ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଭାବରୁ ନଷ୍ଟ ହେଲା ସ୍ୱଭାବ। ଅଭାବରୁ ମୁକୁଳିବାକୁ ବାଛିଥିଲେ ଶର୍ଟ-କଟ୍ ବାଟ। ହେଲେ ତାହା ମହଙ୍ଗା ପଡ଼ିଲା। ଫେଲ୍ ମାରିଗଲା ସବୁ ଯୋଜନା। ଶେଷରେ ବନ୍ଧା ହେଲେ ରୂପେଶ ପଣ୍ଡା ଓ ତାଙ୍କ ସହଯୋଗୀ ସଞ୍ଜୟ ପଣ୍ଡା। ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ମା’ ଓ ଝିଅଙ୍କ ଉପରକୁ ହୋଇଥିବା ଛୁରା ମାଡ଼ ଘଟଣାର ପର୍ଦ୍ଦାଫାସ କରି ଏହା ପଛର କାହାଣୀ କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।
ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ପ୍ରେସମିଟ୍ରେ ଦେଇଥିବା ସୂଚନା ଅନୁଯାୟୀ, ରୂପେଶ ଘର ପାଇଁ ୧୮ ଲକ୍ଷ ଲୋନ୍ କରିଥିଲେ। ଆଉ ଏହି ଲୋନ୍ ଶୁଝିବା ପାଇଁ କରିଥିଲେ ଲୁଟ୍ ଯୋଜନା । ପଡ଼ୋଶୀଙ୍କ ଘରୁ ଲୁଟ୍ ପାଇଁ ଯୋଜନା କରିବା ପରେ ରୂପେଶ ସମାନ ସଂସ୍ଥାରେ କାମ କରୁଥିବା ବନ୍ଧୁ ସଂଜୟ ପଣ୍ଡା ସହ ମିଶି ପ୍ଲାନ କରିଥିଲେ। ପ୍ରାୟ ମାସେ ପୂର୍ବରୁ ଦୁଇ ଅଭିଯୁକ୍ତ ଲୁଟ୍ ପାଇଁ ଯୋଜନା କରିଥିଲେ । ଏଥିପାଇଁ ୩ ନମ୍ବର ମାର୍କେଟରୁ ଛୁରି, ଖେଳନା ବନ୍ଧୁକ, ସେଲୋଟେପ୍ ଓ ଝିଅ ଡ୍ରେସ୍ ବି କିଣିଥିଲେ ।
ଗତ ୧ ତାରିଖ ସକାଳେ ଅନ୍ୟତ୍ର ଯାଇ ନିଜ ଡ୍ରେସ୍ ବଦଳାଇ ଝିଅ ଡ୍ରେସ୍ ପିନ୍ଧିଥିଲେ ରୂପେଶ । ସେଠାରୁ ଏକ ଅଟୋ ଯୋଗେ ପଡ଼ୋଶୀ ମହିଳାଙ୍କ ଘରକୁ ଆସିଥିଲେ । ଘରେ ପଶି ହଠାତ୍ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ ରୂପେଶ । ମହିଳାଙ୍କ ପାଟି ଶୁଣି ତାଙ୍କ ମା’ ବି ପହଞ୍ଚି ପ୍ରତିରୋଧ କରିଥିଲେ । ଉଭୟଙ୍କ ସାହସିକ ପଦକ୍ଷେପ ଯୋଗୁଁ ଲୁଟ୍ ଯୋଜନା ଫସର ଫାଟିଥିବା ସୂଚନା ଦେଇଛନ୍ତି ଡିସିପି । ଏହି ଘଟଣାର ତଦନ୍ତ କରି ଉଭୟ ରୂପେଶ ଓ ସଂଜୟଙ୍କୁ ଗିରଫ କରାଯାଇଛି ।
ସଞ୍ଜୟ ପଣ୍ଡା ଏହି ଲୁଟ୍ ଯୋଜନାରେ ସାମିଲ ଥିବା ବେଳେ ପୁଲିସ୍ ତାଙ୍କୁ ତାଙ୍କ ନୟାପଲ୍ଲୀସ୍ଥିତ ଘରୁ ଗିରଫ କରିଛି। ଲୁଟ୍ ପାଇଁ ବ୍ୟବହୃତ ସମସ୍ତ ଜିନିଷ କିଣି ସାରିବା ପରେ ସଞ୍ଜୟ ପଣ୍ଡାଙ୍କ ଘରେ ରଖାଯାଇଥିଲା। ରୂପେଶ ୧ ତାରିଖ ସକାଳେ ସଞ୍ଜୟଙ୍କ ଘରକୁ ଯାଇ ଉକ୍ତ ଜିନିଷ ଆଣିଥିଲେ। ପୁଲିସ୍ ତଦନ୍ତ କରି ସଞ୍ଜୟଙ୍କୁ ତାଙ୍କ ଘରୁ ଗିରଫ କରିଛି।
ଏଥିସହ ଉଭୟ ମହିଳା ଓ ତାଙ୍କ ମା’ଙ୍କ ସାହସ ଯୋଗୁ ଲୁଟ୍ ଯୋଜନା ଫସର ଫାଟିଥିବାରୁ ଉଭୟଙ୍କୁ କମିଶନରେଟ ପୁଲିସ୍ ତରଫରୁ ସମ୍ମାନିତ କରାଯିବ ବୋଲି କହିଛନ୍ତି ଡିସିପି।