ଭୁଲ ଜାଗାରେ ହାତ ମାରିଦେଲେ ଆଇଆଇସି

କଟକ(ଓଡ଼ିଶା ରିପୋର୍ଟର): ଚୋର ଧରୁଥିବା ଡିଣ୍ଡିମ ପିଟୁଥିବା ପୁଲିସ ନିଜେ ଚୋର ସାଜିଛି। ଯାହାର ପୁଣି ଏକ ଚିତ୍ର ସାମ୍ନାକୁ ଆସିଛି। କଟକରେ ବଟି ଆଦାୟ କରୁଛି କମିସନରେଟ ପୁଲିସ। ବାଲିଯାତ୍ରାରେ ଜାଗା ଲିଜ୍ ନେଇ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ଠାରୁ ଜୋରଜବରଦସ୍ତ ବଟି ଆଦାୟ କରୁଛନ୍ତି କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ସବ ଇନ୍ସପେକ୍ଟର ମୋତିଲାଲ ମାରାଣ୍ଡି। ବଟି ନଦେଲେ ବ୍ୟବସାୟୀଙ୍କ ବିରୋଧରେ ମିଛ କେସ କରିବାକୁ ଧମକ ଦେଉଛନ୍ତି। କେବଳ ଏତିକି […]

iic

  • Published: Monday, 21 November 2022
  • , Updated: 21 November 2022, 07:19 PM IST

କଟକ(ଓଡ଼ିଶା ରିପୋର୍ଟର): ଚୋର ଧରୁଥିବା ଡିଣ୍ଡିମ ପିଟୁଥିବା ପୁଲିସ ନିଜେ ଚୋର ସାଜିଛି। ଯାହାର ପୁଣି ଏକ ଚିତ୍ର ସାମ୍ନାକୁ ଆସିଛି। କଟକରେ ବଟି ଆଦାୟ କରୁଛି କମିସନରେଟ ପୁଲିସ। ବାଲିଯାତ୍ରାରେ ଜାଗା ଲିଜ୍ ନେଇ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ଠାରୁ ଜୋରଜବରଦସ୍ତ ବଟି ଆଦାୟ କରୁଛନ୍ତି କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ସବ ଇନ୍ସପେକ୍ଟର ମୋତିଲାଲ ମାରାଣ୍ଡି। ବଟି ନଦେଲେ ବ୍ୟବସାୟୀଙ୍କ ବିରୋଧରେ ମିଛ କେସ କରିବାକୁ ଧମକ ଦେଉଛନ୍ତି। କେବଳ ଏତିକି ନୁହେଁ ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରୁଛନ୍ତି। କମିଶନରେଟ ପୁଲିସର ଏହି ଦୁଇ ବାବୁଙ୍କ ବଟି ମାଗିବା ଭିଡ଼ିଓ ଉପସ୍ଥାପିତ କରିଛି ବିଜେପି। ଯାହା ପରେ କମିଶନରେଟ ପୁଲିସ ଓ ଏହାର ଅଧିକାରୀମାନଙ୍କ ଅସଲ ମୁଖା ଖୋଲିଛି।

ଉଭୟ ପୁଲିସ ଅଧିକାରୀଙ୍କୁ ବହିଷ୍କାର କରିବା ସହ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ। ଆଜି କଟକରେ ପ୍ରେସମିଟ କରି ଏହି ଭିଡିଓ ସେ ଦେଖାଇଛନ୍ତି। ଭିଡିଓରେ ବାଇକ୍ ଷ୍ଟାଣ୍ଡ ଲିଜ୍‌ଧାରୀଙ୍କୁ ବଟି ମାଗୁଛନ୍ତି ଆଇଆଇସି। ପାଖରେ ଅଛନ୍ତି ପୁଲିସ ବିଭାଗର ଅନ୍ୟ ଅଧିକାରୀ ଓ କର୍ମଚାରୀ। ୫୦ ହଜାର ଦେବାକୁ ଡିଲ୍ ହୋଇଥିଲେ ବି କିଛି କମାଇବାକୁ କହୁଛନ୍ତି ଲିଜ୍‌ଧାରୀ। ୨ ଲକ୍ଷ ଟଙ୍କା ଲସ୍ ହୋଇଥିବାରୁ କିଛି କମାନ୍ତୁ ବୋଲି ନେହୁରା ହେଉଛନ୍ତି ଲିଜଧାରୀ। ଏହି ସମୟରେ ଲିଜ୍‌ଧାରୀଙ୍କୁ ଅଶ୍ରାବ୍ୟ ଗାଳି କରି ଗିରଫ କରିବେ କହୁଛନ୍ତି ଆଇଆଇସି।

