ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଆପଣ ଦେଖିଥିବେ ସାଉଥ୍ ଫିଲ୍ମ ‘ପୁଷ୍ପା’। ସେଥିରେ ପୁଷ୍ପରାଜ ଓରଫ୍ ପୁଷ୍ପା କ୍ଷୀର ଟ୍ୟାଙ୍କରରେ ଲାଲ୍ ଚନ୍ଦନ କାଠ ଚାଲାଣ କରୁଥିଲା। ଆଉ ବନ ବିଭାଗକୁ ଚକ୍ମା ଦେଉଥିଲା। କ୍ଷୀର ଟ୍ୟାଙ୍କର ଉପରେ କ୍ଷୀର ଓ ଭିତରେ ଲାଲ୍ ଚନ୍ଦନ କାଠ ରଖି ଚାଲାଣ କରୁଥିଲା। ଏବେ ସମାନ ଚିତ୍ର ଆସିଛି ଢେଙ୍କାନାଳରୁ। ତେବେ ଏଠି ମଦ ମାଫିଆ କ୍ଷୀର ଟାଙ୍କର ପାଣି କଣ୍ଟେନର ବ୍ୟବହାର କରିଛନ୍ତି।
ରାଜସ୍ଥାନ ନମ୍ୱର ପ୍ଲେଟ୍ ଥିବା ଏକ ଟ୍ରକ୍ରେ ଏକ ପାଣି କଣ୍ଟେନର ବୋଝେଇ ହୋଇଥିବା ବେଳେ ସେଥିରେ ମଦ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗ ସୂଚନା ପାଇଥିଲା। ଅବକାରୀ କମିଶନରଙ୍କ ନିର୍ଦ୍ଦେଶରେ ଢେଙ୍କାନାଳ ଅବକାରୀ ବିଭାଗ ଉକ୍ତ ଗାଡ଼ିକୁ ପିଛା କରିଥିଲା। ହିନ୍ଦୋଳ ବାଉଁଶପୋଖରୀ ନିକଟରେ ଅବକାରୀ ବିଭାଗ ଗାଡ଼ିଟିକୁ ଅଟକାଇ ଥିଲା। ଯାଞ୍ଚ ବେଳେ ସେଥିରୁ ଆଖି ତରାଟିଦେଲା ପରି ମଦ ପ୍ୟାକେଟ୍ ବାହାରିଥିଲା।
ଅବକାରୀ ଅଧିକାରୀ ସୀତାରାଣୀ ପଟ୍ଟାୟତଙ୍କ କହିବା ଅନୁସାରେ ଉକ୍ତ ଗାଡ଼ିଟି ଆସାମରୁ ଭୁବନେଶ୍ୱର ପୋଖରୀପୁଟ୍କୁ ଯାଉଥିଲା। କଣ୍ଟେନର ବାହାରେ ୱାଟର ଫିଲ୍ଟର ଲେଖାଯାଇଥିଲା। ଗାଡ଼ିର କାଗଜପତ୍ର ଯାଞ୍ଚ କରିବାରୁ ପାଣି ପରିବହନ ପାଇଁ ପଞ୍ଜିକୃତ ହୋଇଥିବା ଜଣାପଡ଼ିଥିଲା। ହେଲେ ଏଥିରେ ମଦ ଚାଲାଣ କରାଯାଉଥିଲା। କଣ୍ଟେନର ଭିତରେ ଶହ ଶହ ବିଦେଶୀ ମଦ ପେଟି ଥିଲା। ଜବତ ମଦ ରାଜ୍ୟ ବାହାରର ବୋଲି ଜଣାପଡ଼ିଛି।
ଢେଙ୍କାନାଳ ଅବକାରୀ ବିଭାଗ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକଙ୍କ ଭିତରୁ ଜଣେ ଢେଙ୍କାନାଳ ଜିଲ୍ଲାର ବୋଲି ଜଣାପଡ଼ିଛି।