କରୋନା କାଳରେ କାହା ପାଇଁ ଇକୋ-ରିଟ୍ରିଟ? ପର୍ଯ୍ୟଟକ ନା ଟେଣ୍ଟ ମାଲିକ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହୋଇଛି ଇକୋ-ରିଟ୍ରିଟର ତୃତୀୟ ସଂସ୍କରଣ। ଏଥିପାଇଁ ଅନ୍‌ ଲାଇନ୍‌ ବୁକିଂ ମଧ୍ୟ ଆରମ୍ଭ ହୋଇଯାଇଛି। ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଚଳିତବର୍ଷ ୭ଟି ସ୍ଥାନରେ ଇକୋ ରିଟ୍ରିଟ୍‌ ଆୟୋଜନ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ଗଞ୍ଜାମ ଜିଲ୍ଲାର ପାତିସୋନାପୁର ସମୁଦ୍ର କୂଳ ସହ କୋରାପୁଟର ପଟସିଲ୍ ହିଲ୍ ଷ୍ଟେସନରେ ପ୍ରଥମ ଥର ପାଇଁ ଆୟୋଜନ କରାଯାଇଛି ଇକୋ ରିଟ୍ରିଟ୍। ଓଡ଼ିଶା ଭଳି ସଂସ୍କୃତି ସଂପନ୍ନ ରାଜ୍ୟରେ ପାଶ୍ଚାତ୍ୟ ସଭ୍ୟତା ଶୈଳୀରେ […]

Eco-retreats

Ordigital Desk
  • Published: Wednesday, 15 December 2021
  • , Updated: 16 December 2021, 05:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହୋଇଛି ଇକୋ-ରିଟ୍ରିଟର ତୃତୀୟ ସଂସ୍କରଣ। ଏଥିପାଇଁ ଅନ୍‌ ଲାଇନ୍‌ ବୁକିଂ ମଧ୍ୟ ଆରମ୍ଭ ହୋଇଯାଇଛି। ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଚଳିତବର୍ଷ ୭ଟି ସ୍ଥାନରେ ଇକୋ ରିଟ୍ରିଟ୍‌ ଆୟୋଜନ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ଗଞ୍ଜାମ ଜିଲ୍ଲାର ପାତିସୋନାପୁର ସମୁଦ୍ର କୂଳ ସହ କୋରାପୁଟର ପଟସିଲ୍ ହିଲ୍ ଷ୍ଟେସନରେ ପ୍ରଥମ ଥର ପାଇଁ ଆୟୋଜନ କରାଯାଇଛି ଇକୋ ରିଟ୍ରିଟ୍। ଓଡ଼ିଶା ଭଳି ସଂସ୍କୃତି ସଂପନ୍ନ ରାଜ୍ୟରେ ପାଶ୍ଚାତ୍ୟ ସଭ୍ୟତା ଶୈଳୀରେ ହୋଇଥିବା ଇକୋ-ରିଟ୍ରିଟ୍ ପାଇଁ ଗତ ଦୁଇ ବର୍ଷରେ ୨୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ସରିଲାଣି।

