ପୁରୀ(ଓଡ଼ିଶା ରିପୋର୍ଟର): ଉତ୍କଳୀୟ ପରମ୍ପରା, ସଂସ୍କୃତିର ଝଳକ ଦେଖିବାକୁ ମିଳିବ ଶ୍ରୀମନ୍ଦିରର ନୂଆ ୮ଟି ଦ୍ୱାରରେ। ତେବେ ଚୂଡ଼ାନ୍ତ ଡିଜାଇନ୍ କିପରି ହେବ ସେ ନେଇ ଏ ପର୍ଯ୍ୟନ୍ତ ନିଷ୍ପତ୍ତି ହୋଇପାରିନି । ଯାହାକୁ ନେଇ ଆଜି ବସିବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ବୈଠକ ।
ନୀଳାଦ୍ରି ଭକ୍ତ ନିବାସରେ ହେବାକୁ ଥିବା ଏହି ବୈଠକରେ ବରିଷ୍ଠ ସେବାୟତ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହିବେ । ବୈଠକ ପୂର୍ବରୁ ରାଜ୍ୟର କିଛି ଶିଳ୍ପୀ, ଚିତ୍ରକରଙ୍କ ସହ ଆଲୋଚନା ହୋଇଛି।
ବର୍ମା ଶାଗୁଆନ କାଠରେ ନିର୍ମିତ ହେବ ରୁପା ଦ୍ୱାର। ପ୍ରଥମେ ସାତ ପାହାଚ ଦ୍ୱାରର ନିର୍ମାଣ କାର୍ଯ୍ୟ କରାଯିବ । ଏହାପରେ ଆଗାମୀ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ବେହେରଣ ଦ୍ୱାର, ଜୟବିଜୟ ଓ କଳାହାଟ ଦ୍ୱାର ନିର୍ମାଣ କରାଯାଇ ଲଗାଯିବ । ଏହାସହ କଳାହାଟ ଦ୍ୱାରରେ ସୁନାର ଚାଦର ପକାଇବା ପାଇଁ ଅନେକ ସେବାୟତ ପ୍ରସ୍ତାବ ରଖିଛନ୍ତି ।
ପ୍ରତିଟି ଦ୍ୱାର ବର୍ମା ଶାଗୁଆନ କାଠରେ ନିର୍ମାଣ ହେବାକୁ ଥିବା ବେଳେ ଏହାର ମୋଟେଇ ୪ ଇଞ୍ଚ ରହିବ। ଶ୍ରୀମନ୍ଦିରର ଜୟବିଜୟ , କଳାହାଟ, ବେହରଣ ସହ ମହାଲକ୍ଷ୍ମୀ ମନ୍ଦିର ଗର୍ଭଦ୍ୱାର, ବିମଳା ମନ୍ଦିର ଗର୍ଭ ଦ୍ୱାର, ସାତପାହାଚ, ନୃସିଂହ ମନ୍ଦିର ଦ୍ୱାର ଏବଂ ପଶ୍ଚିମ ଭୋଗମଣ୍ଡପ ଦ୍ୱାର ରୁପାରେ ଛାଉଣୀ ହେବ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।