ଏଥର ବାତ୍ୟାର ନାଁ ‘ସିତ୍ରାଙ୍ଗ’, ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲେଣି ରାଜ୍ୟ ସରକାର

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଅକ୍ଟୋବରରେ ରାଜ୍ୟକୁ ଘାରିଲାଣି ବାତ୍ୟା ଭୟ। ବଙ୍ଗୋପସାଗରରେ  ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପ ଓ ୨୨ ତାରିଖ  ସୁଦ୍ଧା ଅବପାତରେ ପରିଣତ ହୋଇପାରେ । ଅବପାତ ଘନୀଭୂତ ହୋଇ ବାତ୍ୟା ରୂପ ନେବା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ତେବେ ଏହି ବାତ୍ୟାର ନାଁ ରହିବ ‘ସିତ୍ରାଙ୍ଗ’ । ଏଥର ଥାଇଲାଣ୍ଡ ଏହି ବାତ୍ୟାର ନାମକରଣ କରିଛି । ତେବେ ଏଯାଏ ବାତ୍ୟାର ଚିତ୍ର ସ୍ପଷ୍ଟ ହୋଇପାରି […]

sitrang

  • Published: Wednesday, 19 October 2022
  • , Updated: 19 October 2022, 11:07 AM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଅକ୍ଟୋବରରେ ରାଜ୍ୟକୁ ଘାରିଲାଣି ବାତ୍ୟା ଭୟ। ବଙ୍ଗୋପସାଗରରେ  ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପ ଓ ୨୨ ତାରିଖ  ସୁଦ୍ଧା ଅବପାତରେ ପରିଣତ ହୋଇପାରେ । ଅବପାତ ଘନୀଭୂତ ହୋଇ ବାତ୍ୟା ରୂପ ନେବା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ତେବେ ଏହି ବାତ୍ୟାର ନାଁ ରହିବ ‘ସିତ୍ରାଙ୍ଗ’ । ଏଥର ଥାଇଲାଣ୍ଡ ଏହି ବାତ୍ୟାର ନାମକରଣ କରିଛି ।

ତେବେ ଏଯାଏ ବାତ୍ୟାର ଚିତ୍ର ସ୍ପଷ୍ଟ ହୋଇପାରି ନ ଥିବା ବେଳେ ଏହା କେଉଁ ଦିଗରେ ଗତି କରିବ, ତାହାର ତୀବ୍ରତା କେତେ ରହିବ, କେଉଁଠି ଲ୍ୟାଣ୍ଡଫଲ୍‌ କରିବ ତାହା ସ୍ପଷ୍ଟ ହୋଇପାରିନି । ଆସନ୍ତା ୨୪ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏହା ସମ୍ଭାବ୍ୟ ବାତ୍ୟା ରୂପ ନେବା ଆକଳନ କରୁଛି ଆଇଏମଡି । ତେବେ ୨୩ ତାରିଖ ସକାଳ ଯାଏଁ ରାଜ୍ୟରେ ବଡ ବର୍ଷାର ସମ୍ଭାବନା ନ ଥିବାରୁ ପାଣିପାଗ ବିଭାଗ  ସ୍ପଷ୍ଟ କରିଛି ।

ସେପଟେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏନେଇ ଗତକାଲି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି । ସମ୍ଭାବ୍ୟ ବାତ୍ୟା ଦ୍ୱାରା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏସଆରସି ଉପକୂଳବର୍ତ୍ତିୀ ଜିଲ୍ଲା ଗୁଡ଼ିକର ଜିଲ୍ଲା ପ୍ରଶାସନ ସହିତ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ଆଲୋଚନା ମଧ୍ୟ କରିଛନ୍ତି । ତାସହ ଅଧିକାରୀମାନଙ୍କୁ ହେଡକ୍ୱାର୍ଟର ନ ଛାଡ଼ିବାକୁ ପରାମର୍ଶ ଦିଆଯାଇଥିବା ସୂଚନା ଦେଇଛନ୍ତି ଓସଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜ୍ଞାନ ଦାସ ।

ଆସନ୍ତା ୨୨ ତାରିଖରୁ ପଶ୍ଚିମ-କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳର ଗଭୀର ସମୁଦ୍ର ଭାଗରେ ଝଡ଼-ପବନ ଘଣ୍ଟା ପ୍ରତି ବେଗ ୪୫ ରୁ ୫୫ କିମି ସହ ସର୍ବାଧିକ ବା ଝଟକା ପବନ ୬୫ କିମି ଯାଏଁ ବହିବାର ସମ୍ଭାବନା ରହିଛି। ଉକ୍ତ ସମୟରେ ସମୁଦ୍ର ଅଶାନ୍ତ ରହିବ  । ତେଣୁ ୨୨ ଅକ୍ଟୋବରରୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ଯିବାକୁ ମନା  କରାଯାଇଛି।

ଚଳିତ ବର୍ଷରେ ମୌସୁମୀ ଅପସାରଣ ପରବର୍ତ୍ତୀ ଏହା ପ୍ରଥମ ବାତ୍ୟା ହେବ ।  ୨୦୧୮ ପରେ ଅକ୍ଟୋବାର ମାସରେ ମଧ୍ୟ ପ୍ରଥମ ଥର ବାତ୍ୟା ହେବାକୁ ଯାଉଛି ।  ସେହିଭଳି ବଙ୍ଗୋପସାଗରରେ ଚଳିତ ବର୍ଷର ଏହି ଦ୍ୱିତୀୟ ସାମୁଦ୍ରିକ ଝଡ଼ ତେବେ ସମ୍ଭାବ୍ୟ ବାତ୍ୟାର ନାଁ ନେଇ କୌଣସି ଘୋଷଣା କରିନି ଆଇଏମ୍‌ଡି ।  ଏହାପୂର୍ବରୁ ଗତ ମେ ମାସରେ ବାତ୍ୟା ‘ଅସାନୀ’ ସଂଘଟିତ ହୋଇଥିଲା ।

ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ୨୨ତାରିଖ ପରେ ଅବପାତଟି ବାତ୍ୟାର ରୂପ ନେଇପାରେ । ତେବେ ବାତ୍ୟାଟି କେଉଁ ରାଜ୍ୟ ଦେଇ ଯିବ ନା ଯିବ, ତା’ର ପୂର୍ବାନୁମାନ ହୋଇନି । ଲଘୁଚାପରେ ପରିଣତ ହେଲା ପରେ ହିଁ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରିବ । ଲଘୁଚାପ ବା ଅବପାତ ପରେ ହିଁ ବାତ୍ୟାର ଗତିପଥ ସ୍ପଷ୍ଟ ହେବ । ୨୨ତାରିଖରେ ବାତ୍ୟା ରୂପ ନେଲାବେଳକୁ ଏହା ସମୁଦ୍ର ଭିତରେ ଥିବ । ଏହା କେଉଁ ଦିଗରେ ଯିବ, ତୀବ୍ରତା କେତେ ରହିବା ତା’ର ପୂର୍ବାନୁମାନ ହୋଇନି ।

Related story