ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଏ କହେ ଭିନ୍ନକ୍ଷମ। ପୁଣି କିଏ ଦିବ୍ୟାଙ୍ଗ। ଶବ୍ଦ ଯାହା ହେଉନା କାହିଁକି, ଏହାର ଅର୍ଥ ଯେ କେତେ ଦାରୁଣ, ଜୀବନ ଯେ କେତେ ସଂଘର୍ଷପୂର୍ଣ୍ଣ, ତାହା ଯିଏ ଅଙ୍ଗେ ନିଭେଇଛି, ସିଏ ଜାଣିଛି। ଭୋକର ଜ୍ୱାଳା ଓ ଶାରୀରିକ ଅନଗ୍ରସରତା ଅନେକଙ୍କୁ ବାଧ୍ୟ କରିଛି ଭିକ୍ଷାଥାଳ ଧରିବା ପାଇଁ। ନଚେତ ସରକାରୀ ଭତ୍ତା ସାହାରାରେ ମାଗିଯାଚି ଜୀବନ କାଟିବା ପାଇଁ। ହେଲେ ଆମ ସମାଜରେ ଏମିତି କିଛି ନିଆରା ଉଦାହରଣ ଅଛନ୍ତି, ଯେଉଁମାନେ ଦିବ୍ୟାଙ୍ଗ ସତ, କିନ୍ତୁ ଦୁର୍ବଳ ନୁହଁନ୍ତି।
ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍ ଖଟମଣା ଗାଁର ୨୬ ବର୍ଷୀୟ ପ୍ରଭାତ ଜେନା। ଜନ୍ମରୁ ତାଙ୍କର ଗୋଟିଏ ଗୋଡ଼ ନାହିଁ। ସେଥିପାଇଁ ଏ ଦୁନିଆ ତାଙ୍କୁ ଦିବ୍ୟାଙ୍ଗ କହେ। ହେଲେ ସେ ନିଜକୁ ନା କେବେ ଦୁର୍ବଳ ଭାବିଛନ୍ତି, ନା କେବେ କାହା ପାଖରେ ମୁଣ୍ଡ ନୂଆଁଇଛନ୍ତି। ମାଟ୍ରିକ୍ ପାସ୍ କରିଥିବା ପ୍ରଭାତ ଆଇଟିଆଇ ତାଲିମ ନେଇଛନ୍ତି। କମ୍ପ୍ୟୁଟର ଶିକ୍ଷା ମଧ୍ୟ ଗ୍ରହଣ କରିଛନ୍ତି। ଏବେ ଚାକିରି ସନ୍ଧାନରେ ଅଛନ୍ତି। ହେଲେ ସେ କେବେ ହାର ମାନି ନାହାନ୍ତି। ସୁନାପୁଅଟିଏ ଭଳି ବାପା ମାଆଙ୍କ ଶ୍ରମ ଲାଘବ ପାଇଁ ନିଜେ ଧାନ କାଟୁଛନ୍ତି। ଏପରିକି କଳେଇ(ଧାନ ବିଡ଼ା) ମୁଣ୍ଡରେ ଘରକୁ ବୋହି ଆଣୁଛନ୍ତି। ବର୍ଷର ଅନ୍ୟ ସମୟରେ ରଙ୍ଗ କାମ ଓ କାଠ କାମ କରି ମଧ୍ୟ ରୋଜଗାର କରୁଛନ୍ତି ପ୍ରଭାତ।
ପ୍ରଭାତଙ୍କ ପରି ଆଉ ଜଣେ ସାହସୀ ଦିବ୍ୟାଙ୍ଗ ହେଉଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ୍ ମେରାପଲ୍ଲୀ ଗାଁର ବାସୁଦେବ ସାହୁ। ବୟସ ୫୦ ଉପରେ ହେବ। ଲୋକେ ତାଙ୍କୁ ଡାକନ୍ତି ବାସୁ ମଉସା। ତାଙ୍କ ସଙ୍ଘର୍ଷର କାହାଣୀ ଶୁଣିଲେ ଆପଣ ମଧ୍ୟ ପ୍ରଶଂସା କରିବାକୁ ବାଧ୍ୟ ହେବେ। ବାସୁଦେବ ପିଲାଟି ଦିନରୁ ଗୋଡ଼ ଦୁଇଟି ଅଚଳ। ତା’ ଉପରେ ଦାରିଦ୍ର୍ୟର ତାଡ଼ନା। ବାସୁଦେବଙ୍କୁ ପିଲାଟି ବେଳୁ ଘାରିଥିଲା ନିଜ ସହ ନିଜ ପରିବାରର ପେଟ ପୋଷିବା ଚିନ୍ତା। ତେଣୁ ମାଟ୍ରିକ ପରେ ବାପାଙ୍କଠୁ ମାତ୍ର ଶହେ ଟଙ୍କା ଆଣି ଛୋଟିଆ ଜଳଖିଆ ଦୋକାନଟିଏ ଆରମ୍ଭ କରିଥିଲେ। ସେଇଠୁ ପ୍ରାୟ ୩୦ ବର୍ଷ ହେଲା ଏ ଚୁଲି ଲିଭିନି କି ଏ ତେଲ କଢ଼େଇ ଥଣ୍ଡା ହୋଇନି, ଠିକ୍ ତାଙ୍କ ଆତ୍ମବିଶ୍ୱାସ ଭଳି। ଚା’ ଜଳଖିଆ ଦୋକାନ କରି ସେ ପରିବାର ଚଳାଉଛନ୍ତି। ସେ ଗୋଟିଏ ପୁଅକୁ ବାହା କରାଇଛନ୍ତି। ଆଉ ୨ଟି ପୁଅ ପାଠ ପଢ଼ୁଛନ୍ତି ବୋଲି ବାସୁଦେବ କହିଛନ୍ତି।
କେବଳ ପାରଙ୍ଗମ ପ୍ରଭାତ କି ବାସୁଦେବ ନୁହଁନ୍ତି, ଏମିତି ଅନେକ ଦିବ୍ୟାଙ୍ଗ ଅଛନ୍ତି। ଯେଉଁମାନେ ଶାରୀରିକ ଭିନ୍ନତାକୁ ଭ୍ରୁକ୍ଷେପ ନକରି ଅତି ନିର୍ଭିକତାର ସହ ଲଢ଼େଇ ଜାରି ରଖିଛନ୍ତି ଜୀବନର ଯୁଦ୍ଧଭୂମିରେ। ଆଜି ବିଶ୍ୱ ଦିବ୍ୟାଙ୍ଗ ଦିବସରେ ଏହି ଦୁର୍ଜୟ ବୀରଙ୍କ ଅମଳିନ ଆତ୍ମବିଶ୍ୱାସକୁ ଶହେ ସଲାମ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।