ସରକାରଙ୍କୁ ସବୁ ବାଧୁଛି, ତା’ହେଲେ କହିବ କିଏ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ହୋଇଥିବା ସରକାରର କାର୍ଯ୍ୟଶୈଳୀ ଓ ବ୍ୟବସ୍ଥାର ବିଫଳତାକୁ ଗଠନମୂଳକ ସମାଲୋଚନା ହେଉ କିମ୍ବା ପ୍ରଶ୍ନ କରିବା ଉପରେ ଓଡ଼ିଶାରେ ଏବେ ଅଘୋଷିତ କଟକଣା ଜାରି ହୋଇଥିବା ଜଣାପଡ଼ିଛି। କରୋନା ମହାମାରୀ ମୁକାବିଲା ଆଳରେ ବିରୋଧୀ ଦଳ ହୁଅନ୍ତୁ କି ଗଣମାଧ୍ୟମ ଅବା ପୁଣି ସଚେତନ ନାଗରିକ ଏଠି ସମସ୍ତଙ୍କ ମୁହଁରେ ତୁଣ୍ଡି ଦେବାକୁ ସରକାରୀ ସ୍ତରରେ ଉଦ୍ୟମ କରାଯାଉଛି। ବିଗତ କିଛିଦିନର କେତେକ ଘଟଣାକ୍ରମ ଓ ସରକାରୀ କଳର ଆଚରଣ […]

otv

otv

Manoranjan Sial
  • Published: Saturday, 08 August 2020
  • Updated: 08 August 2020, 07:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ହୋଇଥିବା ସରକାରର କାର୍ଯ୍ୟଶୈଳୀ ଓ ବ୍ୟବସ୍ଥାର ବିଫଳତାକୁ ଗଠନମୂଳକ ସମାଲୋଚନା ହେଉ କିମ୍ବା ପ୍ରଶ୍ନ କରିବା ଉପରେ ଓଡ଼ିଶାରେ ଏବେ ଅଘୋଷିତ କଟକଣା ଜାରି ହୋଇଥିବା ଜଣାପଡ଼ିଛି। କରୋନା ମହାମାରୀ ମୁକାବିଲା ଆଳରେ ବିରୋଧୀ ଦଳ ହୁଅନ୍ତୁ କି ଗଣମାଧ୍ୟମ ଅବା ପୁଣି ସଚେତନ ନାଗରିକ ଏଠି ସମସ୍ତଙ୍କ ମୁହଁରେ ତୁଣ୍ଡି ଦେବାକୁ ସରକାରୀ ସ୍ତରରେ ଉଦ୍ୟମ କରାଯାଉଛି। ବିଗତ କିଛିଦିନର କେତେକ ଘଟଣାକ୍ରମ ଓ ସରକାରୀ କଳର ଆଚରଣ ସେଭଳି ପ୍ରତୀତ ହେବାରେ ଲାଗିଛି। ଶାସକ ଦଳ ଓ ସରକାରକୁ ଗୋଟିଏ ନିକିତିରେ ତଉଲୁଥିବା ସରକାରୀ ବଡ଼ପଣ୍ଡାମାନେ ଏବେ ଉଭୟ ବିରୋଧୀ ଦଳ ଓ ଗଣମାଧ୍ୟମ ସହ ସାଧାରଣ ଲୋକର ସମ୍ବିଧାନପ୍ରଦତ୍ତ ମୌଳିକ ଅଧିକାରକୁ ବି ଛଡ଼ାଇ ନେବାକୁ ପଛଘୁଂଚା ଦେଉନାହାନ୍ତି।

