ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବାତ୍ୟା ତିତ୍ଲି ଶେଷରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇ ସାରିଛି। ଧୀରେ ଧୀରେ ଏହା ଉଗ୍ରରୂପ ଧାରଣ କରୁଛି। ଏହା ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଅଭିମୁଖେ ଗତି କରୁଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ୍ରେ କୁହାଯାଇଛି। ବର୍ତ୍ତମାନ ଏହି ତିତ୍ଲିର ଗତିବିଧି ଉପକୂଳ ତଥା ବିଶାଖାପଟନମ, ଗୋପାଳପୁର, ପାରାଦୀପ୍ରେ ଥିବା ଡପ୍ଲର ରାଡାର ନଜରକୁ ଆସିଯାଇଛି। ବାତ୍ୟାର ଗତିବିଧି ସମ୍ପର୍କରେ ରାଡାର ମାଧ୍ୟମରେ ନିରୀକ୍ଷଣ କରାଯାଉଛି।
ବର୍ତ୍ତମାନ 'ତିତଲି' ଗୋପାଳପୁରଠାରୁ ୨୩୦ ଏବଂ କଳିଙ୍ଗପଟନମ୍ ଠାରୁ ୧୯୦ କିମି ଦୂରରେ ରହିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଅଧିକ ଭୟଙ୍କର ହୋଇପାରେ। ଏହି ବାତ୍ୟା ଆସନ୍ତାକାଲି ଗୋପାଳପୁର ଏବଂ କଳିଙ୍ଗପଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବ । ତଏହାପରେ ବାତ୍ୟା କ୍ରମଶଃ ଦୁର୍ବଳ ହୋଇ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଦେଇ ପଶ୍ଚିମବଙ୍ଗ ଛୁଇଁପାରେ ବୋଲି ଆଇଏମ୍ଡି ପକ୍ଷରୁ ଆକଳନ କରାଯାଇଛି।ବ
ଏହାର ପ୍ରଭାବରେ ଅତିପ୍ରବଳ ବର୍ଷା ହେବା ସହ ପବନର ବେଗ ୧୪୦ରୁ ୧୫୦ ଓ ଅତିବେଶୀରେ ୧୬୦ କିମି ପର୍ଯ୍ୟନ୍ତ ରହିପାରେ। ଏହାର ପ୍ରଭାବରେ ଆନ୍ଧ୍ରର ବିଶାଖାପାଟନମ, ବିଜୟନଗରମ୍, ଶ୍ରୀକାକୁଲମ ଏବଂ ଓଡ଼ିଶାର ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀ ଜିଲ୍ଲା ପ୍ରତି ଅଧିକ ବିପଦ ରହିଛି।
ସେହିପରି ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳକୁ ୧ ମିଟର ଉଚ୍ଚର ସମୁଦ୍ର ଜୁଆର ଆସିବ। ସେଥିପାଇଁ ସମସ୍ତ ବନ୍ଦରଗୁଡ଼ିକରେ ୪ ନମ୍ବର ବିପଦ ସଂକେତ ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।