ନିର୍ବାଚନର ୬ମାସ ପରେ ଧର୍ମେନ୍ଦ୍ରଙ୍କ ସିଧା ହାମଲା: କାହିଁକି ପ୍ରତରଣା କଲେ ମୁଖ୍ୟମନ୍ତ୍ରୀ

ବିଜେପୁର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପରଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ପ୍ରତି କଡ଼ା ଟିପ୍ପଣୀ ଦେବାରୁ ଦୂରେଇ ରହୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବିଜେପୁରରେ ସିଧାସଳଖ ହାମଲା କରିଛନ୍ତି। ନିଜର ପୁରୁଣା ଫର୍ମକୁ ଫେରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ବିଜେପୁରର ଦାୟିତ୍ୱ ନେବେ ବୋଲି କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଞ୍ଚଳବାସୀଙ୍କୁ ପ୍ରତାରଣା କରିଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ଶାସନ ବ୍ୟବସ୍ଥା ମିଛ ତଥ୍ୟ ଉପରେ ଆଧାରିତ। ବିଜେପୁର ଉପନିର୍ବାଚନରେ […]

political

Manoranjan Sial
  • Published: Friday, 11 October 2019
  • , Updated: 11 October 2019, 08:59 PM IST

ବିଜେପୁର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପରଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ପ୍ରତି କଡ଼ା ଟିପ୍ପଣୀ ଦେବାରୁ ଦୂରେଇ ରହୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବିଜେପୁରରେ ସିଧାସଳଖ ହାମଲା କରିଛନ୍ତି। ନିଜର ପୁରୁଣା ଫର୍ମକୁ ଫେରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ବିଜେପୁରର ଦାୟିତ୍ୱ ନେବେ ବୋଲି କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଞ୍ଚଳବାସୀଙ୍କୁ ପ୍ରତାରଣା କରିଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ଶାସନ ବ୍ୟବସ୍ଥା ମିଛ ତଥ୍ୟ ଉପରେ ଆଧାରିତ।

ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ସନତ ଗରତିଆଙ୍କ ସପକ୍ଷରେ ପ୍ରଚାର କରିବାକୁ ବିଜେପୁର ଯାଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗାଇସଲେଟ୍ ବ୍ଲକର ତାଲପାଲି ଓ ଆଗଲପୁରଠାରେ ବିଜେପି ପକ୍ଷରୁ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ବିଜେପୁରରେ କ’ଣ ପାଇଁ ଉପନିର୍ବାଚନ ହେଉଛି ତାହା ହିଁ ଏବେ ମୂଳ ପ୍ରସଙ୍ଗ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ସାଧାରଣ ନିର୍ବାଚନରେ ଦେଇଥିବା ଗୋଟିଏ ବି ପ୍ରତିଶ୍ରୁତି ପୂରଣ କରିନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭରସା କରିବା ବିଜେପୁରବାସୀଙ୍କ ଭୁଲ ଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି। ଗତ ସାଧାରଣ ନିର୍ବାଚନରେ ବିଜେପୁରବାସୀ ମୁଖ୍ୟମନ୍ତ୍ରୀଙ୍କୁ ଭରସା କରି ଭୋଟ ଦେଇଥିଲୋ ‘ମୁଁ ବିଜେପୁରର ବିକାଶ କରିବି’ ବୋଲି ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାରରେ କହିଥିଲେ କିନ୍ତୁ ବିଜେପୁରରେ ବିଜୟ ହାସଲ କରିବା ପରେ ମଧ୍ୟ ଏଠାରେ ବିକାଶ କୁଆଡ଼େ ଗଲା? ଲମ୍ବା ସମୟ ଧରି ଶାସନରେ ଥିବା ମୁଖ୍ୟମନ୍ତ୍ରୀ କାହିଁକି ହିଞ୍ଜିଳି ଆସନରୁ ନଓହରି ବିଜେପୁର ଆସନରୁ ଓହରିଗଲେ? କାହଁକି ବିଜେପୁରବାସୀଙ୍କ ଭରସାକୁ ମୁଖ୍ୟମନ୍ତ୍ରୀ ପ୍ରତାରଣା କଲେ? ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ଶାର ଲୋକଙ୍କ ଭାବନା ସହିତ ଛଳନା କଲେ? ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମାଁ ସମଲେଇଙ୍କ ପାଖରେ ମୁଖ୍ୟମନ୍ତ୍ରୀ ଶପଥ ରଖି କୁହନ୍ତୁ ବିଜେପୁର ପାଇଁ ସେ କ’ଣ କରିଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଯେତେ ପ୍ରଚାର କଲେ ଆମେ ଜିତିବୁ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅନୁଗାମୀ ବିଜେଡି ନେତାମାନେ କହିବା ହିଁ ସେମାନଙ୍କର ଅହଙ୍କାରକୁ ପ୍ରଦର୍ଶିତ କରୁଛି । ମାତ୍ର ଏପରି ଅହଙ୍କାରର ଦମ୍ଭୋକ୍ତି ଦେଖାଉଥିବା ଲୋକମାନେ ଜାଣିବା ଉଚିତ୍ ଯେ, ଲିଭିବା ବେଳେ ଦୀପ ଜୋରରେ ଜଳେ।

ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏବେ ‘ମୋ ସରକାର’ ଯୋଜନା ଆରମ୍ଭ କରିଛନ୍ତି। ତେବେ ଏହା ପୂର୍ବରୁ ରାଜ୍ୟରେ କାହା ସରକାର ଥିଲା? ଦୁର୍ନୀତିଗ୍ରସ୍ତ ଲୋକଙ୍କର ନା ଚିଟଫଣ୍ଡ ଚୋର ମାନଙ୍କର ନା ଓଡ଼ିଆ ଲୋକଙ୍କୁ ଠକୁଥିବା ଲୋକଙ୍କର ସରକାର ଥିଲା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାରଙ୍କ ‘ମୋ ସରକାର’ ଯୋଜନାରେ ଯାଜପୁର ଜିଲ୍ଲାରେ ଏସପି ଡାକ୍ତରଖାନା ତଦାରଖ କରିବାକୁ ଯାଉଛନ୍ତି। ତେବେ ଡାକ୍ତରଖାନା ତଦାରଖ ପାଇଁ ଜିଲ୍ଲପାଳ କୁଆଡ଼େ ଗଲେ ବୋଲି ଶ୍ରୀ ପ୍ରଧାନ ପଚାରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେପୁରରେ ଏବେ ସୁଦ୍ଧା ମଧ୍ୟ ପ୍ରତି ଘରକୁ ପାଇପରେ ବିଶୁଦ୍ଧ ପାଣି ପହଞ୍ଚିପାରିନାହିଁ, ଜଳସେଚନର ବ୍ୟବସ୍ଥା ହୋଇନାହିଁ, ଗଙ୍ଗାଧର ଜଳସେଚନ ପ୍ରକଳ୍ପ ଆଗେଇ ପାରିଲା ନାହିଁ, ଯୁବକଙ୍କୁ ରୋଜଗାର ମିଳିନାହିଁ। ତା’ହେଲେ ମୁଖ୍ୟମନ୍ତ୍ରୀ ବିଜେପୁରରେ କେଉଁ ଦାୟିତ୍ୱ ନେଇଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ନରେନ୍ଦ୍ର ମୋଦିଙ୍କ ସରକାର ଧାନର ଏମଏସପି ମୂଲ୍ୟ ଦେଢ ଗୁଣା ବୃଦ୍ଧି କରିବା ପରେ ମଧ୍ୟ ଏଠାରେ ଧାନର ମୂଲ୍ୟ କ୍ୱିଣ୍ଟାଲ ପିଛା ୧୨୦୦ ଟଙ୍କାରେ ବିକ୍ରି ହେଉଛି। ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ଅତିରିକ୍ତ ବୋନସ କଥା ଘୋଷଣାରେ ରହିଯାଇଛି। ଚାଷୀଙ୍କ ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ଓ ନେତାଙ୍କ ପାଖଲୋକ ଏଠାରେ କାଳିଆ ଟଙ୍କା ପାଇଥିବା ଜଣାପଡ଼ିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ବିନା କାମ ଓ ଦାୟିତ୍ୱ ନନେଇ ବାରମ୍ବାର ଲୋକମାନଙ୍କୁ ମିଛ କହୁଥିବା ଲୋକଙ୍କୁ ଗଣତନ୍ତ୍ରରେ ଉତ୍ତର ଦେବାର ଆବଶ୍ୟକତା ରହିଛି। ଯେ କାମ କରୁଛି ତାକୁ ଭରସା କରିବା ଦରକାର, ଯେ ପ୍ରତାରଣା କରୁଛି ତାକୁ ନୁହେଁ ବୋଲି ଶ୍ରୀ ପ୍ରଧାନ କହିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ ଦଳର ବରିଷ୍ଠ ନେତାମାନଙ୍କ ସହ ବିଶାଳ ରୋଡ୍ ଶୋ’ରେ ଯାଇ ଦଳୀୟ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ସପକ୍ଷରେ ଭୋଟ୍ ଭିକ୍ଷା କରିଥିଲେ।

Related story