ବିଜେପି ଛାଡ଼ିଲେ ଦାମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ଧରି ଯାହା ଆଶଙ୍କା କରାଯାଉଥିଲା, ତାହା ହୋଇଛି। ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳର ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡାଙ୍କ ପାଖକୁ ପଠାଇ ଦେଇଛନ୍ତି। ଦଳ ତାଙ୍କୁ ଆଉ ଆବଶ୍ୟକ କରୁ ନଥିବା ଅଭିଯୋଗ କରି ସେ ଇସ୍ତଫା ଦେଇଛନ୍ତି। ତେବେ ଦଳ କିମ୍ବା ନେତୃତ୍ୱଙ୍କ ବିରୋଧରେ ତାଙ୍କର କୌଣସି ଅସୂୟା ବା […]

draut

Jitendra Garnayak
  • Published: Wednesday, 16 October 2019
  • , Updated: 16 October 2019, 11:07 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ଧରି ଯାହା ଆଶଙ୍କା କରାଯାଉଥିଲା, ତାହା ହୋଇଛି। ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳର ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡାଙ୍କ ପାଖକୁ ପଠାଇ ଦେଇଛନ୍ତି। ଦଳ ତାଙ୍କୁ ଆଉ ଆବଶ୍ୟକ କରୁ ନଥିବା ଅଭିଯୋଗ କରି ସେ ଇସ୍ତଫା ଦେଇଛନ୍ତି। ତେବେ ଦଳ କିମ୍ବା ନେତୃତ୍ୱଙ୍କ ବିରୋଧରେ ତାଙ୍କର କୌଣସି ଅସୂୟା ବା ଅଭିଯୋଗ ନାହିଁ ବୋଲି ସେ କହିଛନ୍ତି।

ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରରେ ଦାମ ଲେଖିଛନ୍ତି, “ଗତ ସାଧାରଣ ନିର୍ବାଚନ ପରେ ଭାରତୀୟ ଜନତା ପାର୍ଟିର ଦଳୀୟ କାର୍ଯ୍ୟକ୍ରମ କିମ୍ବା  ନୀତି ନିଷ୍ପତ୍ତି ପ୍ରକ୍ରିୟାରେ ମୋ ଉପସ୍ଥିତି ବା ସଂପୃକ୍ତି ଆଦୌ ଆବଶ୍ୟକ ହେଉ ନଥିବା ମୁଁ ଅନୁଭବ କରୁଛି। ଏହା ମୋ ଭିତରେ ଗଭୀର ମାନସିକ ଅସନ୍ତୁଳନ ସୃଷ୍ଟି  କରିଛି। ରାଜ୍ୟ ବିଧାନସଭାରେ ୩୫ ବର୍ଷ ବିଧାୟକ ଏବଂ ପ୍ରାୟ ୬ ଥର କ୍ୟାବିନେଟ୍‌ ମନ୍ତ୍ରୀ ଭାବରେ କାର୍ଯ୍ୟ କଲା ପରେ ଏବେ ମୋର ଅଲୋଡ଼ା ଓ ଅନାବଶ୍ୟକ ସ୍ଥିତି ସକ୍ରିୟ ନିର୍ବାଚନ ରାଜନୀତିରୁ ସଂପୂର୍ଣ୍ଣ ଅବ୍ୟାହତି ନେବା ପାଇଁ ବାଧ୍ୟ କରୁଛି।”

ସେ ଲେଖିଛନ୍ତି, “ପରିଣତ  ବୟସରେ ଦଳୀୟ ନିର୍ବାଚନ ରାଜନୀତିରେ ନିଜକୁ ସଂଶ୍ଳିଷ୍ଟ ନକରି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଜଣେ ଉତ୍ସର୍ଗୀକୃତ ଅନୁଗତ ଭାବରେ ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ରଚନାତ୍ମକ କାର୍ଯ୍ୟକଳାପରେ ଅବଶିଷ୍ଟ ଜୀବନ ବିତାଇବା ପାଇଁ ମୁଁ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରୁଛି।”

ଦାମଙ୍କ ଇସ୍ତଫା ପରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, “ଆମ ଦଳରେ ସମସ୍ତେ ସମାନ। କାହାକୁ ଅଣଦେଖା କରାଯାଏନି। କାହାକୁ ବେଶି ସମ୍ମାନ ମିଳେନି କି କାହାକୁ କମ୍ ସମ୍ମାନ ମିଳେନି। ବିଜେପିରେ ସମସ୍ତେ ନେତା ଆଉ କାର୍ଯ୍ୟକର୍ତ୍ତା। ପ୍ରଧାନମନ୍ତ୍ରୀ ମଧ୍ୟ ନିଜେ ନେତା ଆଉ କାର୍ଯ୍ୟକର୍ତ୍ତା। ବିଜେପିରେ ସମସ୍ତଙ୍କ ମତାମତକୁ ନେଇ ନିଷ୍ପତ୍ତି ହୁଏ।”

ଅନ୍ୟପକ୍ଷରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, “ସେ ଜଣେ ସମ୍ମାନୀୟ ତଥା ବର୍ଷୀୟାନ ରାଜନେତା। ଜଣେ ଅଭିଜ୍ଞ ନେତା ହିସାବରେ ସେ ଭାବିଚିନ୍ତି ନିଷ୍ପତ୍ତି ନେଇଛନ୍ତି। ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ଏଥିରେ କିଛି କହିବାର ନାହିଁ।”

ସୂଚନାଯୋଗ୍ୟ, ବିଜେଡିରୁ ବହିଷ୍କୃତ ହେବା ପରେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ଦାମୋଦର ରାଉତ ବିଜେପିରେ ସାମିଲ ହୋଇଥିଲେ। ନିର୍ବାଚନ ସମୟରେ ଦଳ ତାଙ୍କୁ ପ୍ରଚାର କମିଟିର ଆବାହକ ଭାବରେ ସ୍ୱତନ୍ତ୍ର ଦାୟିତ୍ୱ ଦେଇଥିଲା। ତା’ ସହିତ ସେ ଦଳୀୟ ଟିକେଟ୍‌ରେ ବାଲିକୁଦ-ଏରସମା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ତେବେ ସେ ହାରି ଯାଇଥିଲେ।

 

Related story