‘ଗ୍ରୀଡ୍ ମରାମତି ସରିବା ପରେ ସେସୁ ବିଦ୍ୟୁତ୍ ଯୋଗାଣ କାମ ଆରମ୍ଭ କରିବ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ପୁରୀ ଓ ଭୁବନେଶ୍ୱରରେ ବ୍ୟାପକ କ୍ଷୟକ୍ଷତି କରିଥିବା ବେଳେ ଏ ଦୁଇ ସହର ସମେତ ଖୋର୍ଦ୍ଧା ଓ କଟକରେ ମଧ୍ୟ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାର ଉପରେ ଗଛ ପଡ଼ିଯାଇଛି। କିଛି ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଯାଇଥିବା ବେଳେ କେଉଁଠି ପୂରା ଉପୁଡ଼ି ପଡ଼ିଛି। ଆଉ କେଉଁଠି ତାର ଛିଡ଼ି ରାସ୍ତାରେ ପଡ଼ିଛି। ଉପୁଡ଼ି ପଡ଼ିଥିବା ଗଛଗୁଡ଼ିକୁ ହଟା ଯାଉଥିବା ବେଳେ ବିଦ୍ୟୁତ୍ […]

power

Jitendra Garnayak
  • Published: Sunday, 05 May 2019
  • , Updated: 05 May 2019, 04:25 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ପୁରୀ ଓ ଭୁବନେଶ୍ୱରରେ ବ୍ୟାପକ କ୍ଷୟକ୍ଷତି କରିଥିବା ବେଳେ ଏ ଦୁଇ ସହର ସମେତ ଖୋର୍ଦ୍ଧା ଓ କଟକରେ ମଧ୍ୟ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାର ଉପରେ ଗଛ ପଡ଼ିଯାଇଛି। କିଛି ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଯାଇଥିବା ବେଳେ କେଉଁଠି ପୂରା ଉପୁଡ଼ି ପଡ଼ିଛି। ଆଉ କେଉଁଠି ତାର ଛିଡ଼ି ରାସ୍ତାରେ ପଡ଼ିଛି। ଉପୁଡ଼ି ପଡ଼ିଥିବା ଗଛଗୁଡ଼ିକୁ ହଟା ଯାଉଥିବା ବେଳେ ବିଦ୍ୟୁତ୍ ସେବାକୁ ବ୍ୟବସ୍ଥିତ କରିବା ପାଇଁ ପ୍ରୟାସ ଚାଲିଛି।

ଦୁଇ ଦିନ ହେଲା ବିଦ୍ୟୁତ୍ ସରବରାହ ବନ୍ଦ ରହିଥିବା ବେଳେ ପ୍ରଭାବିତ ଅଞ୍ଚଳରେ ଗ୍ରୀଡ୍ ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ନେଇ ଏସ୍‌ଏଲ୍‌ଡିସି (ଷ୍ଟେଟ୍‌ ଲୋଡ୍ ଡିସ୍‌ପାଚ୍‌ ସେଣ୍ଟର)ର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ପୁରୀ, କଟକ ଓ ଭୁବନେଶ୍ୱରରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। କଟକରେ ସମସ୍ତ ଗ୍ରୀଡ୍‌ର ମରାମତି କାମ ଶେଷ ହୋଇଛି। ଭୁବନେଶ୍ୱରରେ ଥିବା ୪ଟି ଯାକ ଗ୍ରୀଡ୍‌ର କାମ କାଲି ଶେଷ ହୋଇଯିବ। ଗ୍ରୀଡ୍ କାମ ଶେଷ ହେବା ପରେ ସେସୁ ବିଦ୍ୟୁତ୍ ଯୋଗାଣ କାମ ଆରମ୍ଭ କରିବ।”

ସେ କହିଛନ୍ତି,“କଟକ, ଭୁବନେଶ୍ୱର ପରେ ପୁରୀରେ ଗ୍ରୀଡ୍‌ ମରାମତି କାମ ତ୍ୱରାନ୍ୱିତ କରାଯିବ। ପୁରୀର ସବୁ ଗ୍ରୀଡ୍ ମରାମତି ହେବାକୁ ଆଉ ୩ ଦିନ ଲାଗିଯିବ। ଏବେ ସେସୁ ମାତ୍ର ୨୫୦ ମେଗାୱାଟ୍‌ ବିଜୁଳି ବ୍ୟବହାର କରୁଛି। ସେସୁର ଆବଶ୍ୟକ ବିଜୁଳି ପରିମାଣ ହେଉଛି ୯୦୦ରୁ ୧୦୦୦ ମେଗାୱାଟ୍‌।”

ଅନ୍ୟପକ୍ଷରେ ଶକ୍ତି ସଚିବ ହେମନ୍ତ ଶର୍ମା କହିଛନ୍ତି-“ଆଜି ସୁଦ୍ଧା ଜରୁରୀକାଳୀନ ଅନୁଷ୍ଠାନକୁ ବିଦ୍ୟୁତ ଯୋଗାଣ କରାଯିବ। ହସ୍ପିଟାଲ, ରେଲୱେ, ଏୟାରପୋର୍ଟକୁ ବିଦ୍ୟୁତ ଯୋଗା ଦିଆଯିବ। ଆସନ୍ତାକାଲି ଘରୋଇ ଉପଭୋକ୍ତାଙ୍କୁ ବିଦ୍ୟୁତ ସେବା ଦିଆଯିବ। ବାତ୍ୟାରେ ୧୨୦୦ କୋଟି ଟଙ୍କାର କ୍ଷତି ହୋଇଛି।”

ସେହିପରି ସେସୁର ସିନିଅର ଜିଏମ୍‌ ସୁବ୍ରତ ମିଶ୍ର କହିଛନ୍ତି-“ଫୋନି ଯୋଗୁଁ ସେସୁ ଅଧୀନରେ ସମସ୍ତ ୨୯ ଲକ୍ଷ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି। ଭୁବନେଶ୍ୱରରେ ୧୦ ହଜାରରୁ ଅଧିକ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଛି। କିନ୍ତୁ ଯୋଗାଯୋଗ ହୋଇ ପାରୁ ନଥିବାରୁ ସ୍ପଷ୍ଟ ଚିତ୍ର ଆସିପାରିନି। ପୁରୀରେ ଏତେ କ୍ଷତି ହୋଇଛି ଯେ କହିବା ସମ୍ଭବ ନୁହେଁ। ଭୁବନେଶ୍ୱରରେ ମରାମତି କାମରେ ନିୟୋଜିତ ଅଛନ୍ତି ଅତିରିକ୍ତ ୧୫ ଶହ ଜଣ କର୍ମଚାରୀ। ଯେତେ ଶୀଘ୍ର ସମ୍ଭବ ଆମେ ଭୁବନେଶ୍ୱରକୁ ବିଦ୍ୟୁତ ସଂଯୋଗ କରିବାକୁ ଚେଷ୍ଟା କରୁଛୁ।”

Related story