ବ୍ୟାପମ୍ ପ୍ରସଙ୍ଗ: ଧର୍ମେନ୍ଦ୍ର କହିଲେ ପରାଜୟ ଝଟକା ଭୁଲି ପାରିନଥିବା କଂଗ୍ରେସକୁ ଅଭିଯୋଗ କରିବାକୁ ଦିଅ

ଭୁବନେଶ୍ୱର: ମଧ୍ୟପ୍ରଦେଶର ବହୁ ଚର୍ଚ୍ଚିତ ବ୍ୟାପମ୍ ଦୁର୍ନୀତି ଭିତରକୁ ଟାଣି ହୋଇଯିବାର ଦିନକ ପରେ ଆଜି ଓଡ଼ିଶା ଆସିଥିବା କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଯଦି କଂଗ୍ରେସ ଅଭିଯୋଗ କରୁଛି, ତା’ହେଲେ ତାକୁ ଅଭିଯୋଗ କରିବାକୁ ଦିଅ। କାରଣ କଂଗ୍ରେସ ଏଯାବତ ଲୋକସଭା ନିର୍ବାଚନର ପରାଜୟ ଝଟକାକୁ ଭୁଲି ପାରିନାହିଁ। ଖୋର୍ଦ୍ଧାଠାରୁ ବେଗୁନିଆ ପର୍ଯ୍ୟନ୍ତ ନୂଆ ରେଳ ଲାଇନ୍, ଖୋର୍ଦ୍ଧା ଓ ବେଗୁନିଆ ଷ୍ଟେସନ ଏବଂ ପ୍ରଥମ ପାସେଞ୍ଜର ଟ୍ରେନର ଶୁଭାରମ୍ଭ କରିବା […]

dharmendra

Rakesh Mallick
  • Published: Thursday, 16 July 2015
  • , Updated: 16 July 2015, 01:53 PM IST

ଭୁବନେଶ୍ୱର: ମଧ୍ୟପ୍ରଦେଶର ବହୁ ଚର୍ଚ୍ଚିତ ବ୍ୟାପମ୍ ଦୁର୍ନୀତି ଭିତରକୁ ଟାଣି ହୋଇଯିବାର ଦିନକ ପରେ ଆଜି ଓଡ଼ିଶା ଆସିଥିବା କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଯଦି କଂଗ୍ରେସ ଅଭିଯୋଗ କରୁଛି, ତା’ହେଲେ ତାକୁ ଅଭିଯୋଗ କରିବାକୁ ଦିଅ। କାରଣ କଂଗ୍ରେସ ଏଯାବତ ଲୋକସଭା ନିର୍ବାଚନର ପରାଜୟ ଝଟକାକୁ ଭୁଲି ପାରିନାହିଁ। ଖୋର୍ଦ୍ଧାଠାରୁ ବେଗୁନିଆ ପର୍ଯ୍ୟନ୍ତ ନୂଆ ରେଳ ଲାଇନ୍, ଖୋର୍ଦ୍ଧା ଓ ବେଗୁନିଆ ଷ୍ଟେସନ ଏବଂ ପ୍ରଥମ ପାସେଞ୍ଜର ଟ୍ରେନର ଶୁଭାରମ୍ଭ କରିବା ପାଇଁ ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କ ସହିତ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେ ଏହି କଥା କହିଥିଲେ।

ଧର୍ମେନ୍ଦ୍ର ଆହୁରି ମଧ୍ୟ କହିଥିଲେ ଯେ ଏହି ଅଭିଯୋଗଟି ଯେଉଁ ସମୟର କଥା କହୁଛି ସେତେବେଳେ ସେ ଦଳର କାର୍ଯ୍ୟକର୍ତ୍ତା ଥିଲେ। ଦଳର କାର୍ଯ୍ୟରେ ବିଭିନ୍ନ ସ୍ଥାନକୁ ଯିବା ଆସିବା କରୁଥିଲେ। ଏଥିପାଇଁ ଦଳ ହିଁ ଟିକେଟ୍ ବ୍ୟବସ୍ଥା କରୁଥିଲା। କୌଣସି ବ୍ୟକ୍ତି ତାଙ୍କ ପାଇଁ ଟିକେଟର ବ୍ୟବସ୍ଥା କରି ନାହାନ୍ତି। ତେଣୁ କାହାରି ଅନୁଗ୍ରହ ଗ୍ରହଣ କରିବାର ପ୍ରଶ୍ନ ଉଠୁନାହିଁ।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଆହୁରି ମଧ୍ୟ କହିଥିଲ ଯେ ସୁଧୀର ଶର୍ମା ବିଜେପିର କର୍ମକର୍ତ୍ତା ଥିଲେ। କିନ୍ତୁ ସେ ତାଙ୍କଠାରୁ ବିମାନ ଗସ୍ତ ପାଇଁ ଟିକେଟ ନେଇ ନାହାନ୍ତି। ତାଙ୍କ ଟିକେଟ ବ୍ୟବସ୍ଥା କେବଳ ଦଳ ହିଁ କରିଥାଏ। କଂଗ୍ରେସ ଯେଉଁ ଅଭିଯୋଗ କରୁଛି ତା’ଉପରେ ସେ ବିଶେଷ କିଛି ପ୍ରତିକ୍ରିୟା ଦେବାକୁ ଚାହାନ୍ତି ନାହିଁ। କାରଣ ୨୦୧୪ରେ କଂଗ୍ରେସକୁ ବହୁତ ବଡ଼ ବଡ଼ ଝଟକା ସହିବାକୁ ପଡ଼ିଛି। ଏଣୁ ତାକୁ ଅଭିଯୋଗ କରିବାକୁ ଦିଆଯାଉ। ତାଙ୍କ ଅଭିଯୋଗକୁ ଶୁଭେଚ୍ଛା।

