ମିଳିଲା ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ସୁଇସାଇଡ୍‌ ନୋଟ୍‌!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଛାତି ଉପରେ ଛିଡ଼ା ହୋଇଛି ବିଜେବି କଲେଜ। ରାଜ୍ୟର ଏହି ପ୍ରତିଷ୍ଠିତ କଲେଜ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଛାତ୍ରୀ ନିବାସରେ ରହୁଥିବା ରୁଚିକା ମହାନ୍ତିଙ୍କୁ କରାଯାଉଥିଲା ରାଗିଂ! ୩ ଜଣ ସିନିୟର ଛାତ୍ରୀ ତାଙ୍କୁ ଦେଉଥିଲେ ମାନସିକ ନିର୍ଯାତନା! ଆଉ ନିର୍ଯାତନା ଅସହ୍ୟ ହେବାରୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି! ମୃତଦେହ ପାଖରୁ ମିଳିଥିବା ଏକ ସୁଇସାଇଡ୍‌ ନୋଟ୍‌ରୁ ଏପରି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମିଳିଥିବା ସୁଇସାଇଡ୍‌ ନୋଟ୍‌ଟି […]

BJB-College

Manoranjan Sial
  • Published: Saturday, 02 July 2022
  • , Updated: 02 July 2022, 10:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଛାତି ଉପରେ ଛିଡ଼ା ହୋଇଛି ବିଜେବି କଲେଜ। ରାଜ୍ୟର ଏହି ପ୍ରତିଷ୍ଠିତ କଲେଜ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଛାତ୍ରୀ ନିବାସରେ ରହୁଥିବା ରୁଚିକା ମହାନ୍ତିଙ୍କୁ କରାଯାଉଥିଲା ରାଗିଂ! ୩ ଜଣ ସିନିୟର ଛାତ୍ରୀ ତାଙ୍କୁ ଦେଉଥିଲେ ମାନସିକ ନିର୍ଯାତନା! ଆଉ ନିର୍ଯାତନା ଅସହ୍ୟ ହେବାରୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି! ମୃତଦେହ ପାଖରୁ ମିଳିଥିବା ଏକ ସୁଇସାଇଡ୍‌ ନୋଟ୍‌ରୁ ଏପରି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମିଳିଥିବା ସୁଇସାଇଡ୍‌ ନୋଟ୍‌ଟି ରୁଚିକା ଲେଖିଥିବା ଆଲୋଚନା ହେଉଛି। ସୁଇସାଇଡ୍‌ ନୋଟ୍‌ ଆଧାରରେ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରୁଛୁ।

ସୁଇସାଇଡ୍‌ ନୋଟରେ ଲେଖାଯାଇଛି- ମୁଁ ଜୀବନରେ ବହୁତ ଥକି ପଡ଼ିଲିଣି। ମୋ ବାପା ଓ ବୋହୂ କଷ୍ଟ କରି ମୋତେ ପଢ଼ାଇଲେ। ମୋ ପାଠ ପଢ଼ା ପାଇଁ ଘର ଚଳିବା କଷ୍ଟକର ହେଉଥିଲା। ହେଲେ ହଷ୍ଟେଲ୍‌ରେ ମୋତେ ସିନିୟର ବହୁତ ଟର୍ଚ୍ଚର କଲେ। ୩ ଜଣ ସିନିୟର ମୋତେ ମାନସିକ ନିର୍ଯାତନା ଦେଲେ। ଆଉ ସହିପାରିଲିନି କି ଘରେ କହିପାରିଲିନି। ମୋତେ ମୋ ବାପା, ମାଆ, ମାମୁ, ମାଇଁ, ମଉସା ଓ ମାଉସୀ ସମସ୍ତେ ବହୁତ ଭଲ ପାଆନ୍ତି। ସେମାନେ ବହୁତ ଆଶା ରଖିଥିଲେ, ମୁଁ କଲେକ୍ଟର ହେବି। ହେଲେ ମୋତେ ସିନିୟର ମେଣ୍ଟାଲ୍‌ ଡିପ୍ରେସ୍‌ କଲେ। ବାପା, ମାଆଙ୍କ ପଇସା ଖର୍ଚ୍ଚ କରି ପାଠ ପଢ଼ିବା ପାଇଁ ଛାଡ଼ିଥିଲେ। ହେଲେ ତାଙ୍କ ପଇସାର କିଛି ମୂଲ୍ୟ ରହିଲାନାହିଁ। କାରଣ ସିନିୟର ମୋତେ ବହୁତ ଡିପ୍ରେସ୍‌ କଲେ ବୋଲି ଚିଠିରେ ଲେଖାଯାଇଛି।

