କୃଷି ବୀମା ଦାବିରେ ତାତିଲେ ଚାଷୀ, ଅନିର୍ଦ୍ଦିଷ୍ଟ କାଳ ପାଇଁ ରେଳରୋକୋ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଜିଲ୍ଲା ପ୍ରଶାସନ ଦେଖାଉଥିବା ଲଲିପପ୍‌ ଲୋଭ ଆଉ କାମ ଦେଲାନି। ଗତ ବର୍ଷ କୃଷି ବୀମାର ଲୋଭ ଦେଖାଉଥିବା ସରକାର ଏଥର ଆଉ ଧରାଛୁଆଁ ଦେଉ ନାହାନ୍ତି। ମରୁଡ଼ିର ସମ୍ମୁଖୀନ ହୋଇ ଚାଷୀର ମେରୁଦଣ୍ଡ ଭାଙ୍ଗି ସାରିଥିବା ବେଳେ ପ୍ରଶାସନିକ ଅଧିକାରୀ କିନ୍ତୁ ଆହା ପଦେ କହୁ ନାହାନ୍ତି। ଆଜିକାଲି କହି ଦିନ ଗଡ଼ାଉଛନ୍ତି। ୪ ଥର ଆନ୍ଦୋଳନ ପରେ ବି କୃଷି ବୀମା ରାଶି ମିଳୁ ନ ଥିବାରୁ ଆଜି ଗର୍ଜିଛନ୍ତି ହଜାର […]

pht

  • Published: Monday, 26 September 2022
  • , Updated: 26 September 2022, 03:49 PM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଜିଲ୍ଲା ପ୍ରଶାସନ ଦେଖାଉଥିବା ଲଲିପପ୍‌ ଲୋଭ ଆଉ କାମ ଦେଲାନି। ଗତ ବର୍ଷ କୃଷି ବୀମାର ଲୋଭ ଦେଖାଉଥିବା ସରକାର ଏଥର ଆଉ ଧରାଛୁଆଁ ଦେଉ ନାହାନ୍ତି। ମରୁଡ଼ିର ସମ୍ମୁଖୀନ ହୋଇ ଚାଷୀର ମେରୁଦଣ୍ଡ ଭାଙ୍ଗି ସାରିଥିବା ବେଳେ ପ୍ରଶାସନିକ ଅଧିକାରୀ କିନ୍ତୁ ଆହା ପଦେ କହୁ ନାହାନ୍ତି। ଆଜିକାଲି କହି ଦିନ ଗଡ଼ାଉଛନ୍ତି। ୪ ଥର ଆନ୍ଦୋଳନ ପରେ ବି କୃଷି ବୀମା ରାଶି ମିଳୁ ନ ଥିବାରୁ ଆଜି ଗର୍ଜିଛନ୍ତି ହଜାର ହଜାର ଚାଷୀ। ଆଜି ରେଳରୋକ କରିଥିବା ଚାଷୀ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହା ଚାଲିବ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି।

ବଲାଙ୍ଗିର  ଜିଲ୍ଲାର ବଲାଙ୍ଗିର ଷ୍ଟେସନ ସମେତ ହରିଶଙ୍କର ଓ ଟିଟିଲାଗଡ଼ ଷ୍ଟେଶନରେ ବି ହଜାର ହଜାର ଚାଷୀ ଆଜି ସକାଳୁ ପହଞ୍ଚି ଆନ୍ଦୋଳନ ଆରମ୍ଭ କରିଥିଲେ। ସେମାନଙ୍କୁ ଅଟକାଇବାକୁ ଶତାଧିକ ପୁଲିସ୍‌ ମୁତୟନ ହୋଇଥିଲେ ବି ସ୍ଥିତି ଆୟତ୍ତ ବାହାରକୁ ଚାଲି ଯାଇଥିଲା ।  ଏହାପରେ ଆନ୍ଦୋଳନକାରୀ ଚାଷୀ ଧସେଇ ଷ୍ଟେଶନ ମଧ୍ୟକୁ ପଶି ରେଳ ଚଳାଚଳ ବନ୍ଦ କରିଦେଇଛନ୍ତି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ଓ ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ ରେଳରୋକ ଆନ୍ଦୋଳନ ହେବ ବୋଲି ବି ଚେତାଇ ଦେଇଛନ୍ତି।

