ଘରେ ପଶୁଛି ଡ୍ରେନ୍‌ ପାଣି: ଠିକାଦାର କହୁଛନ୍ତି ବାଲି, ସିମେଣ୍ଟ ରେଟ୍‌ ବଢ଼ିଯାଇଛି, କାମ ହବନି

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ପରିମଳ ବ୍ୟବସ୍ଥା ସୁଧାରିବାକୁ ଓ ଜଳ ନିଷ୍କାସନ ପାଇଁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର। ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ। କଣ୍ଟ୍ରାକ୍ଟରଙ୍କ ମନଇଚ୍ଛା କାମ ସାଙ୍ଗକୁ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି। ଏହାର ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ଏନ୍‌ଏସିରେ। ଅଭିଯୋଗ ଅନୁଯାୟୀ, ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଏନ୍‌ଏସି ଅଞ୍ଚଳରେ ଡ୍ରେନ୍‌ କାମ ଅଧା […]

drain.jpg0000

Tapaswini Nayak
  • Published: Wednesday, 02 October 2019
  • , Updated: 02 October 2019, 03:00 PM IST

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ପରିମଳ ବ୍ୟବସ୍ଥା ସୁଧାରିବାକୁ ଓ ଜଳ ନିଷ୍କାସନ ପାଇଁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର। ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ। କଣ୍ଟ୍ରାକ୍ଟରଙ୍କ ମନଇଚ୍ଛା କାମ ସାଙ୍ଗକୁ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି। ଏହାର ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ଏନ୍‌ଏସିରେ।

ଅଭିଯୋଗ ଅନୁଯାୟୀ, ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଏନ୍‌ଏସି ଅଞ୍ଚଳରେ ଡ୍ରେନ୍‌ କାମ ଅଧା ଖଣ୍ଡିଆ ହୋଇପଡ଼ି ରହିଛି। ଫଳରେ ଅସରାଏ ବର୍ଷାରେ ଡ୍ରେନ୍ ପାଣି ରାସ୍ତା ଚାଲୁଛି ଓ ଘରେ ପଶୁଛି। ରାସ୍ତାରେ ଏହି ଅପରିଷ୍କାର ପାଣି ଉପରେ ଲୋକେମାନେ ଯାତାୟତ କରୁଛନ୍ତି। ଆଉ ଏହା ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟ ସୃଷ୍ଟି କରୁଛି।


ଏହି ଡ୍ରେନ୍‌ ସମସ୍ୟା ଯୋଗୁ ରଣପୁର-ଚାନ୍ଦପୁର ମୁଖ୍ୟ ରାସ୍ତା, ଜଗନ୍ନାଥ ମନ୍ଦିର ସାମ୍ନା ଓ ରାଜନଅର ସାମ୍ନା ମୁଖ୍ୟ ରାସ୍ତା ଉପରେ ସାମାନ୍ୟ ବର୍ଷାରେ ବନ୍ୟା ଭଳି ସ୍ଥିତି ଦେଖିବାକୁ ମିଳୁଛି। ସୁଆଁ ସିଆ ସାହି ଠାରୁ ଆରମ୍ଭ କରି କୋର୍ଟ ପର୍ଯ୍ୟନ୍ତ ସବୁଠି ସମାନ ଅବସ୍ଥା ଦେଖିବାକୁ ମିଳୁଛି।


ସ୍ଥାନୀୟ ବାସିନ୍ଦା ରମେଶ ନାୟକ କହିଛନ୍ତି,“ ରାସ୍ତା ଉପରେ ଡ୍ରେନ୍‌ ପାଣି ଚାଲୁଛି। ଏହି ଅପରିଷ୍କାର ପାଣି ଉପରେ ଲୋକମାନେ ଯିବା ଆସିବା କରୁଛନ୍ତି। ରାସ୍ତାରେ ଡ୍ରେନ୍‌ ପାଣି ଜମିବା ଯୋଗୁ ପିଲାମାନେ ସ୍କୁଲ୍‌ ଯାଇପାରୁ ନାହାନ୍ତି। ଲୋକେ ଗାଡ଼ି ମୋଟରରେ ଯିବା ପାଇଁ ଡରୁଛନ୍ତି। ଅପରିଷ୍କାର ପାଣି ପାଇଁ ମଶାମାଛି ହେଉଛନ୍ତି। ଫଳରେ ଲୋକାମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି।”


ଆଉ ଜଣେ ସ୍ଥାନୀୟ ବାସିନ୍ଦା ସୁଶାନ୍ତ ସାହୁ କହିଛନ୍ତି, “ଡ୍ରେନ୍ କାମ ପାଇଁ ସିମେଣ୍ଟ ଓ ବାଲି ଆସି ପଡ଼ି ରହିଛି। କାମ କେବେ ହେବ ବୋଲି ଠିକାଦାରଙ୍କୁ ପଚାରିବାରୁ ସିମେଣ୍ଟ ଓ ବାଲି ରେଟ୍ ବଢ଼ି ଯାଇଛି ବୋଲି କାମ ହୋଇପାରୁନି କହୁଛନ୍ତି।”

ଅନ୍ୟପକ୍ଷରେ ରଣପୁର ଏନଏସିର ନିର୍ବାହୀ ଅଧିକାରୀ ଅର୍ଚ୍ଚନା ନାୟକ କହିଛନ୍ତି, “ବର୍ଷା ଯୋଗୁ କାମ ଅଟକି ଯାଇଛି। ୧୫ ଦିନ ଭିତରେ କାମ ସାରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କାମ ସରିଗଲେ ଏ ସମସ୍ୟାର ସମାଧାନ ହୋଇଯିବ।”

Related story