୨୯ରେ ଘୋଷଣା ହେବ ତିର୍ତ୍ତୋଲ ଓ ବାଲେଶ୍ୱର ନିର୍ବାଚନ ତାରିଖ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିହାର ବିଧାନସଭା ନିର୍ବାଚନ ସହ ଉପନିର୍ବାଚନ ପ୍ରକ୍ରିୟା ନଭେମ୍ବର ୨୯ତାରିଖ ସୁଦ୍ଧା ସାରିବା ପାଇଁ ନିର୍ବାଚନ ଘୋଷଣା କରିଥିଲେ ମଧ୍ୟ ଆଜି ରାଜ୍ୟରେ ହେବାକୁ ଥିବା ୨ଟି ବିଧାନସଭା ଆସନରେ ଉପନିର୍ବାଚନ ନିମନ୍ତେ ତାରିଖ ଘୋଷଣା ହୋଇପାରିନି। ଆସନ୍ତା ୨୯ତାରିଖରେ ଓଡ଼ିଶାର ୨ଟି ଆସନ ସମେତ ମୋଟ ୬୪ଟି ବିଧାନସଭା ଓ ଗୋଟିଏ ଲୋକସଭା ଉପନିର୍ବାଚନ ଆସନଗୁଡ଼ିକରେ ଭୋଟ୍ ସମ୍ପର୍କରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିବେ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ଗଣମାଧ୍ୟମକୁ […]

sunil

Manoranjan Sial
  • Published: Friday, 25 September 2020
  • , Updated: 25 September 2020, 05:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିହାର ବିଧାନସଭା ନିର୍ବାଚନ ସହ ଉପନିର୍ବାଚନ ପ୍ରକ୍ରିୟା ନଭେମ୍ବର ୨୯ତାରିଖ ସୁଦ୍ଧା ସାରିବା ପାଇଁ ନିର୍ବାଚନ ଘୋଷଣା କରିଥିଲେ ମଧ୍ୟ ଆଜି ରାଜ୍ୟରେ ହେବାକୁ ଥିବା ୨ଟି ବିଧାନସଭା ଆସନରେ ଉପନିର୍ବାଚନ ନିମନ୍ତେ ତାରିଖ ଘୋଷଣା ହୋଇପାରିନି। ଆସନ୍ତା ୨୯ତାରିଖରେ ଓଡ଼ିଶାର ୨ଟି ଆସନ ସମେତ ମୋଟ ୬୪ଟି ବିଧାନସଭା ଓ ଗୋଟିଏ ଲୋକସଭା ଉପନିର୍ବାଚନ ଆସନଗୁଡ଼ିକରେ ଭୋଟ୍ ସମ୍ପର୍କରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିବେ ବୋଲି ଜଣାପଡ଼ିଛି।

ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟ ନିର୍ବାଚନ କମିଶନର(ସିଇସି) ସୁନୀଲ ଅରୋରା କହିଛନ୍ତି ଯେ, ବିଭିନ୍ନ ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ପ୍ରସଙ୍ଗରେ ଆସନ୍ତା ୨୯ତାରିଖରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିବେ। ଏହି ଉପନିର୍ବାଚନ ପ୍ରସଙ୍ଗରେ ବିଚାରବିମର୍ଶ ନିମନ୍ତେ ନିର୍ବାଚନ କମିଶନ ଆସନ୍ତା ସେପ୍ଟେମ୍ବର ୨୯ତାରିଖରେ ଏକ ବୈଠକ ଡାକିଛନ୍ତି। ଏହି ବୈଠକ ଇସିଆଇଙ୍କ ଜେନେରାଲ ସେକ୍ରେଟୋରୀ ଉମେଶ ସିହ୍ନାଙ୍କ ଅଧ୍ୟକ୍ଷତାରେ ହେବ। ବୈଠକ ପରେ ହିଁ ଖାଲି ପଡ଼ିଥିବା ଆସନଗୁଡ଼ିକରେ ଉପନିର୍ବାଚନ କେବେ ହେବ ତାହା ଘୋଷଣା କରାଯିବ। ଗତ ୩-୪ ଦିନ ହେଲା ଦକ୍ଷିଣ ଭାରତର କିଛି ରାଜ୍ୟ ସରକାର ସେମାନଙ୍କ ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନର ସମୟକୁ ନେଇ ଆପତ୍ତି ଉଠାଇଛନ୍ତି।

ଅନ୍ୟପକ୍ଷରେ, ନଭେମ୍ବର ୨୯ତାରିଖ ମଧ୍ୟରେ ଉପନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ନିର୍ବାଚନ କମିଶନଙ୍କ ଘୋଷଣା ପରଠୁ ରାଜ୍ୟରେ ଖାଲ ପଡ଼ିଥିବା ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଆସନ ପାଇଁ ପ୍ରସ୍ତୁତିକୁ ଜିଲ୍ଲା ପ୍ରଶାସନ ଚୂଡ଼ାନ୍ତ ରୂପ ଦେଇସାରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଇତିମଧ୍ୟରେ ଦୁଇଥର ଏହି ଆସନ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ କରି ନିର୍ବାଚନ ନିମନ୍ତେ ଅତିରିକ୍ତ ବୁଥ୍ ଗଠନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟରେ ଚଳିତଥର ଅଧିକ ସଂଖ୍ୟକ ବୁଥ ଗଠନ ଉପରେ ଗୁରୁତ୍ୱ ଦିଆଯାଇଥିବାବେଳେ ନିର୍ବାଚନ ପରିଚାଳନା ନିମନ୍ତେ ନିୟୋଜିତ କର୍ମଚାରୀଙ୍କୁ ପ୍ରଶିକ୍ଷଣ, ଯାନବାହନର ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଷ୍ଟ୍ରଙ୍ଗରୁମ ଓ ଭୋଟ ଗଣତି କେନ୍ଦ୍ରର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି।

ସୂଚନାଯୋଗ୍ୟ, ବାଲେଶ୍ୱର ସଦର ବିଜେପି ବିଧାୟକ ମଦନମୋହନ ଦତ୍ତ ଓ ତିର୍ତ୍ତୋଲ ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କ ଅକାଳ ମୃତ୍ୟୁ ଯୋଗୁ ଏହି ଦୁଇ ଆସନରେ ଉପନିର୍ବାଚନ ହେବ।

Related story