ଅନ୍ୟପକ୍ଷରେ ବ୍ୟାପମ୍ ଦୁର୍ନୀତି ପ୍ରସଙ୍ଗକୁ ନେଇ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ପକ୍ଷରୁ ତାଙ୍କର ଇସ୍ତଫ। ଦାବି କରିଛନ୍ତି। ଆଜି ଢେଙ୍କାନାଳର ପରଜଙ୍ଗରେ ବିଜେଡି ଓ ଭୁବନେଶ୍ୱରରେ କଂଗ୍ରେସ ରାସ୍ତାକୁ ଓହ୍ଲାଇଥିବା ବେଳେ ଓଡ଼ିଶା ବିକାଶ ପରିଷଦ ମଧ୍ୟ ବିକ୍ଷୋଭ କରିଥିଲା। ପିସିସି ସଭାପତି ଏକ ସାମ୍ବାଦିକ ସମ୍ମିଳନୀ କରି ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ମାଗିଥିଲେ। ସେ କହିଥିଲେ ଅବାଧ ତଦନ୍ତ ପାଇଁ ଧର୍ମେନ୍ଦ୍ର ଇସ୍ତଫା ଦେବା ଆବଶ୍ୟକ।

ସୂଚନାଯୋଗ୍ୟ, ଗତକାଲି ଏକ ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମ ପ୍ରଥମେ ଦାବି କରିଥିଲା ଯେ ଧର୍ମେନ୍ଦ୍ରଙ୍କ ବିମାନ ଖର୍ଚ୍ଚ ସୁଧୀର ଶର୍ମା ବହନ କରିଥିଲେ। ତାଙ୍କର ଆୟକର କାଗଜପତ୍ରରୁ ଏହା ଜଣାପଡ଼ିଛି। ଏହି ସୁଧୀର ଶର୍ମା ହେଉଛନ୍ତି ବ୍ୟାପମ ଦୁର୍ନୀତିର ଜଣେ ପ୍ରମୁଖ ଅଭିଯୁକ୍ତ।

ଏହି ରିପୋର୍ଟ ଆସିବା ପରେ ନୂଆଦିଲ୍ଲୀରେ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ମଗାଯାଇଥିଲା। ବରିଷ୍ଠ କଂଗ୍ରେସ ନେତା ରନ୍ଦୀପ ସିଂହ ସୁର୍ଜେୱାଲା ଏଥିରେ କହିଥିଲେ ଯେ ବ୍ୟାପମ୍ ଦୁର୍ନୀତିରୁ ଆୟ କରାଯାଇଥିବା ଟଙ୍କା ବିଜେପିର ମନ୍ତ୍ରୀ, ସାଂସଦ ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ନେତାମାନଙ୍କ ମଧ୍ୟରେ ବଣ୍ଟା ଯାଇଥିଲା। ବିଭିନ୍ନ ବାଟରେ ଏହି ନେତାମାନଙ୍କୁ ଦିଆଯାଇଛି। ଆଉ ସେଥିରୁ ଗୋଟିଏ ହେଉଛି ଏହି ନେତାଙ୍କ ଗସ୍ତ ଖର୍ଚ୍ଚ ପଇଠ କରିବା। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ ଖର୍ଚ୍ଚ ବହନ କରିଥିଲେ ସୁଧୀର ଶର୍ମା। ତାଙ୍କ ଘରୁ ଜବତ କାଗଜପତ୍ରରୁ ଏହା ଜଣାପଡ଼ିଛି। ସେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିମାନରେ ଗସ୍ତ ଖର୍ଚ୍ଚ ବହନ କରିଥିଲେ। ତେଣୁ ମନ୍ତ୍ରୀ ପଦରେ ରହିବା ପାଇଁ ତାଙ୍କର ଆଉ କୌଣସି ହକ୍ ନାହିଁ। ସେ ତୁରନ୍ତ ଇସ୍ତଫା ଦେଇ ଦେବା ଉଚିତ୍।

Related story