ଚିଠିରେ ଆହୁରି ଲେଖାଯାଇଛି, ସମସ୍ତେ ଜାଣିଛନ୍ତି ଆମ କଲେଜରେ ରାଗିଂ ହୁଏ। ବହୁ ସିନିୟର ମୋତେ ହଷ୍ଟେଲ୍‌ରେ ବଞ୍ଚେଇ ଦେଲେନି। ମୋ ବାପା-ବୋଉଙ୍କ ଲୁହରେ ସେମାନେ ଭାସିଯିବେ। ଜମା ଆଗକୁ ବଢ଼ି ପାରିବେନି। ମୁଁ ଏକଥା କାହାକୁ କହିପାରିଲନି। କେବଳ ୩ ଜଣ ସିନିୟରଙ୍କ ପାଇଁ ମୁଁ ଜୀବନ ଦେଉଛି। ସେମାନେ କେବଳ ମୋ ଉପରେ ରାଗ ରଖି ମୋତେ ଡିପ୍ରେସ କଲେ। ମୋତେ ପାଠ ବି ପଢ଼ାଇ ଦେଲେନି। ମୋ ରୁମ୍‌ମେଟ୍‌ଙ୍କୁ ଏକଥା କହିପାରିଲିନି। ଶେଷରେ ଜୀବନ ହାରୁଛି....। ତେବେ ସୁଇସାଇଡ୍‌ ନୋଟ୍‌ରେ ଲେଖିଥିବା ୩ ଜଣ ସିନିୟର ଛାତ୍ରୀଙ୍କ ନାଁ ଲେଖିନାହାନ୍ତି ରୁଚିକା।

କଟକ ଜିଲ୍ଲା କଖଡ଼ି ଗାଁର ରୁଚିକା ମହାନ୍ତି ବିଜେବି ମହାବିଦ୍ୟାଳୟର ଯୁକ୍ତ ୩ କଳାର ପ୍ରଥମ ବର୍ଷ ଛାତ୍ରୀ ଥିଲେ। ସେ ଇତିହାସ ଅନର୍ସ ନେଇ ପଢ଼ୁଥିଲେ। କାରୁବାକୀ ଛାତ୍ରୀ ନିବାସର ତୃତୀୟ ମହଲାର ରୁମ୍‌ ନମ୍ୱର ନଂ ୨୦୧ରେ ରହୁଥିଲେ। ପ୍ରଥମ ବର୍ଷରେ ପଢ଼ୁଥିଲେ ମଧ୍ୟ ୟୁପିଏସ୍‌ସି ପାଇଁ ପ୍ରସ୍ତୁତି ଚଳାଇଥିଲେ। ଆଜି ସେ କ୍ଲାସ କରିବାକୁ ଯାଇନଥିଲେ। ସବୁ ପିଲା କ୍ଲାସ ଗଲା ପରେ ରୁଚିକା ଝୁଲି ପଡ଼ିଥିଲେ।

କଲେଜ କର୍ତ୍ତୃପକ୍ଷଙ୍କଠାରୁ ଖବର ପାଇ କମିଶନରେଟ୍‌ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ହଷ୍ଟେଲ୍‌ ବାହାରେ ଉତ୍ତେଜନା ପ୍ରକାଶ ପାଇଛି। ରାଗିଂ କରିଥିବା ଛାତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୃତ ଛାତ୍ରୀଙ୍କ ପରିବାର ଲୋକ ଓ କଲେଜ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।

Related story