କରୋନା ପରିଚାଳନା ଓ ମୁକାବିଲା ଆରମ୍ଭରୁ ହିଁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କେବଳ ନିଜ ପିଠି ନିଜେ ଥାପୁଡ଼ାଇବା ଭଳି ରହିଆସିଛି। କରୋନା ମହାମାରୀ ସଂକ୍ରମଣ ଆଳରେ ଲୋକଙ୍କ ସ୍ୱର ପାଲଟିଥିବା ଗଣମାଧ୍ୟମଠୁ ପ୍ରଶ୍ନ କରିବାର ଅଧିକାର ଛଡ଼ାଇ ନେଇ ରାଜ୍ୟ ସରକାର କେବଳ ଏକତରଫା ବୁଲେଟିନ୍ ଜାରି କଲେ। ଏପରିକି କରୋନା ବିପତ୍ତିକୁ କ୍ରିକେଟ୍ ମ୍ୟାଚ୍ ସହ ତୁଳନା କରି ପ୍ରତ୍ୟେକ ବଲର ସମୀକ୍ଷା ନକରିବାକୁ ରାଜ୍ୟ ସରକାରଙ୍କ କୋଭିଡ୍ ମୁଖପାତ୍ର ସୁବ୍ରତୋ ବାଗଚୀ ଏପ୍ରିଲ ମାସରେ ଗଣମାଧ୍ୟମକୁ ପରୋକ୍ଷରେ ତାଗିଦ୍ କରିଥିଲେ। କରୋନାରେ ସ୍ଥିତି ଜଟିଳ ହେଉଥିଲେ ମଧ୍ୟ ସରକାର ଯାହା କହୁଛନ୍ତି ସେତିକି ଦେଖାଅ ଅବା ଲେଖ ବୋଲି ସେତେବେଳେ ସେ କହିବାକୁ ପଛାଇ ନଥିଲେ।

ଏହାପରେ କରୋନା କଟକଣା ଆଳ ଦେଖାଇ ବିରୋଧୀ ଦଳ ଓ ଅନ୍ୟ ସଂଗଠନଗୁଡ଼ିକ ଦ୍ୱାରା ଲୋକଙ୍କ ଅଧିକାର ପାଇଁ କରାଯାଉଥିବା ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଓ ଧାରଣା ଉପରେ ରାଜ୍ୟ ସରକାର କଟକଣା ଜାରି କଲେ। କରୋନା ମହାମାରୀର ମୁକାବିଲାରେ ସରକାରଙ୍କ ବିଫଳତା ଓ କିଟ୍ କିଣାରେ ଦୁର୍ନୀତି ସମ୍ପର୍କରେ ମୁହଁ ଖୋଲିଥିବା ୧୨ଟି ରାଜନୀତିକ ଦଳ ରାଜଭବନ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାରୁ ସେମାନଙ୍କଠୁ ଜୋରିମାନା ଆଦାୟ କଲେ। ଏଥିରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ରାଜ୍ୟର କିଛି ବରିଷ୍ଠ ନେତାଙ୍କୁ ବି ଜୋରିମାନା ଦେବାକୁ ପଡ଼ିଥିଲା। ଏପରିକି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ୍ ସ୍ଥିତି ସତ୍ତ୍ୱେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ ଦୂରତ୍ୱ ବଜାୟ ରଖି ସାଧାରଣ ଲୋକଙ୍କ ନିକଟତର ହେଉଥିବାରୁ ତାଙ୍କଠୁ ଜୋରିମାନା ଆଦାୟ କରିବାକୁ ବି ପଛାଇ ନଥିଲେ। ଆଉ ଏସବୁ ମଧ୍ୟରେ ଗୋଟିଏ ସମାନତା ଥିଲା ଯେ, ସେମାନେ କରୋନା ପ୍ରଭାବିତ ଲୋକଙ୍କ ସ୍ୱାର୍ଥ କଥା ଉଠାଇ ସରକାରଙ୍କ ବିଫଳତାକୁ ଗଣମାଧ୍ୟମ ସମ୍ମୁଖରେ ଉପସ୍ଥାପନ କରୁଥିଲେ। କରୋନା କିଟ୍ କିଣାରେ କୋଟିକୋଟି ଟଙ୍କା ଦୁର୍ନୀତି ଓ ତ୍ରୁଟିପୂର୍ଣ୍ଣ ପରିଚାଳନା ପ୍ରସଙ୍ଗରେ ସେମାନେ ସରକାରଙ୍କୁ ପ୍ରଶ୍ନ କରୁଥିଲେ।

