ବିବାହର ପ୍ରତିଶ୍ରୁତି ଦେଇ ସହମତିରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ: ହାଇକୋର୍ଟ

କଟକ (ଓଡ଼ିଶା ରିପୋର୍ଟର): ବିବାହର ପ୍ରତିଶ୍ରୁତି ଦେଇ ସହମତିରେ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଲେ ଏହାକୁ ଦୁଷ୍କର୍ମ ବୋଲି ବିବେଚନା କରାଯିବ ନାହିଁ। ଏଭଳି ଏକ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଦୁଷ୍କର୍ମ ମାମଲାରେ ଜାମିନ ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି, ମହିଳା ମାନେ ସ୍ୱଇଚ୍ଛାରେ ସମ୍ପର୍କ ରଖିଥିବା କ୍ଷେତ୍ରରେ ଦୁଷ୍କର୍ମ ଆଇନର ବ୍ୟବହାର ହେବା […]

high-court

  • Published: Sunday, 08 January 2023
  • , Updated: 09 January 2023, 12:16 PM IST

କଟକ (ଓଡ଼ିଶା ରିପୋର୍ଟର): ବିବାହର ପ୍ରତିଶ୍ରୁତି ଦେଇ ସହମତିରେ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଲେ ଏହାକୁ ଦୁଷ୍କର୍ମ ବୋଲି ବିବେଚନା କରାଯିବ ନାହିଁ। ଏଭଳି ଏକ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଦୁଷ୍କର୍ମ ମାମଲାରେ ଜାମିନ ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି।

କୋର୍ଟ କହିଛନ୍ତି, ମହିଳା ମାନେ ସ୍ୱଇଚ୍ଛାରେ ସମ୍ପର୍କ ରଖିଥିବା କ୍ଷେତ୍ରରେ ଦୁଷ୍କର୍ମ ଆଇନର ବ୍ୟବହାର ହେବା ଉଚିତ୍ ନୁହେଁ। ତେବେ ଉଦବେଗଜନକ ପ୍ରସଙ୍ଗ ହେଉଛି ବହୁ ଅଭିଯୋଗକାରୀ ସାମାଜିକ ଅନଗ୍ରସର, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଓ ଗ୍ରାମାଞ୍ଚଳର। ସେମାନଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ପୁରୁଷମାନେ ସେମାନଙ୍କ ସହ ଶାରୀରିକ ସଂପର୍କ ରଖୁଛନ୍ତି। କିନ୍ତୁ ଦୁଷ୍କର୍ମ ସମ୍ପର୍କିତ ଆଇନ ଅଧିକାଂଶ କ୍ଷେତ୍ରରେ ପୀଡିତାଙ୍କ ଦୁର୍ଦ୍ଦଶାକୁ ଏଡ଼ାଇବାରେ ସଫଳ ହୋଇପାରୁ ନାହିଁ। ଆଇପିସିର ଧାରା ୩୭୫ ଅନୁସାରେ ପୀଡ଼ିତାଙ୍କ ସହିତ ଘଟିଥିବା ନିର୍ଦ୍ଦିଷ୍ଟ ଯୌନ ନିର୍ଯାତନାକୁ ଦୁଷ୍କର୍ମ ଅପରାଧ ପରିସର ଭୁକ୍ତ କରାଯାଇଛି। କିନ୍ତୁ ବିବାହର ପ୍ରଲୋଭନ ଦେଇ ଶାରୀରିକ ସମ୍ପର୍କ ରଖିବା ଭଳି ଘଟଣା ଗୁଡ଼ିକ ଏହାର ଅନ୍ତର୍ଭୁକ୍ତ ନୁହେଁ। ଏହିଭଳି ଘଟଣାଗୁଡ଼ିକୁ ଦୁଷ୍କର୍ମ ଭାବେ ଗ୍ରହଣ କରିବା ଭୁଲ୍ ହେବ।

ମିଳିଥିବା ସୂଚନା ଅନୁଯାୟୀ, ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଜଣେ ବ୍ୟକ୍ତି ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। କିଛିଦିନ ପରେ ସେ ଯୁବତୀଙ୍କୁ ଛାଡ଼ି ପଳାଇଥିଲା। ଏନେଇ ଯୁବତୀଙ୍କ ପକ୍ଷରୁ ନିମାପଡା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ନିମ୍ନ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଉ ଏହି ଆବେଦନର ଶୁଣାଣି କଲା ବେଳେ ହାଇକୋର୍ଟ ଦୁଷ୍କର୍ମକୁ ନେଇ ଏଭଳି ଏକ ରାୟ ଦେଇଛନ୍ତି। ଏହା ସହିତ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ପାଇଁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜାମିନରେ ଯିବା ପରେ ଅଭିଯୁକ୍ତ ତଦନ୍ତରେ ସହଯୋଗ କରିବେ ଓ ପୀଡିତାଙ୍କୁ ଧମକ ଦେବେ ନାହିଁ ବୋଲି ସର୍ତ୍ତ ରଖିଛନ୍ତି ହାଇକୋର୍ଟ।

Related story