ପୁରୀ(ଓଡ଼ିଶା ରିପୋର୍ଟର): ମିଳିଲା ହରିଣଙ୍କ ପତ୍ତା। ବାତ୍ୟା ପରେ ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣ ଗାଏବ ହୋଇଯିବା କିମ୍ବା ମୃତାହତ ନେଇ ଯେଉଁ ଆଶଙ୍କା ସୃଷ୍ଟି ହୋଇଥିଲା ତାହା ଦୂର ହୋଇଛି। ବାଲୁଖଣ୍ଡ ରେଞ୍ଜ ଅଫିସ ନିକଟରେ ଗତ କାଲି ୨୫ଟି ହରିଣକୁ କ୍ୟାମେରା ଠାବ କରିଥିବା ପୁରୀ ବାଲୁଖଣ୍ଡ ଅଭୟାରଣ୍ୟର ଡିଏଫଓ ହର୍ଷ ବର୍ଦ୍ଧନ ଉଦ୍ଗାତା କହିଛନ୍ତି। ସେ କହିଛନ୍ତି ଯେ, ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣଙ୍କ ଉପସ୍ଥିତି ପାଇସାରିଛୁ।
ଗତକାଲି ରାତିରେ ବାଲୁଖଣ୍ଡ ରେଞ୍ଜ ଅଫିସ ନିକଟରେ ଥିବା ଚାରଣ ଭୂମିରେ ଆମେ କ୍ୟାମେରା ଲଗାଇଥିଲୁ। ତେବେ ରାତି ୧୧ଟାରୁ ୩ଟା୩୦ ପର୍ଯ୍ୟନ୍ତ ଦଳ ଦଳ ହରିଣ ଆସି ସେଠାରେ ଚରିବୁଲି ଯାଇଥିବା ଭିଡିଓ ରେକଡ଼ିଂ ହୋଇଛି। ସେହିପରି ଅମେ ଅନ୍ୟ କିଛି ଜାଗାରେ ମଧ୍ୟ କ୍ୟାମେରା ଟ୍ରାପ୍ ଫିକ୍ସ କରିବୁ।
ତେବେ ବାତ୍ୟାରେ ହରିଣଙ୍କ ମୃତାହାତଙ୍କ ନେଇ ପ୍ରଶ୍ନ ହେବାରୁ ସେ କହିଲେ ଯେ, ଅଭୟାରଣ୍ୟରେ ହରିଣ ମୃତ୍ୟୁ ନେଇ ବିଶେଷ କିଛି ସୂଚନା ମିଳୁ ନାହିଁ। କେବଳ ଗୋଟିଏ ହରିଣର ମୃତ ଦେହ ଉଦ୍ଧାର କରାଯାଇଛି। ବୋଧ ହୁଏ ସେମାନଙ୍କ ଷଷ୍ଟ ଇନ୍ଦ୍ରିୟ କାମ କରିଛି, ସେଥିପାଇଁ ସେମାନେ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ। ସେମାନେ ଏବେ ଫେରିବା ଆରମ୍ଭ କରିଛି। ଆମେ ଯାହା ଦେଖିଛୁ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।