ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନୂଆବର୍ଷ ଆରମ୍ଭରୁ ଯାନବାହନ ନିୟନ୍ତ୍ରଣ କ୍ଷେତ୍ରରେ ଲାଗୁ ହୋଇଛି ନୂଆ ନିୟମ। ଆଜିଠୁ ରାଜ୍ୟର ସମସ୍ତ ଜାତୀୟ ରାଜପଥ ଟୋଲ୍ ପ୍ଲାଜାରେ ଆରମ୍ଭ ହୋଇଛି ଇ-ଡିଟେକ୍ସନ୍ ବ୍ୟବସ୍ଥା। ଏହି ବ୍ୟବସ୍ଥା ଅଧୀନରେ ଟୋଲ ପ୍ଲାଜା ଅତିକ୍ରମ କରୁଥିବା ଗାଡ଼ିର ଫାଷ୍ଟ୍ୟାଗ୍ ଓ ଗାଡ଼ିର ଛବିକୁ ଆଧାର କରି ଗାଡ଼ିର ପଞ୍ଜୀକରଣ ପ୍ରମାଣପତ୍ର, ଫିଟ୍ନେସ୍ ସାର୍ଟିଫିକେଟ୍, ପରମିଟ୍, ପ୍ରଦୂଷଣ ପ୍ରମାଣପତ୍ର ଆଦି ଯାଞ୍ଚ କରିବ ରାଜ୍ୟ ପରିବହନ କର୍ତ୍ତୃପକ୍ଷର ଇ-ଡିଟେକ୍ସନ ପୋର୍ଟାଲ।
ଯେଉଁ ଗାଡ଼ିର ବୈଧ ଡକ୍ୟୁମେଣ୍ଟ ନ ଥିବ, ଏହା ବିରୋଧରେ ଅଟୋମେଟେଡ୍ ଚାଲାଣ କଟିବ। ଆଜିଠୁ ଜାତୀୟ ରାଜପଥ ଟୋଲ୍ ଗେଟ୍ରେ ଆରମ୍ଭ ହୋଇଥିବା ଇ-ଡିଟେକ୍ସନ୍ ବ୍ୟବସ୍ଥା ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଖଣି ଓ ଶିଳ୍ପାଞ୍ଚଳରେ ମଧ୍ୟ ଲାଗୁ ହେବ ବୋଲି ଜଣାପଡ଼ିଛି। ସେପଟେ ବାରମ୍ବାର ତାରିଖ ବଦଳୁଥିବା ହାଇସିକ୍ୟୁରିଟି ଡେଡ୍ଲାଇନ୍ରେ ଆଜି ପଡ଼ିଛି ପୂର୍ଣ୍ଣଚ୍ଛେଦ। ଆଜିଠୁ ରାଜ୍ୟରେ ଲାଗୁ ହୋଇଛି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନିୟମ। ୧ ଓ ୨ରେ ଶେଷ ହେଉଥିବା ଗାଡ଼ି ନମ୍ବର ଲାଗି ଆଜିଠାରୁ ଏହି ନିୟମ ଲାଗୁ ହୋଇଛି। ପର୍ଯ୍ୟାୟକ୍ରମେ ଅନ୍ୟ ଗାଡ଼ି ନମ୍ବର ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ କଡ଼ାକଡ଼ି ହେବ ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଯୁଗ୍ମ କମିଶନର ଦୀପ୍ତି ରଞ୍ଜନ ପାତ୍ର କହିଛନ୍ତି।
ତେବେ ସଡ଼କ ସୁରକ୍ଷା ବିଶେଷଜ୍ଞ ସୁବ୍ରତ ନନ୍ଦ କହିବା କଥା କୋର୍ଟରେ ମାନବସମ୍ବଳ ଅଭାବରୁ ଅନେକ ଗାଡ଼ି ଚାଲାଣ ମାମଲା କୋର୍ଟରେ ପଡ଼ିରହୁଛି। ଏଭଳି ସ୍ଥିତିରେ ଇ-ଡିଟେକ୍ସନ୍ ବ୍ୟବସ୍ଥା ଓ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନିୟମଜନିତ ଜରିମାନା ଆଦାୟ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଲାଗି ଚ୍ୟାଲେଞ୍ଜ ଆଣିବ। ଲୋକଙ୍କୁ ବ୍ୟାପକ ସଚେତନ କରିବା ସହ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଯୋଗାଇ ଦେବାର ସମସ୍ତ ବ୍ୟବସ୍ଥା କରାଯାଉ। ନଚେତ ଜୋରିମାନ ଆଦାୟ ଲୋକଙ୍କ ଉପରେ ଏକ କାର୍ଯ୍ୟାନୁଷ୍ଠାନ ଭଳି ହେବା। ଏହା ଅସନ୍ତୋଷ ସୃଷ୍ଟି କରିବ।