ରାଉରକେଲା (ଓଡ଼ିଶା ରିପୋର୍ଟର): ରାଜଗାଙ୍ଗପୁର ଥାନା ହାଜତ ମୃତ୍ୟୁ ଅଭିଯୋଗ ଘଟଣା ନୂଆ ମୋଡ଼ ନେଇଛି। ଏହା ପଛରେ ସ୍ଥାନୀୟ ବିଧାୟକ ମଙ୍ଗଳା କିଷାନଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି ମୃତ ଜୟ କୁମାର ଲାକ୍ରାଙ୍କ ବାପା ବୁଦୁରାମ୍। ବିଧାୟକଙ୍କ ନାଁ ନେଇ ତାଙ୍କର ଜଣେ ସମର୍ଥକ ବୁଦୁରାମ୍ ପରିବାରକୁ ପୂର୍ବରୁ ଧମକ ଦେଇଥିବା ସେ ଅଭିଯୋଗ ହୋଇଛି।
ହେଲେ ମଙ୍ଗଳା ଘଟଣା ସମ୍ପର୍କରେ କିଛି ଜାଣିନଥିବା କହିଛନ୍ତି। 'ଏବେ ଆପଣଙ୍କଠାରୁ ଶୁଣିବାକୁ ପାଇଲି'ବୋଲି ମଙ୍ଗଳା କହିଛନ୍ତି।
ଏପଟେ ଆଜି ମୃତ ଜୟକୁମାରଙ୍କ ଶବ ବ୍ୟବଚ୍ଛେଦ ପରେ ସହରରେ ଲାଗି ରହିଥିବା ଉତ୍ତେଜନା ହ୍ରାସ ପାଇଛି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ NHRC ଗାଇଡ୍ ଲାଇନ୍ ଅନୁଯାୟୀ ଘଟଣାର ତଦନ୍ତ କରାଯିବ ବୋଲି ପଶ୍ଚିମାଞ୍ଚଳ ଡିଆଇଜି ପ୍ରତିଶ୍ରୁତି ଦେବା ପରେ ଶବ ବ୍ୟବଚ୍ଛେଦ ପାଇଁ ପରିବାର ଲୋକେ ରାଜି ହୋଇଛନ୍ତି।
ଏହାପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ଗତକାଲି ରାଜଗାଙ୍ଗପୁର ଥାନା ଶୌଚାଳୟରେ ଜୟ କୁମାର ଲାକ୍ରା ନାମକ ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଜୟଙ୍କୁ ଟଙ୍କା ହଡ଼ପ ଅଭିଯୋଗ ମାମଲାରେ ପୁଲିସ ଗିରଫ କରି ଜେରା କରୁଥିଲା। ସେପଟେ ପୁଲିସ୍ ମୃତକଙ୍କ ନାଁରେ ଆଭିଯୋଗ ଆଣିଥିବା ଦୁଇଜଣଙ୍କୁ ମଧ୍ୟ ଗିରଫ କରି ଘଟଣାର ତଦନ୍ତ କରୁଛି।