ଜଳେଶ୍ୱର(ଅଜିତ ଦାସ): ଟୋଲ୍ ଗେଟ୍ରେ ନକଲି ଏମ୍ଭିଆଇଙ୍କ ଦୌରାତ୍ମ୍ୟ। ଚେକିଂ ଆଳରେ ତୀର୍ଥଯାତ୍ରୀଙ୍କୁ ଲୁଟ୍ପାଟ୍ କରିବା ସହିତ ନିସ୍ତୁକ ମାଡ଼ ମାରିଲେ। ଏପରି ଘଟଣା ଆଜି ସକାଳେ ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତ ଲକ୍ଷ୍ମଣନାଥ ଟୋଲ୍ ଗେଟ୍ରେ ଘଟିଛି। ତେବେ ଠେଲାଠେଲି ବେଳେ ତୀର୍ଥଯାତ୍ରୀମାନେ ୫ ଜଣଙ୍କୁ କାବୁ କରି ନେଇଥିଲେ। ଏଥିରେ ପୁଲିସର ହାତ ଥିବା ସାଧାରଣରେ ଚର୍ଚ୍ଚା ହେଉଛି।
ବିହାରରୁ ୫ଟି ତୀର୍ଥଯାତ୍ରୀ ବସ୍ କୋଲକାତା ଭାୟା ଜଳେଶ୍ୱର ଦେଇ ପୁରୀ ଅଭିମୁଖେ ଆସୁଥିଲା। ତେବେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଲକ୍ଷ୍ମଣନାଥ ଟୋଲ୍ ଗେଟ୍ଠାରୁ ୩୦୦ ମିଟର ଦୂରରେ କେତେକ ଦୁର୍ବୃତ୍ତ ବସ୍ଟିକୁ ଅଟକାଇ ଥିଲେ। କିଏ ନିଜକୁ ଏମ୍ଭିଆଇର ପରିଚୟ ଦେଇଥିଲା ତ ଆଉ କିଏ ଟ୍ରାଫିକ୍ ପୁଲିସ ବୋଲି କହୁଥିଲେ। ଏପରିକି ସେମାନେ ଗାଡ଼ିର କାଗଜପତ୍ର ମାଗିଥିଲେ। ଗାଡ଼ି ଚାଳକ ଏମ୍ଭିଆଇ କର୍ମଚାରୀ ଭାବି ତଳକୁ ଓହ୍ଲାଇ କାଗଜପତ୍ର ଦେଖାଇଥିଲେ। ଏହା ସତ୍ତ୍ୱେ ସେମାନେ ବସ୍ ପିଛା ୭୦୦୦ ଟଙ୍କା ଲେଖାଏଁ ଫାଇନ୍ କରିଥିଲେ। ମାତ୍ର ତୀର୍ଥଯାତ୍ରୀମାନେ ଫାଇନ୍ ଦେବାକୁ ମନା କରିଦେଇଥିଲେ। ଏପରିକି ତୀର୍ଥଯାତ୍ରୀମାନେ ସେମାନଙ୍କୁ ପରିଚୟପତ୍ର ମାଗିଥିଲେ। ମାତ୍ର ସେମାନେ ନିଜର ପରିଚୟପତ୍ର ଦେଇପାରିଲେ ନାହିଁ।
ଅନ୍ୟପକ୍ଷରେ ଆହତ ହୋଇଥିବା ତୀର୍ଥଯାତ୍ରୀ ଓ ବସ୍ ଡ୍ରାଇଭରଙ୍କୁ ଜଳେଶ୍ୱର ମେଡିକାଲ୍ରେ ଭର୍ତ୍ତି କରାଯାଇଛି।
ତେବେ ଏଠି ପ୍ରଶ୍ନ ଉଠୁଛି, ୨୪ ଘଣ୍ଟା ଚଳଚଞ୍ଚଳଥିବା ଲକ୍ଷ୍ମଣନାଥ ଟୋଲଗେଟ୍ ସାମ୍ନାରେ ଏଭଳି ଜୁଲମ୍ କରାଗଲା କେମିତି ? ପୁଲିସ ଓ ଟୋଲଗେଟ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ଏଭଳି କାରବାର ଚାଲୁନି ତ? ତେବେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହାକୁ ଗୁରୁତର ସହ ନେଇ ଭବିଷ୍ୟତରେ ଯେଭଳି ଏମିତି ଜୁଲମ୍ ନହୁଏ, ସେଥିପ୍ରତି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।