ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଦେଶର ୮୧କୋଟି ହିତାଧିକାରୀଙ୍କୁ ନଭେମ୍ବର ମାସ ପର୍ଯ୍ୟନ୍ତ ମାଗଣା ଚାଉଳ ଓ ଡାଲି ଯୋଗାଇବାକୁ ଘୋଷଣା କରିବା ପରେ ମୁଖ୍ୟମନ୍ତ୍ରୀ ଗତ ଦୁଇଦିନ ତଳେ ଏନେଇ ଘୋଷଣା କରିବା କେବଳ ମିଛ ବାହାସ୍ଫୋଟ ବୋଲି ବିଜେପି କହିଛି। କେନ୍ଦ୍ର ସରକାରଙ୍କ ଯୋଜନା ଓ ନିଷ୍ପତିକୁ ନିଜେ ଘୋଷଣା କରି ରାଜ୍ୟ ସରକାର ଲୋକଙ୍କୁ ବିଭ୍ରାନ୍ତ କରିବା ସହ ମିଛ ବାହାସ୍ପୋଟ ମାରୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି।
ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀମାନଙ୍କୁ ମାଗଣାରେ ୫ କିଲୋ ଚାଉଳ ଏବଂ ୧ କିଲୋ ଡାଲି ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ତେବେ ରାଜ୍ୟସରକାର କେଉଁମାନଙ୍କୁ ଏହି ଖାଦ୍ୟ ଯୋଗାଇବେ ତାହା ବୁଝାପଡ଼ୁନି। କରୋନା ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟସୁରକ୍ଷା ଯୋଜନାରେ ଯେତିକି ଲୋକ ଯୋଡ଼ି ହୋଇଛନ୍ତି ସେମାନଙ୍କୁ ଚାଉଳ ଓ ଡାଲି କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତିା ଏପରିକି ପ୍ରବାସୀ ଶ୍ରମିକମାନଙ୍କୁ ମାଗଣାରେ ୮ ମାସ ପାଇଁ ୫ କିଲୋ ଚାଉଳ ଓ ୧ କିଲୋ ଡାଲି ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି।
ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁ ହେବା ସମୟରେ ରାଜ୍ୟର ଜନସଂଖ୍ୟା ୪ କୋଟି ୧୯ ଲକ୍ଷ ୭୪ହଜାର ୨୧୮ ଥିଲା। ଏହି ଯୋଜନାରେ ଓଡ଼ିଶାରୁ ୩ କୋଟି ୨୬ ଲକ୍ଷ ୪୧ ହଜାର ୮୦୦ ଲୋକଙ୍କୁ ସାମିଲ କରାଯାଇ ସେମାନଙ୍କୁ ମାସକୁ ୫ କିଲୋ ଚାଉଳ ଦିଆଗଲା। କେନ୍ଦ୍ର ସରକାର କରିଥିବା ଏହି ଯୋଜନାରେ ହିତାଧିକାରୀଙ୍କୁ ୩ ଟଙ୍କା ଦେବାକୁ ପଡୁଥିଲାବେଳେ ରାଜ୍ୟସରକାର କେବଳ ମାତ୍ର ୨ ଟଙ୍କା ଏବଂ ହିତାଧିକାରୀଙ୍କ ଠାରୁ ୧ ଟଙ୍କା ଆଦାୟ କରି ଟଙ୍କିକିଆ ଚାଉଳ ଦେଉଛନ୍ତି ବୋଲି ଘୋଷଣା କରିଥିଲେ। କିନ୍ତୁ ଏହି ହିତାଧିକାରୀଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ହୋଇଥିବା କାରଣରୁ ଅନେକ ସ୍ଥାନରେ ଭୂତ ନାଁରେ ଚାଉଳ ହଡ଼ପ କରାଯାଉଛି।
୨୦୧୮ ମେ’ ୨୪ ରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ରାଜ୍ୟର ଜନସଂଖ୍ୟା ୪ କୋଟି ୬୦ ଲକ୍ଷରୁ ଉର୍ଦ୍ଧ୍ୱ ଦର୍ଶାଇ ହିତାଧିକାରୀଙ୍କ ସଂଖ୍ୟା ୩୩ ଲକ୍ଷରୁ ୪୪ଲକ୍ଷ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟ ସରକାର ଅକ୍ଟୋବର ୨ ତାରିଖରୁ ନିଜସ୍ୱ ଖାଦ୍ୟ ସୁରକ୍ଷା ଆଇନ ଆରମ୍ଭ କଲେ । କିନ୍ତୁ ଏହାର ତାଲିକାକୁ ଏପର୍ଯ୍ୟନ୍ତ ସର୍ବସାଧାରଣ ପ୍ରକାଶ କଲେ ନାହିଁ। ଏଥିରୁ ସ୍ପଷ୍ଟ ଯେ, ରାଜ୍ୟ ସରକାର କେବଳ କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରି ନିଜେ କରୁଛନ୍ତି ବୋଲି ଡିଣ୍ଡିମ ପିଟି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତି କରାଇଛନ୍ତି।