ଧୋକା ଦେଲେ ଶକ୍ତିମନ୍ତ୍ରୀ: କମିବନି ବିଦ୍ୟୁତ ଶୁଳ୍କ, ବିରୋଧୀ ବି ନିରବ

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟରେ କରୋନା ମହାମାରୀଜନିତ କଟକଣା ସାଙ୍ଗକୁ ବିଜୁଳି ଦର ବୃଦ୍ଧି ସାଧାରଣ ଲୋକଙ୍କ ଜୀବନଜୀବିକାକୁ ପ୍ରଭାବିତ କରିଥିବା ବେଳେ ରାଜ୍ୟ ସରକାର ବିଧାନସଭାରେ କରିଥିବା ଘୋଷଣାକୁ ବି ଏବେ ଭୁଲି ଯାଇଛନ୍ତି। କରୋନା ସଙ୍କଟ କାଳରେ ରାଜ୍ୟରେ ମାତ୍ର ୬ମାସ ବ୍ୟବଧାନରେ ଦୁଇଥରରେ ବିଦ୍ୟୁତ ଶୁଳ୍କରେ ୟୁନିଟ ପିଛା ୫୦ ବୃଦ୍ଧିକୁ ନେଇ ସବୁ ମହଲରୁ ତୀବ୍ର ବିରୋଧ ହେବାପରେ ରାଜ୍ୟ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ବିବୃତ୍ତି ଦେଇ ଏହି ବର୍ଦ୍ଧିତ ଶୁଳ୍କର […]

captain dibya sankar mishra

Ordigital Desk
  • Published: Saturday, 24 April 2021
  • , Updated: 24 April 2021, 09:58 PM IST

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟରେ କରୋନା ମହାମାରୀଜନିତ କଟକଣା ସାଙ୍ଗକୁ ବିଜୁଳି ଦର ବୃଦ୍ଧି ସାଧାରଣ ଲୋକଙ୍କ ଜୀବନଜୀବିକାକୁ ପ୍ରଭାବିତ କରିଥିବା ବେଳେ ରାଜ୍ୟ ସରକାର ବିଧାନସଭାରେ କରିଥିବା ଘୋଷଣାକୁ ବି ଏବେ ଭୁଲି ଯାଇଛନ୍ତି। କରୋନା ସଙ୍କଟ କାଳରେ ରାଜ୍ୟରେ ମାତ୍ର ୬ମାସ ବ୍ୟବଧାନରେ ଦୁଇଥରରେ ବିଦ୍ୟୁତ ଶୁଳ୍କରେ ୟୁନିଟ ପିଛା ୫୦ ବୃଦ୍ଧିକୁ ନେଇ ସବୁ ମହଲରୁ ତୀବ୍ର ବିରୋଧ ହେବାପରେ ରାଜ୍ୟ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ବିବୃତ୍ତି ଦେଇ ଏହି ବର୍ଦ୍ଧିତ ଶୁଳ୍କର ପୁର୍ନବିଚାର କରିବା ନିମନ୍ତେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି)ଙ୍କ ପାଖରେ ଆବେଦନ କରାଯିବ ବୋଲି ଆଶ୍ୱସ୍ତ କରିଥିଲେ। କିନ୍ତୁ ଇତିମଧ୍ୟରେ ୨୫ଦିନ ବିତିଯାଇଥିଲେ ବି ସରକାର ଏଦିଗରେ ନିରବ ରହିଛନ୍ତି। ଆଉ କରୋନା କାଳରେ ସାଧାରଣ ଲୋକଙ୍କ ଆର୍ଥିକ ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ ଏହି ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ସିଧାସଳଖ ଉପଭୋକ୍ତାଙ୍କ ପେଟରେ ଲାତ ସଦୃଶ ହୋଇଛି। ଆଉ ସରକାର କଥାଦେଇ ପରବର୍ତ୍ତୀ ଅବସ୍ଥାରେ ଓହରି ଯିବାକୁ ମଧ୍ୟ ପଛାଇ ନଥିବା ଜଣାପଡ଼ିଛି।

