ଜିଲ୍ଲା ପରିଷଦରେ ବିଲୟ ହେବ ଡିଆରଡିଏ, ଏକ ଲକ୍ଷ ଏକରର ଲ୍ୟାଣ୍ଡ ବ୍ୟାଙ୍କ ସମେତ ୩୨ ପ୍ରସ୍ତାବକୁ ମୋହର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ଡିଆରଡିଏ( ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା) ରହିବ ନାହିଁ । ଏହା ଜିଲ୍ଲା ପରିଷଦରେ ବିଲୟ ହେବ । ରାଜ୍ୟ କ୍ୟାବିନେଟରେ ଆଜି ଏହି ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ମୋଟ ୩୨ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। କ୍ୟାବିନେଟ ବୈଠକ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମୋଟ ୩୨ଟି ପ୍ରସ୍ତାବକୁ ଅନୁମୋଦନ […]

Odisha

Ordigital Desk
  • Published: Wednesday, 18 May 2022
  • , Updated: 18 May 2022, 10:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ଡିଆରଡିଏ( ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା) ରହିବ ନାହିଁ । ଏହା ଜିଲ୍ଲା ପରିଷଦରେ ବିଲୟ ହେବ । ରାଜ୍ୟ କ୍ୟାବିନେଟରେ ଆଜି ଏହି ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ମୋଟ ୩୨ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି।

କ୍ୟାବିନେଟ ବୈଠକ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମୋଟ ୩୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ପଂଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ସଶକ୍ତ ଓ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ସମ୍ବିଧାନର ୭୩ତମ ସଂଶୋଧନରେ ନିର୍ଦ୍ଦେଶ ଆଧାରରେ ଚତୁର୍ଥ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ରାଜ୍ୟ ସରକାର ଜିଲ୍ଲାସ୍ତରରେ ଥିବା ଡିଆରଡିଏ ସଂସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଡିଆରଡିଏରେ କାର୍ଯ୍ୟରତ କର୍ମଚାରୀମାନେ ଏଣିକି ଜିଲ୍ଲା ପରିଷଦର କର୍ମଚାରୀ ଭାବେ କାର୍ଯ୍ୟ କରିବେ।

ପଂଚାୟତିରାଜ ଅନୁଷ୍ଠାନଗୁଡ଼ିକର ସଶକ୍ତିକରଣ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ସେହିପରି ରାଜ୍ୟ କ୍ୟାବିନେଟ ଆଜି ‘ଲ୍ୟାଣ୍ଡ ବ୍ୟାଙ୍କ ସ୍କିମ୍‌’ ନାମକ ଏକ ନୂତନ ଯୋଜନାକୁ ଅନୁମୋଦନ କରିଛନ୍ତି । ଇଡକୋ ମାଧ୍ୟମରେ ଏହି ଯୋଜନାରେ ଏକ ଲକ୍ଷ ଏକର ଜମି ବିଶିଷ୍ଟ ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଯାହାଫଳରେ ରାଜ୍ୟରେ ବିଭିନ୍ନ ଧରଣର ଶିଳ୍ପ ୟୁନିଟ୍ ପ୍ରତିଷ୍ଠା ହୋଇପାରିବ । ବୃହତ୍ ଶିଳ୍ପ ସଂସ୍ଥା ପାଇଁ ‘ପ୍ଲଗ ଆଣ୍ଡ ପ୍ଲେ’ ସୁବିଧା ସହିତ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ଇଡକୋ ଦାୟିତ୍ୱକୁ ଦେଇଛନ୍ତି । ଶିଳ୍ପ ଅଭିବୃଦ୍ଧି ପାଇଁ ଇଡକୋ ମଧ୍ୟ ବିଭିନ୍ନ ସ୍ଥାନରେ ଘରୋଇ ଜମି ହାସଲ କରିବାକୁ ସକ୍ଷମ ହେବ । ଏହି ଲ୍ୟାଣ୍ଡ ବ୍ୟାଙ୍କ ନିମନ୍ତେ ରାଜ୍ୟ ସରକାର ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ୮୫୬ କୋଟି ଟଙ୍କା ବିନିଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା ସମ୍ଭାବ୍ୟ ନିବେଶକମାନଙ୍କୁ ଶିଳ୍ପ ଓ ଭିତ୍ତିଭୂମି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ବିନିଯୋଗ କରିବାକୁ ଉତ୍ସାହିତ କରିବ।

ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ମଠଗୁଡ଼ିକର ଥଇଥାନ ନିମନ୍ତେ ୧.୩୨୦ ଏକର ସରକାରୀ ଜମିକୁ ବିନା ଦେୟରେ ପ୍ରଦାନ କରିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି । ମେଘନାଦ ପାଚେରୀର ଚତୁଃପାଶ୍ୱର୍ରେ ୭୫ ମିଟର ଦୂରତ୍ୱ ମଧ୍ୟରେ ଯେଉଁସବୁ ମଠକୁ ସରକାର ଅଧିଗ୍ରହଣ କରିଛନ୍ତି ସେଥିପାଇଁ ବିସ୍ଥାପିତ ହୋଇଥିବା ୧୩ଟି ମଠକୁ ଚିହ୍ନଟ କରାଯାଇଛି। ଏହି ସରକାରୀ ଜମିକୁ ବିସ୍ଥାପିତ ହୋଇଥିବା ମଠଗୁଡ଼ିକ ନାଁରେ ପଞ୍ଜିକରଣ କରିବା ନିମନ୍ତେ ଆବଶ୍ୟକୀୟ ଷ୍ଟାମ୍ପ ଦେୟ ଓ ରେଜିଷ୍ଟ୍ରେସନ ଫିକୁ ମଧ୍ୟ ଛାଡ଼ କରିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାରଙ୍କ ପୁନର୍ବାସ ଓ ଥଇଥାନ ପ୍ୟାକେଜ ଅନୁସାରେ ଏହି ଜମି ପ୍ରଦାନ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସେହିପରି ଡ୍ରିମସ କଲେଜକୁ ୟୁନିର୍ଭସିଟି ମାନ୍ୟତା ଦେବା ପାଇଁ ଏକ ସ୍ୱତନ୍ତ୍ର ବିଲକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହି ୟୁନିର୍ଭସିଟି ବିଲ୍ ଆଗାମୀ ଦିନରେ ବିଧାନସଭାରେ ଉପସ୍ଥାପନ ହେବ । ଏହାସହିତ ସିଭି ରମଣ ଗ୍ଲୋବାଲ ୟୁନିର୍ଭସିଟି ଆକ୍ଟରେ ସଂଶୋଧନ, ଗାନ୍ଧି ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ ଆଇନ-୨୦୧୮ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ୨୪ଟି ଘରୋଇ ଉଚ୍ଚ ପ୍ରାଥମିକ ସ୍କୁଲକୁ ୨୦୨୨ ଜାନୁୟାରୀ ୧ରୁ ଗ୍ରାଣ୍ଟ-ଇନ-ଏଡ୍ ଅନୁଦାନ ପ୍ରଦାନକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି।

ଏହାସହିତ ମୟୂରଭଞ୍ଜ ଜିଲ୍ଲାର ଉଦଳା, ଖୁଂଟା, ବଡ଼ସାହି ଓ ଜିବିନଗର ବ୍ଲକରେ ମୋଟ ୬୨ଟି ପଂଚାୟତକୁ ମେଗା ଗ୍ରାମ୍ୟ ପାଇପ୍ ଜଳ ଯୋଗାଣ ସହ ରାଉଁରିଆ ଓ ସୁକୃଳି ବ୍ଲକରେ ଜଳଯୋଗାଣ ପ୍ରକଳ୍ପ, ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଓ ବାମରା ବ୍ଲକରେ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ, ଦେବଗଡ଼ ଜିଲ୍ଲାରେ ୨ଟି ମେଗା ପାଇପ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ସେହିପରି ସମ୍ବଲପୁରରେ ଓଡ଼ିଶାର ଦ୍ୱିତୀୟ ସୈନିକ ସ୍କୁଲ ସ୍ଥାପନ ନିମନ୍ତେ ସମ୍ବଲପୁର ତହସିଲ ଅଂଚଳରେ ୧୦୦.୫ଏକର ଜମି ଏବଂ ରାଉରକେଲାରେ କେନ୍ଦ୍ର ସରକାରଙ୍କ ଏମଏସଏମଇ ନିମନ୍ତେ ଟେକ୍ନୋଲୋଜି ସେଂଟର ସ୍ଥାପନ ପାଇଁ ୧୪.୫ ଏକର ଜମି ପ୍ରଦାନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି।

 

Related story