ଏହାବାଦ ସମସ୍ୟା ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଅଧିକ ଜୋରଦାର କରାଯିବ । ଆବଶ୍ୟକ ପଡ଼ିଲେ ଚାଷୀମାନେ ରାଜରାସ୍ତାରେ ଆତ୍ମାହୁତି ଦେବେ ବୋଲି ବି ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ, ବଲାଙ୍ଗିର ଜିଲ୍ଲାରେ ଗତବର୍ଷ ହୋଇଥିବା ମରୁଡ଼ି ଯୋଗୁ ବହୁ ଚାଷୀଙ୍କ ମେରୁଦଣ୍ଡ ଦୋହଲି ଯାଇଥିଲା।  ତା’ ପରେ କୃଷି ବୀମା ପାଇଁ ଜିଲ୍ଲାର ୧୪ ବ୍ଲକରୁ ଯେଉଁ ରିପୋର୍ଟ ଯାଇଥିଲା ସେଥିରେ ଭୁଲ୍‌ ତଥ୍ୟ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଫଳରେ ହଜାର ହଜାର ଚାଷୀ କୃଷି ବୀମା ପାଇପାରି ନାହାନ୍ତି।

ସମବାୟ, ରାଜସ୍ୱ ଓ କୃଷି ବିଭାଗ ରିପୋର୍ଟ ଆଧାରରେ ଚାଷୀ ବୀମା ରାଶି ପାଇଥାନ୍ତି। କିନ୍ତୁ ବଲାଙ୍ଗିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ଭୁଲ ଥିବା ଦର୍ଶାଇ କମ୍ପାନୀ ବୀମା ରାଶି ଦେଉ ନାହିଁ। ବାରମ୍ବାର ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇ ବି ସମାଧାନ କରୁନି।

ପୂର୍ବରୁ ଚାଷୀମାନେ ୪ ଥର ବକେୟା ପ୍ରାପ୍ୟ ପାଇଁ ରାସ୍ତାରୋକ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ମାତ୍ର ସମସ୍ୟାର ସମାଧାନ ହେଉ ନ ଥିବା ବେଳେ ଏଥର ରେଳରୋକ କରିବାକୁ ଓହ୍ଲାଇଛନ୍ତି ବହୁ ସଂଖ୍ୟାରେ ଚାଷୀ।
https://youtu.be/kq1DtBD_hzg

ଏନେଇ ଜଣେ ଚାଷୀ ନେତା କହିଛନ୍ତି, ୩ ମାସ ହେଲା ଆନ୍ଦୋଳନ ସତ୍ତ୍ୱେ ଆମକୁ କୃଷି ବୀମା ଦେଉ ନାହାନ୍ତି। ତେଣୁ ହଜାର ହଜାର ଚାଷୀଙ୍କୁ ନେଇ ୩ଟି ଜାଗାରେ ଆନ୍ଦୋଳନ କରୁଛୁ। ଆଗାମୀ ଦିନରେ ରାଜରାସ୍ତାରେ ଚାଷୀ ଆତ୍ମାହୁତି ଦେବାକୁ ପ୍ରସ୍ତୁତ ।

ଅନ୍ୟ ଜଣେ ଚାଷୀ ନେତା ନିଜ କ୍ଷୋଭ ପ୍ରକାଶ କରି କହିଛନ୍ତି, ଆମେ ସମ୍ପତ୍ତି ବିକି ବୀମା ରାଶି ପାଇଁ ଟଙ୍କା ଦେଇଛୁ। ହେଲେ ପ୍ରକୃତରେ ମରୁଡ଼ି ହୋଇ ଆମର ଫସଲ ହାନୀ ହେବା ସତ୍ତ୍ୱେ ଆମକୁ ବୀମା ଟଙ୍କା ମିଳୁ ନାହିଁ।

ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ବହୁ ସଂଖ୍ୟାରେ ପୁଲିସ୍‌ ମୁତୟନ ହୋଇଥିଲେ ବି ରେଳ ଚଳାଚଳ ସ୍ୱାଭାବିକ ହୋଇ ନ ଥିବା ଜଣାଯାଇଛି। ଫଳରେ ଷ୍ଟେଶନରେ ବହୁ ଟ୍ରେନ୍‌ ଅଟକି ରହିଥିବା ବେଳେ ଯାତ୍ରୀମାନେ ବହୁ ହଇରାଣ ହେଉଥିବା ଜଣାଯାଇଛି।

https://youtu.be/kq1DtBD_hzg

Related story