ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ଡଳୀର ୧୧ ନମ୍ବର ଜୋନ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଏବେବି ସସ୍ପେନ୍ସ ଲାଗି ରହିଥିବା ବେଳେ ଆସିଛି ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ବ୍ୟବଚ୍ଛେଦ ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଧର୍ମେନ୍ଦ୍ର ସାହୁଙ୍କ ଶରୀରର ଅନ୍ୟ କୌଣସି ସ୍ଥାନରେ ଆଘାତ ଚିହ୍ନ ନଥିବା ରିପୋର୍ଟରେ ଉଲ୍ଲେଖ ଅଛି।
ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ସୁଇସାଇଡାଲ୍ ହ୍ୟାଙ୍ଗିଙ୍ଗ୍ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ । ତାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ହ୍ୟାଙ୍ଗିଙ୍ଗ୍ ଦ୍ୱାରା ଶ୍ୱାସରୁଦ୍ଧରୁ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁସାରେ ଏହା ଏକ ଆଣ୍ଟିମୋର୍ଟମ ଡେଥ୍ କେସ୍ । ଏହାର ଅର୍ଥ ଜୀବୀତ ଅବସ୍ଥାରେ ଫାଶି ଲଗାଇ ମୃତ୍ୟୁ ଘଟିଛି। ଦେହରେ କ୍ଷତ ନଥିବାରୁ ଏହା ଏକ ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇଛି।
ସୂଚନାଯୋଗ୍ୟ, ଶନିବାର ଧର୍ମେନ୍ଦ୍ରଙ୍କ ଝୁଲନ୍ତା ମୃତଦେହ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନ ବାଲକୋନିରୁ ମିଳିଥିଲା । ତେବେ ମୃତ୍ୟୁର ପଛର କାରଣ ଏନେଇ ସ୍ପଷ୍ଟ ହୋଇନି ।
ମୃତ୍ୟୁର କିଛି ଦିନ ପୂର୍ବରୁ ଧର୍ମେନ୍ଦ୍ର କରିଥିବା ଏକ ଭିଡିଓ ଭାଇରାଲ ହେଉଥିବା ବେଳେ ସେଥିରେ ସେ ଉଦାସ, ବିଚଳିତ ଥିବା ଜଣାପଡ଼ୁଥିଲା। ମାତ୍ର ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେବା ନେଇ କୌଣସି ସୂଚନା ଦେଇନଥିଲେ। ତେବେ ରାଜନୈତିକ ପ୍ରସଙ୍ଗକୁ ନେଇ ନିଜ ବ୍ୟକ୍ତିଗତ ଜୀବନରେ ଉଠୁଥିବା ଝଡ଼ଝଞ୍ଜା ସମ୍ପର୍କରେ ସେ ସାମାନ୍ୟ ଆଭାସ ଦେଇଥିଲେ।
ଏହାପରେ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଧର୍ମେନ୍ଦ୍ର ଫେସବୁକ୍ରେ କରିଥିବା ପୋଷ୍ଟରେ ମୋ’ ୨ଟି ମୋବାଇଲରୁ ସବୁ ଭିଡିଓ ଅଛି, ତାକୁ ଲୋକଲୋଚନକୁ ଆଣିବେ ବୋଲି ବି ଉଲ୍ଲେଖ କରିଥିଲେ। ଏହାପରେ ପୁଲିସ୍ ସନ୍ଧାନୀ କୁକୁର ସହାୟତାରେ ବହୁ ଖୋଜାଖୋଜି କରି ଘରଠୁ ଶହେ ମିଟର ଦୂର ଏକ ବିଲରୁ ତାଙ୍କର ୨ଟି ମୋବାଇଲ ଉଦ୍ଧାର କରିଥିବା ବେଳେ ତାହା ସୁଇଚ ଅଫ୍ ଥିବା ଜଣାପଡ଼ିଥିଲା। ଉକ୍ତ ୨ଟି ଫୋନ୍ର ଫରେନସିକ ଟେଷ୍ଟ ନିମନ୍ତେ ଲ୍ୟାବକୁ ପଠାଯାଇଥିବା ଜଣାଯାଇଛି।
ଧର୍ମେନ୍ଦ୍ରଙ୍କ ଘର ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ଖଣ୍ଡିଆକୁଦ ଗାଁରେ । ସେ ନିମାପଡ଼ା ଅଞ୍ଚଳରେ ଜଣେ ଜଣାଶୁଣା, ଟାଣୁଆ ନେତା ଥିଲେ। ସେ ଦୀର୍ଘ ଦିନ କଂଗ୍ରେସରେ ରହିବା ପରେ ଗତ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦେଇଥିଲେ। ଏହାପରେ ସେ ବିଜେଡି ଟିକେଟରେ ନିମାପଡ଼ା ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ସେ ଭୁବନେଶ୍ୱରରେ ବ୍ୟବସାୟ କରିବା ସହ ପତ୍ନୀ ଓ ପୁଅଙ୍କ ସହ ଭୁବନେଶ୍ୱରରେ ରହୁଥିଲେ ।
ତେବେ ଟଙ୍କା ଓ ମଦ ପାଇଁ ତାଙ୍କ ପରିବାରରେ ବାରମ୍ବାର ଅଶାନ୍ତି ସୃଷ୍ଟି ହେଉଥିଲା ବୋଲି ଗଣମାଧ୍ୟମ ସମ୍ମୁଖରେ କହିଥିଲେ ତାଙ୍କ ଶ୍ୱଶୁର। ଏପରିକି ଜ୍ୱାଇଁ ସବୁବେଳେ ନିଶାସକ୍ତ ଅବସ୍ଥାରେ ଘରକୁ ଆସି ଝିଅକୁ ନିର୍ଯାତନା ଦେଉଥିବା କହିଥିଲେ। ତେବେ ଝିଅଜ୍ୱାଇଁଙ୍କ ଘର ସଜାଡ଼ିବା ପାଇଁ ଏନେଇ ସେ ଥାନାରେ କେବେ ଅଭିଯୋଗ କରି ନ ଥିବା ସେ କହିଥିଲେ।