ସ୍ମୃତି ପଟ୍ଟନାୟକ କହିଛନ୍ତି, ପୁଲିସ ଚୋର ଜଗୁଛି ନା ଚୋର ନିଜେ ପୁଲିସ ସାଜୁଛି ଏଠାରେ ଏହା ପ୍ରଶ୍ନ ସୃଷ୍ଟି କରିଛି। କମିଶନରେଟ ପୁଲିସ ଭୁଲ ଜାଗାରେ ହାତ ମାରିଦେଇଛି। କାରଣ ବିଜେପି ରାଜ୍ୟ ଯୁବ ମୋର୍ଚ୍ଚାର ଯୁବ ସଂଯୋଜକ ସ୍ମୃତି ରଞ୍ଜନ ମିଶ୍ର ବାଲିଯାତ୍ରାରେ ପାର୍କିଂ ସ୍ଥାନ ଲିଜ୍ ନେଇଥିଲେ। ତାଙ୍କୁ କମିଶନରେଟ ପୁଲିସର ଅଧିକାରୀ ୫୦ ହଜାର ଟଙ୍କା ବଟି ମାଗିଛନ୍ତି। ଥାନାକୁ ବାରମ୍ବାର ଡକାଇ ଧମକ ଦେଇଛନ୍ତି। ଷ୍ଟାଣ୍ଡରୁ ଗାଡ଼ି ଚୋରି କରି ନେଇ ମିଛ ମକଦମାରେ ଫେଇଦେବେ ବୋଲି ଖୋଦ୍ ଥାନା ଆଇଆଇସି ଧମକ ଦେଇଛନ୍ତି। ଗାଡ଼ି ପାଇଁ ଲକ୍ଷେ ଟଙ୍କା ସହ ୫୦ ହଜାର ଟଙ୍କା ବଟି ଦେବାକୁ ପଡ଼ିବ ବୋଲି ଖୁଲମ ଖୁଲା କହିଥିଲେ। ଏହି ଦାଦା ବଟି ଆଦାୟ ପଛରେ କମିଶନରେଟ ପୁଲିସର ଏହି ଆଇଆଇସିଙ୍କ ସହ ଅନ୍ୟ କେଉଁ ଡିସିପି, ଏସିପି ଓ ଉଚ୍ଚ ଅଧିକାରୀ ସାମିଲ ଅଛନ୍ତି ମୋ ସରକାର ଚଲାଉଥିବା ନବୀନ ପଟ୍ଟନାୟକ କ୍ଲିୟର କରନ୍ତୁ। କାରଣ ଓଡ଼ିଶାର ଗୌରବ ଐତିହାସିକ ବାଲିଯାତ୍ରାରେ ଜଣେ ଥାନା ଅଧିକାରୀ ଅନ୍ୟ କାହାରି ସହଯୋଗରେ ଏଭଳି ଭାବେ ଦାଦବଟି ଆଦାୟ କରିବା ନିମନ୍ତେ ଏତେ ସାହାସ ଦେଖାଇବା, ଅନ୍ୟମାନଙ୍କ ସମ୍ପୃକ୍ତି ରହିଥିବା ସନ୍ଦେହ ସୃଷ୍ଟି କରିଛି। ଏହି ଥାନା ଅଧିକାରୀ ଦାଦାବଟି ଆଦାୟ ନିମନ୍ତେ ମେଣ୍ଟେନ୍ କରୁଥିବା ନୀଳ ଡାଇରୀର ଖୁଲାସ ନିମନ୍ତେ ସ୍ୱତନ୍ତ୍ର ତଦନ୍ତ କରାଯାଉ। ଏନେଇ ଡିଜିଙ୍କୁ ଭେଟି ଅଭିଯୋଗ କରାଯାଇଥିବା ମଧ୍ୟ ସ୍ମୃତି ପଟ୍ଟନାୟକ ସୂଚନା ଦେଇଛନ୍ତି।

