ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରେଳମନ୍ତ୍ରୀଙ୍କ ପିଏର ପରିଚୟ ଦେଇ ଠକୁଥିଲା। ଏବେ ଭୁବନେଶ୍ୱର କମିଶନରେଟ୍ ପୁଲିସ ହାତରେ ଧରାପଡ଼ିଛି। ନୂଆଦିଲ୍ଲୀରୁ ଉକ୍ତ ଠକକୁ ପୁଲିସ ଗିରଫ କରିଛି।
ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ଗୋପାଳ ଶତପଥୀ। ତାଙ୍କ ବିରୋଧରେ ଚନ୍ଦ୍ରଶେଖରପୁର ଥାନାରେ ୨ଟି ମାମଲା ରୁଜୁ ହୋଇଛି। ଜଣେ କର୍ମଚାରୀଙ୍କ ବଦଳି ପାଇଁ ପୂର୍ବତଟ ରେଳର ଜେନେରାଲ ମ୍ୟାନେଜରଙ୍କ ନିକଟରେ ସେ ନିଜକୁ ରେଳ ମନ୍ତ୍ରୀଙ୍କ ପିଏ ବୋଲି ପରିଚୟ ଦେଇଥିଲା। ଏପରିକି ବଦଳି ପାଇଁ ଚାପ ପକାଇଥିଲା।
ସେହିପରି କେତେକ ନିର୍ଦ୍ଦିଷ୍ଟ କମ୍ପାନୀର ଔଷଧ ଯୋଗାଣ ପାଇଁ ରେଳ ବିଭାଗର ଚିକିତ୍ସା ଅଧିକାରୀଙ୍କ ଉପରେ ମଧ୍ୟ ସେ ଚାପ ପକାଇଥିଲା। ତା’ର ହାବଭାବରେ ସନ୍ଦେହ ହେବାରୁ ତଦନ୍ତ କରାଯାଇଥିଲା। ପରେ ରେଳ ବିଭାଗ ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଦିଲ୍ଲୀରୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତକୁ ଟ୍ରାଞ୍ଜିଟ୍ ରିମାଣ୍ଡ ଅଣାଯାଇଛି। ତାଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି।