ବାତ୍ୟାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ: ଏସ୍‌ଆର୍‌ସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ଏସଆରସି ପ୍ରଦୀପ କୁମାର ଜେନା। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ବାତ୍ୟା ରୂପରେଖ କ’ଣ ରହିବ ଓ ଏହା କେଉଁ ଦିଗକୁ ଯିବ, ତାହା ଏଯାଏ ସ୍ପଷ୍ଟ ହୋଇନି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବାତ୍ୟା ହେଲେ ତାହା ଓଡ଼ିଶା ଉପକୂଳ ଛୁଇଁ ନପାରେ।  ତେବେ ଏହା ପ୍ରଭାବରେ ଓଡ଼ିଶାରେ ବର୍ଷା ହେବା ସମ୍ଭାବନା ରହିଛି। ଆଉ ଏହାର ମୁକାବିଲା ପାଇଁ […]

pk-jena00

Niharika Rout
  • Published: Tuesday, 05 November 2019
  • , Updated: 05 November 2019, 02:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ଏସଆରସି ପ୍ରଦୀପ କୁମାର ଜେନା। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ବାତ୍ୟା ରୂପରେଖ କ’ଣ ରହିବ ଓ ଏହା କେଉଁ ଦିଗକୁ ଯିବ, ତାହା ଏଯାଏ ସ୍ପଷ୍ଟ ହୋଇନି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବାତ୍ୟା ହେଲେ ତାହା ଓଡ଼ିଶା ଉପକୂଳ ଛୁଇଁ ନପାରେ।  ତେବେ ଏହା ପ୍ରଭାବରେ ଓଡ଼ିଶାରେ ବର୍ଷା ହେବା ସମ୍ଭାବନା ରହିଛି। ଆଉ ଏହାର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି।

ଏସଆରସି କହିଛନ୍ତି, “ଭାରତୀୟ ପାଣିପାଗ ବିଭାଗର ଆଜି ସକାଳର ତଥ୍ୟ ଅନୁସାରେ, ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି। ସକାଳ ସାଢ଼େ ୫ଟା ବେଳେ ଏହା ପାରାଦୀପଠାରୁ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଥିଲା। ବାଂଲାଦେଶଠାରୁ ୧୦୦୦କିମି ଦୂରରେ ରହିଛି। ଆସନ୍ତା ୧୨ ଘଣ୍ଟା ଭିତରେ ଏହା ଡିପ୍ ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି ଏବଂ ୨୪ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇପାରେ। ତେବେ ଏହାର ରୂପରେଖ କ’ଣ ରହିବ ଓ ଏହା କେଉଁ ଦିଗକୁ ଗତି କରିବ ଏନେଇ କୌଣସି ସ୍ପଷ୍ଟ ସୂଚନା ଆସିନି। ୮ ତାରିଖ ଆଡ଼କୁ ଉପକୂଳବର୍ତ୍ତୀ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ହୋଇପାରେ।”

ସେ ଆହୁରି କହିଛନ୍ତି, “ଅବପାତ ଯେତେବେଳେ ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେବ ପ୍ରାୟତଃ ଏହା ଓଡ଼ିଶା ଉପକୂଳକୁ ନ ଛୁଇଁପାରେ। ବର୍ତ୍ତମାନର ଯାହା ସ୍ଥିତି ଜଣାପଡ଼ୁଛି, ଏହା ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଆଡ଼କୁ ମୁହାଁଇବ। ଯଦି ବାତ୍ୟା ଓଡ଼ିଶା ଉପକୂଳକୁ ଛୁଇଁବ ତେବେ ଖବର ମିଳିବା ମାତ୍ରେ ଯଥାଶୀଘ୍ର ଲୋକଙ୍କୁ ସବିଶେଷ ସୂଚନା ଦିଆଯିବ। ତେଣୁ ଏବେଠୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ।”

ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ଏସ୍‌ଆର୍‌ସି କହିଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ନେଇ ଆଡଭାଇଜରି ଜାରି ହୋଇଛି। ୧୫ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ଚିଠି ଲେଖାଯାଇଛି। ଏହି ଜିଲ୍ଲାଗୁଡିକ ହେଲା- ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ପୁରୀ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୂଆପଡ଼ା ଓ ମାଲକାନଗିରି।

 

Related story