ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ବାସଭବନ କାନ୍ଥରେ ଓଡ଼ିଆ ପଟ୍ଟଚିତ୍ର, କୃତଜ୍ଞତା ଜଣାଇଲେ ବୈଜୟନ୍ତ ଓ ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ ଫ୍ରେଡିରିକ୍ସନ୍‌ଙ୍କ ବାସଭବନର କାନ୍ଥରେ ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର ଶୋଭା ପାଉଥିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି। ଓଡ଼ିଶାର ଅନନ୍ୟ ପାରମ୍ପରିକ କଳାର ସମ୍ଭାର ଥିବା ପଟ୍ଟଚିତ୍ରକୁ ବିଶ୍ୱ ଦରବାରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପହଞ୍ଚାଇଥିବାରୁ ଓଡ଼ିଶା ଗର୍ବିତ ବୋଲି ଉଭୟ ନେତା ଟ୍ୱିଟ୍ କରି କହିଛନ୍ତି। ଉଭୟ ନେତା ନିଜର ଟ୍ୱିଟ୍ ମାଧ୍ୟମରେ ଏହି […]

PM

Ordigital Desk
  • Published: Tuesday, 03 May 2022
  • , Updated: 03 May 2022, 10:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ ଫ୍ରେଡିରିକ୍ସନ୍‌ଙ୍କ ବାସଭବନର କାନ୍ଥରେ ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର ଶୋଭା ପାଉଥିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି। ଓଡ଼ିଶାର ଅନନ୍ୟ ପାରମ୍ପରିକ କଳାର ସମ୍ଭାର ଥିବା ପଟ୍ଟଚିତ୍ରକୁ ବିଶ୍ୱ ଦରବାରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପହଞ୍ଚାଇଥିବାରୁ ଓଡ଼ିଶା ଗର୍ବିତ ବୋଲି ଉଭୟ ନେତା ଟ୍ୱିଟ୍ କରି କହିଛନ୍ତି। ଉଭୟ ନେତା ନିଜର ଟ୍ୱିଟ୍ ମାଧ୍ୟମରେ ଏହି ଫଟୋକୁ ଶେଆର କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଗତ ଅକ୍ଟୋବର ମାସରେ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ ଫ୍ରେଡିରିକ୍ସନ ଭାରତ ଗସ୍ତରେ ଆସିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଓଡ଼ିଶାରେ ପ୍ରସ୍ତୁତ ପଟ୍ଟଚିତ୍ର ଉପହାର ଦେଇଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁରୋପ ଗସ୍ତ ସମୟରେ ଆଜି ଡେନମାର୍କ ଗସ୍ତ କରିଛନ୍ତି । ଡେନମାର୍କର ପ୍ରଧାନମନ୍ତ୍ରୀ ମେଟ୍ ଫ୍ରେଡିରିକ୍ସନଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିବା ସମୟରେ ସେଠାରେ କାନ୍ଥରେ ଲାଗିଥିବା ପଟ୍ଟଚିତ୍ରକୁ ଦେଖାଇଥିଲେ । ଓଡ଼ିଶାର ଏହି ପଟ୍ଟଚିତ୍ରରେ ପ୍ରଭୁ ଶ୍ରୀରାମଙ୍କ ଦରବାର ବିଷୟରେ ବର୍ଣ୍ଣିତ ରହିଛି । ଓଡ଼ିଶାର ଏହି ପଟ୍ଟଚିତ୍ରକୁ ନେଇ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ଓଡ଼ିଶା ଓ ଓଡ଼ିଶାର ପାରମ୍ପରିକ କଳାର ବୈଭବର ପ୍ରତିଫଳନ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।

ସେହିପରି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଟ୍ୱିଟ୍ କରି କହିଛନ୍ତି ଯେ, ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ ଫ୍ରେଡିରିକ୍ସନଙ୍କ ବାସଭବନ କାନ୍ଥରେ ପାରମ୍ପରିକ ପଟ୍ଟଚିତ୍ର ଶୋଭା ପାଉଥିବା ଦେଖି ଓଡ଼ିଶାର ଲୋକମାନେ ଗର୍ବିତ । ଏହି ପଟ୍ଟଚିତ୍ରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପହାର ଦେଇଥିଲେ ।

ଶ୍ରୀ ପଣ୍ଡା ତାଙ୍କ ଟ୍ୱିଟରେ ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଲାଗିଥିବା ପଟ୍ଟଚିତ୍ର ପାଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେଉଥିବାର ଏକ ଫଟୋଚିତ୍ରକୁ ମଧ୍ୟ ଶେଆର କରିଛନ୍ତି । ଏହାସହିତ ଓଡ଼ିଶା ପଟ୍ଟଚିତ୍ର ସମ୍ପର୍କିତ ଏକ ମାନପତ୍ରକୁ ମଧ୍ୟ ଟ୍ୱିଟ୍ କରି ଓଡ଼ିଶାର କଳା ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇଥିବାରୁ ଶ୍ରୀ ପଣ୍ଡା ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Related story