ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦେବଗଡ଼ ସହର ଦେଇ ଯାଇଥିବା ୪୯ ନମ୍ୱର ଜାତୀୟ ରାଜପଥର ମରାମତି ଦାବିରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ୧୨ ଘଣ୍ଟିଆ ରାସ୍ତାରୋକ କରାଯାଇଛି। ଫଳରେ ଏହି ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଛି।
ମୁମ୍ୱାଇ ଓ କୋଲକାତାକୁ ସଂଯୋଗ କରୁଥିବା ଏହି ୪୯ ନମ୍ବର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ପ୍ରତିଦିନ ଏହି ରାଜପଥରେ ଛୋଟବଡ଼ ଦୁର୍ଘଟଣା ଘଟିବା ସହ ବହୁ ଧନଜୀବନ ହାନି ହେଉଛି। ଆଉ ବର୍ଷା ହେଲେ ଏହି ଜାତୀୟ ରାଜପଥର ଅବସ୍ଥା ବେହାଲ୍ ହୋଇପଡ଼ୁଛି। ରାସ୍ତାରେ ସୃଷ୍ଟି ହୋଇଥିବା ଖାଲଖମାରେ ପାଣି ଜମି ରହିବାରୁ ଲୋକେ ଗାଡ଼ି ଚଲାଇବାକୁ ଭୟ କରୁଛନ୍ତି। ସେହିପରି ଶୁଖିଲା ପାଗ ହେଲେ ଜାତୀୟ ରାଜପଥରୁ ଏତେ ପରିମାଣର ଧୂଳି ଉଡୁଛି ଯେ ଦିନବେଳା ମଧ୍ୟ କୁହୁଡ଼ିର ଭ୍ରମ ସୃଷ୍ଟି ହେଉଛି। ଏଥିଯୋଗୁ ମଧ୍ୟ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ଧୂଳି ଉଡ଼ିବା ଯୋଗୁ ରାସ୍ତାକଡ଼ରେ ଥିବା ଘରଦ୍ୱାର ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଗୁରୁତର ଭାବେ ପ୍ରଭାବିତ ହେଉଛନ୍ତି।