କରୋନା ସତ୍ତ୍ୱେ ଚଳିତ ବର୍ଷ ଏହାର ବଜେଟ୍ ଆହୁରି ଅଧିକ ରହିଛି। ଶୁଣିବାକୁ ମିଳୁଛି ସରକାର ୫ ବର୍ଷିଆ ଇକୋ ରିଟ୍ରିଟ ଯୋଜନାରେ ପାଇଁ ୨୩୬ କୋଟିର ବଜେଟ ରଖିଛନ୍ତି। ତେବେ ଏହି ଟେଣ୍ଟ ହାଉସରେ ଗୋଟିଏ ରାତି ପାଇଁ ପର୍ଯ୍ୟଟକଙ୍କୁ ସର୍ବନିମ୍ନ ୧୦ ହଜାର ଟଙ୍କାରୁ ସର୍ବାଧିକ ୨୮ ହଜାର ଟଙ୍କା ଗଣିବାକୁ ପଡ଼ିବ। ସପ୍ତାହାନ୍ତ ରେଟ୍ ଆହୁରି ଚଢ଼ା ରହିଛି। ଅର୍ଥାତ୍ ୩୦ ହଜାର ଟଙ୍କା ଉପରେ ରହିଛି। ଦର ଅଧିକ ରହୁଥିବାରୁ କିମ୍ବା ଉପଯୁକ୍ତ ପ୍ରଚାର ଓ ଯୋଜନା ଅଭାବରୁ ୨ ବର୍ଷ ମଧ୍ୟରେ ହୀରାକୁଦରେ ୬୩ ପ୍ରତିଶତ ଟେଣ୍ଟ ହାଉସ ଖାଲି ପଡ଼ଥିବା ବେଳେ କୋଣାର୍କରେ ୩୧ ପ୍ରତିଶତ ବୁକିଂ ହୋଇ ନଥିଲା। ଅର୍ଥାତ୍ ହାରାହାରି ପ୍ରାୟ ୫୦ ପ୍ରତିଶତ ଟେଣ୍ଟ ହାଉସ୍‌ ଖାଲି ପଡ଼ିଥିଲା।

ସବୁଠାରୁ ଆଶ୍ଚର୍ଯ୍ୟ କଥା ଦାମୀ ବିଦେଶୀଙ୍କୁ ଆକୃଷ୍ଟ ପାଇଁ କରାଯାଉଥିବା ଏହି ହାଇ ପ୍ରୋଫାଇଲ ଟେଣ୍ଟ ହାଉସରେ ଆଜି ପର୍ଯ୍ୟନ୍ତ କେତେ ବିଦେଶୀ ପର୍ଯ୍ୟଟକ ବୁକିଂ କରିଛନ୍ତି, ତାହାର କୌଣସି ରେକର୍ଡ ନାହିଁ। ତେବେ ଶୁଣିବାକୁ ମିଳୁଛି ବିଦେଶୀ ପର୍ଯ୍ୟଟକ ୨ରୁ ୩ ଜଣ ଆସି ଆସିଛନ୍ତି। ସେପଟେ ଓଡ଼ିଶା ହୋଟେଲ ମାଲିକ ସଂଘ ସଭାପତି ଜେ.କେ ମହାନ୍ତି କହିଛନ୍ତି, ଇକୋରିଟ୍ରିଟରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ସ୍ଥାନୀୟ ଲୋକ ଏହା ଦ୍ୱାରା ରୋଜଗାରକ୍ଷମ ହୋଇପାରୁନାହାଁନ୍ତି।