ସେହିପରି କରୋନା ପରିଚାଳନାଗତ ତ୍ରୁଟି ଓ ସାଧାରଣ ଲୋକଙ୍କ ସମସ୍ୟାକୁ ବ୍ୟବସ୍ଥା ସମ୍ମୁଖରେ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଗଣମାଧ୍ୟମ ସଂସ୍ଥା ବିରୁଦ୍ଧରେ ଏବେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପ୍ରତିଶୋଧମୂଳକ ଆଭିମୁଖ୍ୟ ପୋଷଣ କରିଛି। ଦେଶର ସର୍ବାଧିକ ଲୋକପ୍ରିୟ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ ‘ଓଟିଭି’କୁ ରାତିଅଧିଆ ନୋଟିସ୍ ଦେବା ସହ ଥାନାରେ ଏତଲା ଦେଇ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରିବାକୁ ବିଏମସି ପଛାଇ ନାହିଁ। ବିଏମସି ଓ ରାଜ୍ୟ ସରକାରଙ୍କ କରୋନା ପରିଚାଳନାର ତ୍ରୁଟିକୁ ଲୋକଙ୍କ ସମ୍ମୁଖକୁ ଆଣିଥିବା ଗଣମାଧ୍ୟମ ସଂସ୍ଥା ପ୍ରତି ଏଭଳି ଆଭିମୁଖ୍ୟକୁ ସବୁ ମହଲରୁ ନିନ୍ଦା କରାଯାଇଛି।

ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଗଣମାଧ୍ୟମରେ କିଛି ପ୍ରସାରଣ ହେଲେ ତା’ର ସତ୍ୟାସତ୍ୟ ଯାଂଚ କରାଯାଇପାରେ । ସତ ଲୋକଲୋଚନକୁ ଆସିବା ଦରକାର। ଆଉ ଯଦି ସମ୍ପୃକ୍ତ ଖବର ମିଛ ଥିବ ସେହି ଖବରକୁ ଭାଇରାଲ କରିଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯାଇପାରେ । ମାତ୍ର ତା’ ନକରି ସମ୍ବାଦ ପରିବେଷଣ କରୁଥିବା ଗଣମାଧ୍ୟମ ସଂସ୍ଥାକୁ ନାଲିଆଖି ଦେଖାଇବା ଓ ମାମଲା ରୁଜୁ କରିବା ଗଣତନ୍ତ୍ରରେ ସବୁଠୁ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ଘଟଣା। ସରକାର ଏଭଳି କାର୍ଯ୍ୟରୁ କ୍ଷାନ୍ତ ରୁହନ୍ତୁ।

ସେହିପରି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି ଯେ, ସରକାର ଚାହୁଁଛନ୍ତି ସବୁ ଗଣମାଧ୍ୟମ ସଂସ୍ଥା ତାଙ୍କର ପ୍ରବକ୍ତା ହୁଅନ୍ତୁ। ଗଣମାଧ୍ୟମକୁ ନାଲିଆଖି ଦେଖାଇ କଣ୍ଠରୋଧ କରିବାର ଅଧିକାର ସରକାରଙ୍କ ନାହିଁ। ସରକାର ଏଭଳି କରି ଗଣମାଧ୍ୟମ ସଂସ୍ଥାର ଚୁପ୍ କରାଇ ଦେଇପାରିବେ ନାହିଁ। ଖବର ପ୍ରସାରଣ କରୁଥିବା ଗଣମାଧ୍ୟମ ସଂସ୍ଥାକୁ ତାଙ୍କ ଦଳ ନୈତିକ ସମର୍ଥନ ଦେବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସେହିପରି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି ଯେ, ସରକାର ପ୍ରଥମେ ବିଏମସି କମିଶନରଙ୍କ ନାଁରେ ମାମଲା ରୁଜୁ କରନ୍ତୁ। ତାଙ୍କର ଅହଙ୍କାର ଓ ଭୁଲ୍ ନିଷ୍ପତ୍ତି ଯୋଗୁ ଭୁବନେଶ୍ୱରରେ ଏତେ ଲୋକ ମରୁଛନ୍ତି। କରୋନା ବ୍ୟାପିବାରେ ଲାଗିଛି।

ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନଗୋ କହିଛନ୍ତି ଯେ, ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚିତ ସରକାରଙ୍କ କାର୍ଯ୍ୟକୁ ଗଠନମୂଳକ ସମାଲୋଚନା ହେବା ଅତ୍ୟନ୍ତ ଜରୁରୀ। କିନ୍ତୁ ଏଠି ଯଦି ସମସ୍ତେ ସରକାରଙ୍କ ସ୍ତାବକ ହେବେ ତା’ହେଲେ ଗଣତନ୍ତ୍ର ବଂଚିବ କିଭଳି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos