

ପୁରୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବାତ୍ୟା ଫୋନି ମାଡ଼ରେ ଉଜୁଡି ଯାଇଥିବା ଶିକ୍ଷା ଭିତ୍ତିଭୂମିକୁ ନେଇ ଚିନ୍ତା । ଆଉ ଦିନ କେଇଟା ପରେ ସ୍କୁଲ ଖୋଲିବାକୁ ଥିବା ବେଳେ ଭାଙ୍ଗି ଯାଇଇବା ଅନେକ ସ୍କୁଲ ଗୃହ ଏବେବି ଅଣ୍ଟାସଳଖି ଠିଆ ହୋଇପାରିନି । ସେପଟେ ସ୍କୁଲରେ ଆଶ୍ରୟ ନେଇଥିବା ଅନେକ ବାତ୍ୟା ବିପନ୍ନ ନିଜ ନିଜ ଗାଁକୁ ଫେରିନାହାଁନ୍ତି।  ତେଣୁ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଖରାଛୁଟି ପରେ ସ୍କୁଲ  ଖୋଲିପାରିବ ନା ନାହିଁ ତାକୁ  ନେଇ ସୃଷ୍ଟି ହୋଇଛି ଅନିଶ୍ଚିତତା । ତେବେ ବର୍ଷା ଦିନ ପୂର୍ବରୁ ସ୍କୁଲ ଗୁଡିକରେ ସର୍ବନିମ୍ନ ବ୍ୟବସ୍ଥା କରିବାକୁ ଉଦ୍ୟମ କରାଯାଉଥିବା ମନ୍ତ୍ରୀ କହିଛନ୍ତି।

ସରି ଆସିଲାଣି ଖରା ଛୁଟି  ଦିନ କେଇଟା ପରେ ଖୋଲିବ ସ୍କୁଲ। ହେଲେ ଫୋନି ପ୍ରଭାବିତ ଅଞ୍ଚଳରେ କେମିତି ହେବ ପାଠପଢା ତାକୁ ନେଇ ଅନିଶ୍ଚିଚତା ଦେଖାଦେଇଛି। କାରଣ ଏବେବି ଅସଜଡ଼ା ସ୍ଥିତିରେ ରହିଛନ୍ତି ଭାଙ୍ଗି ରୁଜି ଯାଇଥିବା ଅଧିକାଂଶ ସ୍କୁଲ। କେଉଁଠି ସ୍କୁଲ ଘର ସଂପୂର୍ଣ୍ଣ ମାଟିରେ ମିଶିଯାଇଛି ତ’ ଆଉ କେଉଁଠି କାନ୍ଥ ତ ଛିଡ଼ା ହୋଇଛି, ହେଲେ ଛାତ ନାହିଁ ।

ପିଲାଙ୍କ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ଲାଗି ରୋଷେଇ ଘର ହେଉ କି, ସ୍କୁଲକୁ ସୁରକ୍ଷା ଦେଉଥିବା ପାଚେରୀ  ଯିଏ ଯେମିତି ଭାଙ୍ଗିଥିଲେ ସେମିତି ରହିଛନ୍ତି ।  ଏଭଳି ସ୍ଥିତିରେ ପାଠପଢ଼ାକୁ ନେଇ ଚିନ୍ତିତ ହୋଇପଡିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ଏପଟେ ବାତ୍ୟା କୋପରୁ ବର୍ତ୍ତିବା ଲାଗି ଅନେକ ବିପନ୍ନ ପରିବାରକୁ ସ୍କୁଲ ଘରେ ଆଶ୍ରୟ ଦେଇଥିଲା ପ୍ରଶାସନ।  ମାତ୍ର ବାତ୍ୟା ବାସହରା ସଜାଇ ଦେବା ପରେ ବହୁ ପରିବାର ଏବେବି ସ୍କୁଲ ଘରେ ରହୁଛନ୍ତି। ଘର ସଜାଡି ନଥିବାରୁ ସେମାନେ କେବେ ଭିଟାମାଟିକୁ ଫେରିବେ ତାହା ମଧ୍ୟ ସ୍ଥିର ନାହିଁ । ଏଣେ ଆଗକୁ ଆସୁଛି ବର୍ଷା  ମୌସୁମୀ ପାଖେଇ ଆସୁଥିବା ଶୁଣି ଲୋକଙ୍କ ଛାତି ଧଡ଼ପଡ଼ ।

ତେବେ ସ୍କୁଲଘର ଗୁଡ଼ିକର ମରାମତି ଲାଗି ବିଭାଗ ଓ୍ୱାରୀ ଦାୟିତ୍ୱ ଦିଆଯାଇଛି । ବର୍ଷା ଦିନ ପୂର୍ବରୁ ସର୍ବନିମ୍ନ ବ୍ୟବସ୍ଥା ସୁନିଶ୍ଚିତ କରିବା ନେଇ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି।

ଫୋନି ବାତ୍ୟା ଯିବାକୁ ମାସେ ପୁରିଲାଣି । ତେବେ ସ୍କୁଲ ମରାମତି ଓ ପୁନରୁଦ୍ଧାର କାମରେ ବିଶେଷ ଅଗ୍ରଗତି ହୋଇନାହିଁ । ଅନ୍ୟପକ୍ଷରେ କ୍ଷୟକ୍ଷତିର ବ୍ୟାପକତା ଦୃଷ୍ଟିରୁ ପ୍ରଶାସନିକସ୍ତରରେ ଯେଉଁ ତତ୍ପରତା ପ୍ରକାଶ ପାଇବା କଥା ଦେଖିବାକୁ ମିଳୁନି । ଏଣୁ ସ୍କୁଲ ଭିତ୍ତିଭୂମି କେବେ ସ୍ୱାଭାବିକ୍‌  ହେବ ?ଠିକ୍ ସମୟରେ ସ୍କୁଲ ଖୋଲି ପାଠପଢ଼ା ଆରମ୍ଭ ହୋଇପାରିବ ନା ନାହିଁ ତାକୁ ନେଇ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନେ  ଅନିଶ୍ଚିତତା ଭିତରେ ରହିଛନ୍ତି।

Related story