ରାଜ୍ୟ ଶକ୍ତି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏପ୍ରିଲ ୪ତାରିଖରୁ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ଲାଗୁ ପାଇଁ ଓଇଆରସିଙ୍କ ନିର୍ଦ୍ଦେଶ ଏବେ କାର୍ଯ୍ୟକାରୀ ହେଉଛି। ମାର୍ଚ୍ଚ ୨୭ତାରିଖରେ ଓଇଆରସି ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ବିଦ୍ୟୁତ ଟାରିଫ ଘୋଷଣା କରି ୟୁନିଟ୍ ପିଛା ୩୦ପଇସା ବୃଦ୍ଧି କରିଥିଲେ। ବିଭିନ୍ନ ବର୍ଗରୁ ବିରୋଧ ସମେତ ବିଧାନସଭାରେ ଉଭୟ ବିଜେପି ଓ କଂଗ୍ରେସ ତୀବ୍ର ହଟ୍ଟଗୋଳ କରିବାପରେ ରାଜ୍ୟ ସରକାର ଏହି ବର୍ଦ୍ଧିତ ବିଦ୍ୟୁତ ଶୁଳ୍କର ପୁନର୍ବିଚାର କରିବା ନିମନ୍ତେ ଓଇଆରସିଙ୍କ ପାଖରେ ଆବେଦନ କରାଯିବ ବୋଲି ଘୋଷଣା କରିଥିଲେ। ଶକ୍ତିମନ୍ତ୍ରୀ ଶ୍ରୀ ମିଶ୍ର ମାର୍ଚ୍ଚ ୩୧ତାରିଖରେ ବିଧାନସଭାରେ ରଖିଥିବା ଏହି ବୟାନକୁ ୟା’ଭିତରେ ୨୫ଦିନ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ଓଇଆରସିଙ୍କ ପାଖରେ ସରକାରଙ୍କ ପକ୍ଷରୁ କୌଣସି ଆବେଦନ କରାଯାଇ ନାହିଁ। ଏ ସଂକ୍ରାନ୍ତ ଫାଇଲ୍‌କୁ ଅନୁମୋଦନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଥିଲା, କିନ୍ତୁ ଏପର୍ଯ୍ୟନ୍ତ ତାହା ସେଠାରେ ପଡ଼ି ରହିଛି ବୋଲି ଶକ୍ତି ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ଏବେ ରାଜ୍ୟ ସରକାର ଏହି ବର୍ଦ୍ଧିତ ବିଦ୍ୟୁତ ଶୁଳ୍କକୁ ପ୍ରତ୍ୟାହାର କରିବା ନିମନ୍ତେ ଓଇଆରସିଙ୍କ ପାଖରେ ପୁନର୍ବିଚାର ଆବେଦନ କରି ଅତିରିକ୍ତ ବାର୍ଷିକ ପ୍ରାୟ ୬୦୦କୋଟି ଟଙ୍କାର ବୋଝ ମୁଣ୍ଡାଇବାକୁ ଚାହୁଁନାହାନ୍ତି। କାରଣ ଯଦି ସରକାର ପୁନର୍ବିଚାର ଆବେଦନ କରିବେ, ତା’ହେଲେ ବିଦ୍ୟୁତ ଶୁଳ୍କ ଉପରେ ସବସିଡି ଦେବା ନିମନ୍ତେ ଓଇଆରସି ନିର୍ଦ୍ଦେଶ ଦେବାର ସମ୍ଭାବନା ଅଧିକ ରହିଛି। ଆଉ ସରକାର ଏବେ ପ୍ରାୟ ୬୦୦ରୁ ୬୫୦କୋଟି ଟଙ୍କାର ସବସିଡି ବୋଝ ମୁଣ୍ଡାଇବାକୁ ଚାହୁଁନାହାନ୍ତି। କରୋନା ସଙ୍କଟ କାଳରେ ରାଜ୍ୟବାସୀଙ୍କ ତ୍ୱରିତ୍ ଟିକାକରଣ ନିମନ୍ତେ ରାଜ୍ୟ ସରକାର ସିଧାସଳଖ କୋଭିଡ୍ ଟିକା କିଣିବାକୁ ଯୋଜନା କରୁଥିବାରୁ ଅତିରିକ୍ତ ଆର୍ଥିକ ବୋଝର ଚାପ ରହିଛି। ତେଣୁ ଏଭଳି ସ୍ଥିତିରେ ସରକାର ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ନିମନ୍ତେ ପୁନର୍ବିଚାର ଆବେଦନ ଓଇଆରସିଙ୍କ ପାଖରେ କରି ହଟହଟା ହେବାକୁ ଚାହୁଁନାହାନ୍ତି। ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୨୨ହଜାର ମିଲିୟନ ୟୁନିଟ୍ ବିଦ୍ୟୁତ୍ ଉପରେ ସରକାରଙ୍କୁ ସବ୍‌ସିଡି ଦେବାକୁ ପଡ଼ିବ। ୟୁନିଟ୍ ପିଛା ୩୦ପଇସା ହେଲେ ଏହି ସବସିଡି ପରିମାଣ ପ୍ରାୟ ୬୬୦କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଯଦି ବିପିଏଲ ଓ ଜଳସେଚନ ସବସିଡିକୁ ବାଦ୍ ଦିଆଯାଏ ତା’ହେଲେ ବି ଏହି ପରିମାଣ ପ୍ରାୟ ୬୦୦କୋଟି ଟଙ୍କା ରହିବ। ରାଜ୍ୟର ଆର୍ଥିକ ସ୍ଥିତି ଯାହା ରହିଛି ସରକାର ଏଭଳି ସବ୍‌ସିଡି ଦେଇ ଅତିରିକ୍ତ ଆର୍ଥିକ ବୋଝ ମୁଣ୍ଡାଇବା ଚକ୍କରରେ ନାହାନ୍ତି। ତେଣୁ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର ହେବାର ସମ୍ଭାବନା କ୍ଷୀଣ ବୋଲି ଶକ୍ତି ବିଭାଗର ସମ୍ପୃକ୍ତ ବରିଷ୍ଠ ଅଧିକାରୀ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କକୁ ନେଇ ହୋହାଲ୍ଲା କରୁଥିବା ବିରୋଧୀ ଦଳ ଓ ଅନ୍ୟ ସାମାଜିକ ସଂଗଠନଗୁଡ଼ିକ ମଧ୍ୟ ଏବେ ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନିରବ ପାଲଟିଛନ୍ତି। କରୋନା ମାଡ଼ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ବଙ୍କା କରିଦେଇଥିବାବେଳେ ବିଦ୍ୟୁତ୍ ଶୁଳ୍କ ବୋଝ ଅସହ୍ୟ ହେଲାଣି। ଆଉ ଶକ୍ତିମନ୍ତ୍ରୀ ବିଧାନସଭାରେ ଏନେଇ ଆଶ୍ୱାସନା ଦେଇ ଏବେ ଆଉ ଧରାଛୁଆଁ ଦେଉନାହାନ୍ତି। ସରକାରଙ୍କ ଏଭଳି ଧୋକା କରୋନା ସଙ୍କଟ କାଳରେ ରାଜ୍ୟର ସାଧାରଣ ଲୋକଙ୍କ ପାଇଁ ଦୁର୍ବିଷହ ହୋଇପଡ଼ିଛି।

Related story