ପାର୍କିଂ ଲିଜ୍ ନେଇଥିବା ସ୍ମୃତି ରଞ୍ଜନ ମିଶ୍ର କହିଛନ୍ତି, ତାଙ୍କୁ ଏହି ପାର୍କିଂ ବ୍ୟବସାୟ କରିବା ନିମନ୍ତେ ଆଇଆଇସି ଓ ପୁଲିସ କର୍ମଚାରୀମାନେ ୫୦ ହଜାର ଟଙ୍କା ବଟି ମାଗିଥିଲେ। ଏତେ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ଆଇଆଇସି ପହଞ୍ଚି ଧମକଚମକ ଦେଇ ଗାଡ଼ି ଚୋରି ମାମଲାରେ ଫସାଇ ଦେବାକୁ କହିଥିଲେ। ଏହି ଧମକକୁ ବେଖାତିର କରିବାରୁ ତାଙ୍କ ଷ୍ଟାଣ୍ଡକୁ କିପରି ଗାଡ଼ି ନ ଆସିବ, ସେଥିନିମନ୍ତେ ବ୍ଲକିଂ କରି ଗାଡ଼ିଗୁଡ଼ିକୁ ଅନ୍ୟ ଆଡକୁ ପଠାଇ ଦିଆଗଲା। ଏହା ପରଦିନ ଆଇଆଇସି ପହଞ୍ଚି ଧମକ ଦେବାରୁ ସେ ୨୦ ହଜାର ଟଙ୍କା ଦେଇଥିଲେ। ବ୍ୟବସାୟରେ ଲାଭ ହୋଇ ନ ଥିବାରୁ ଆଉ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରାଯାଇଥିଲା। ହେଲେ ବାକି ୩୦ ହଜାର ଟଙ୍କା ଦେବାକୁ ବାକି ରହିଲା ବୋଲି ଆଇଆଇସି କହିବା ସହ ତାଙ୍କ ନୀଳ ଡାଇରୀରେ ଲେଖି ରଖିଥିଲେ। ତାଙ୍କ ଭଳି ଅନେକ ବ୍ୟବସାୟୀଙ୍କ ଠାରୁ ଦାଦାବଟି ଆଦାୟ କରାଯାଇଥିଲା। କିଏ କେତେ ଟଙ୍କା ଦାଦାବଟି ଦେଲା ଓ କେତେ ଟଙ୍କା ବାକି ରହିଲା, ସେ ସବୁକୁ ନୀଳ ଡାଇରୀରେ ଟିପି ରଖୁଥିଲେ ଆଇଆଇସି। ଯିଏ ଦାଦା ବଟି ଦେଉ ନ ଥିଲା, ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ଧମକଚମକ ଦିଆଯାଉଥିଲା। ଯାହାର ଭିଡିଓ ସେ କରିଥିଲେ। ତେବେ ବ୍ୟବସାୟରେ ହାନୀ ଆଶଙ୍କା କରି ଏହି ସମୟରେ ସେ ଚୁପ୍ ରହିଥିଲେ। ପରେ ଏନେଇ ଖୁଲାସା କରିବେ ବୋଲି ମନସ୍ଥ କରିଥିଲେ। ଯାହାକୁ ଏବେ ଗଣମାଧ୍ୟମ ଆଗରେ ରଖି ତଦନ୍ତ ଓ ଉଚିତ କାର୍ଯ୍ୟାନୁଷ୍ଠାନ ଦାବି କରୁଥିବା ସ୍ମୃତି ରଞ୍ଜନ ମିଶ୍ର କହିଛନ୍ତି।

[caption id="attachment_783239" align="aligncenter" width="650"] ବିଜେପି ପ୍ରେସ୍ ମିଟ କରି ଅଭିଯୋଗ।[/caption]

ତେବେ ବିଜେପିର ଅଭିଯୋଗ ନେଇ IIC ଦୀନକୃଷ୍ଣ ମିଶ୍ର କିମ୍ବା ସବ ଇନ୍ସପେକ୍ଟର ମୋତିଲାଲ ମାରାଣ୍ଡିଙ୍କ ପ୍ରତିକ୍ରିୟା ମିଳିନି। କମିଶନରେଟ ପୁଲିସର ବଡ଼ବାବୁମାନେ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

ତେଣୁ ଦେଖିବାର କଥା ଦାଦାବଟି ଆଦାୟ ଦଣ୍ଡନୀୟ ଅପରାଧ ବୋଲି ଦର୍ଶାଇ ଏଭଳି ଅପରାଧ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଥିବା ସରକାର ଓ ଗୃହ ବିଭାଗ ଅପରାଧ ଘଟାଇଥିବା ପୁଲିସ ବାବୁମାନଙ୍କ ବିରୋଧରେ କି ପଦକ୍ଷେପ ନେଉଛି। ଏହି ଦାଦାବଟି ଆଦାୟରେ କେଉଁ ପୁଲିସ ଅଧିକାରୀଙ୍କ ସମ୍ପୃକ୍ତି ରହିଛି ତାହାର ତଦନ୍ତ କରାଯାଇ ସତ୍ୟାସତ୍ୟ ପର୍ଦ୍ଦାଫାସ୍ କରାଯାଉଛି, ନା ଫାଇଲ୍‌ ତଳେ ଅପରାଧ ଘଟାଉଥିବା ବାବୁଙ୍କ ଚେହେରାକୁ ଲୁଚାଇ ଦିଆଯାଉଛି।

Related story