ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ଆସୁଥିବା ବାତ୍ୟା ‘ଜୱାଦ’ ଦୁର୍ବଳ ହୋଇଯାଇଛି। ଏହା ଗଭୀର ଅବପାତରେ ପରିଣତ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ୱିଟ୍ କରି ଏହି ସୂଚନା ଦେଇଛି।
ଏଥିରେ କୁହାଯାଇଛି, ଅପରାହ୍ନ ସାଢ଼େ ୫ଟାରେ ବାତ୍ୟା ‘ଜୱାଦ’ ଗଭୀର ଅବପାତରେ ପରିଣତ ହୋଇଛି। ଏହା ଏବେ ବିଶାଖାପାଟଣାରୁ ୧୮୦ କିମି ଓ ଗୋପାଳପୁରରୁ ୨୬୦ କିମି ଦୂରରେ ଅଛି। ସେହିପରି ପୁରୀ ଠାରୁ ୩୩୦ କିମି ଓ ପାରାଦୀପରୁ ୪୨୦ କିମି ଦୂରରେ ରହିଛି।
The Cyclonic Storm ‘JAWAD’ weakened into a Deep Depression at 1730 hrs IST of today, it is about 180 km east-southeast of Vishakhapatnam, 260 km south of Gopalpur , 330 km south-southwest of Puri and 420 km south-southwest of Paradip.
— Meteorological Centre, Bhubaneswar (@mcbbsr) December 4, 2021
ଏହି ସୂଚନା ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ପ୍ରଦୀପ ଜେନା କହିଛନ୍ତି, ଜୱାଦ ଓଡ଼ିଶା ଛୁଇଁନପାରେ ବୋଲି ଆଶା କରାଯାଉଛି। ଯଦି ପାଣିପାଗ ବିଭାଗର ଆକଳନ ଅନୁସାରେ ଏହା ଯାଏ, ତା’ହେଲେ ଓଡ଼ିଶା ଛୁଇଁ ନପାରେ। ଏହା ସହିତ ଆମକୁ ପ୍ରଭୁ ଜଗନ୍ନାଥ ରକ୍ଷା କରିବେ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଏହା ପୂର୍ବରୁ ଆଜି ଏସ୍ଆର୍ସି କହିଥିଲେ ଯେ କାଲି ମଧ୍ୟାହ୍ନ ବେଳକୁ ପୁରୀ ଉପକୂଳରେ ପହଞ୍ଚିବ ଜୱାଦ। ପୁରୀରେ ପହଞ୍ଚିଲା ବେଳକୁ ବାତ୍ୟାର ତୀବ୍ରତା କମିଯିବା ନେଇ ଆକଳନ କରାଯାଇଛି। ସେହିପରି ପୁରୀ ଛୁଇଁଲା ବେଳକୁ ପବନ ବେଗ ଘଣ୍ଟାପ୍ରତି ୬୦/୭୦ କିମି ରହିପାରେ। ପବନ କମିଲେ ବି ବର୍ଷା ହେବ ବୋଲି ସେ କହିଥିଲେ।
ଏସ୍ଆର୍ସି ଆହୁରି କହିଥିଲେ ଯେ ମାତ୍ର ଦେଢ଼ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି। ପ୍ରଭାବିତ ଜିଲ୍ଲାରେ ୩ଶହ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ନିଆଯାଇଛି। ବାତ୍ୟା ପ୍ରଭାବ ସରିବା କ୍ଷଣି ୭ ଦିନ ମଧ୍ୟରେ ଫସଲ କ୍ଷୟକ୍ଷତି ନେଇ ଆକଳନ କରାଯିବ।