https://youtu.be/7TRtJOZN2EY

ସୂଚନା ଅଧିକାର ଆଇନ୍‌(ଆରଟିଆଇ)ରେ ମିଳିଥିବା ତଥ୍ୟ କହୁଛି ଗତ ୫ ବର୍ଷରେ ପର୍ଯ୍ୟଟନ ବିକାଶ ନାଁରେ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ମୋଟ୍ ୨୭୫ କୋଟି ଟଙ୍କା। ବିଜ୍ଞାପନ ପାଇଁ ମଧ୍ୟ ଟଙ୍କାର ବର୍ଷା ହୋଇଛି। ଖାସ୍ କରି ଗତ ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥାତ୍ ୨୦୧୮-୧୯ ଆର୍ଥିକ ବର୍ଷରେ ଦେଶୀବିଦେଶୀ ଟିଭି ଚ୍ୟାନେଲରେ ୧୮ କୋଟିରୁ ଅଧିକ ଟଙ୍କାର ବିଜ୍ଞାପନ ଦିଆଯାଇଛି। ଯେଉଁଥିରୁ ଓଡ଼ିଆ ବୈଦ୍ୟୁତିକ ଗଣମାଧ୍ୟମକୁ ମାତ୍ର ୭୪ ଲକ୍ଷ ଟଙ୍କା ମିଳିଛି। କଥିତ ବର୍ଷର ବିଜ୍ଞାପନ ଖର୍ଚ୍ଚର ସିଂହ ଭାଗ ଅର୍ଥାତ ୧୦ କୋଟି ଟଙ୍କା ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲ ପାଇଛି। ଏହି ଚ୍ୟାନେଲରେ ରାଜ୍ୟ ସରକାରଙ୍କ ‘ଫନି’ ବାତ୍ୟାର ସଫଳ ମୁକାବିଲା କାହାଣୀ ପ୍ରଦର୍ଶିତ ହୋଇଥିବା ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ।  ୨୦୧୬ରୁ ୨୦୧୯ ମଧ୍ୟରେ ରାଜ୍ୟରେ ପର୍ଯ୍ୟଟକଙ୍କ ବୃଦ୍ଧି ହାର କ୍ରମାଗତ ଭାବେ ୯ ପ୍ରତିଶତରୁ କମ୍ ଥିବା ବେଳେ କରୋନା ପାଇଁ ଏହି ସଂଖ୍ୟା ୨୦୨୦-୨୧ରେ ୮୪ ପ୍ରତିଶତ ହ୍ରାସ ପାଇଛି। ଅର୍ଥାତ୍ କରୋନା କଟକଣା ଯୋଗୁ ଗତବର୍ଷ ମାତ୍ର ୬୫୨ ଜଣ ବିଦେଶୀ ପର୍ଯ୍ୟଟକ ଆସିଥିବା ବେଳେ ୨୩ ଲକ୍ଷ ଘରୋଇ ପର୍ଯ୍ୟଟକ ଓଡ଼ିଶା ଭ୍ରମଣ କରିଥିଲେ। କିନ୍ତୁ ଏହା ସତ୍ତ୍ୱେ ସରକାର ୨୦୨୦-୨୧ ଆର୍ଥିକ  ବର୍ଷରେ ପର୍ଯ୍ୟଟନ ‍କ୍ଷେତ୍ରରେ ୯୨ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ତେବେ ସରକାରୀ ତହବିଲରୁ ଖର୍ଚ୍ଚ ହେଉଥିବା ଟଙ୍କାର ମିଳିଥିବା ସଫଳତା ଜାଣିବା ପାଇଁ ପର୍ଯ୍ୟଟକ ନିର୍ଦ୍ଦେଶକଙ୍କୁ ପଚାରିଲେ ମଧ୍ୟ ସେ ଉତ୍ତର ଦେବାକୁ ନାରାଜ।

କୋଟି କୋଟି ଟଙ୍କାରେ ବିକଶିତ ସ୍ଥାୟୀ ପର୍ଯ୍ୟଟନ ସ୍ଥଳୀକୁ ଅବହେଳା କରି ଇକୋ-ରିଟ୍ରିଟ୍ ଆଳରେ ଅସ୍ଥାୟୀ କୁଟୀର କରି ବାହାବା ଲୁଟୁଛନ୍ତି ସରକାର। ବିଭାଗର ତଥ୍ୟ କହୁଛି ଇକୋ-ରିଟ୍ରିଟ୍‌ ଯୋଜନାରେ ମାଲାମାଲ ହେଉଛନ୍ତି ଟେଣ୍ଟ ହାଉସ ସଂସ୍ଥା, କିନ୍ତୁ ସରକାରଙ୍କର ଏଥିରେ ଲାଭ ବଦଳରେ କ୍ଷତି ହେଉଛି କୋଟି କୋଟି ଟଙ୍କା। ଏପଟେ କରାଦାତଙ୍କ ଅର୍ଥରେ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ବିଜ୍ଞାପନ ଦେଇ ରାଜ୍ୟ ସରକାର ନିଜର ପ୍ରଚାର କରୁଛନ୍ତି। କିନ୍ତୁ ନିର୍ବାଚନରେ ଏହାର ସିଧା ସଳଖ ଫାଇଦା ଉଠାଉଛି ଶାସକ ଦଳ।

Related story