ଏସ୍‌ସିବିରେ କାନ୍ଦୁଛି ବାପା, ପୁଅକୁ ଦେଖା କରିବାକୁ ଦେଉନି ପୁଲିସ!

କଟକ (ଓଡ଼ିଶା ରିପୋର୍ଟର): କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଥିବା ପୁଅକୁ ଦେଖା କରିବା ପାଇଁ ବାପା ଧାଇଁ ଆସିଥିଲେ। ହେଲେ ଦେଖା କରିପାରିଲେ ନାହିଁ। ପୁଲିସ ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆଣିଛନ୍ତି ଗୁରୁଚରଣ ପୁଷ୍ପାଳକ। ସେ ହେଉଛନ୍ତି ପିପିଲି ପୁଲିସ ମାଡ଼ରେ ଘାଇଲା ଏସ୍‌ସିବିରେ ଭର୍ତ୍ତି ହୋଇଥିବା ଜଗନ୍ନାଥ ପୁଷ୍ପାଳକଙ୍କ ବାପା। ପୁଅକୁ ନପାଇ ବାପା କାନ୍ଦୁଛନ୍ତି। ଜଗନ୍ନାଥଙ୍କ ବାପା  ଗୁରୁଚରଣ ପୁଷ୍ପାଳ କହିଛନ୍ତି-“ମୋ ପୁଅ ମେଡିକାଲ୍‌ରେ ଭର୍ତ୍ତି ହୋଇଛି। […]

scb

Manoranjan Sial
  • Published: Sunday, 22 November 2020
  • , Updated: 22 November 2020, 04:14 PM IST

କଟକ (ଓଡ଼ିଶା ରିପୋର୍ଟର): କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଥିବା ପୁଅକୁ ଦେଖା କରିବା ପାଇଁ ବାପା ଧାଇଁ ଆସିଥିଲେ। ହେଲେ ଦେଖା କରିପାରିଲେ ନାହିଁ। ପୁଲିସ ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆଣିଛନ୍ତି ଗୁରୁଚରଣ ପୁଷ୍ପାଳକ। ସେ ହେଉଛନ୍ତି ପିପିଲି ପୁଲିସ ମାଡ଼ରେ ଘାଇଲା ଏସ୍‌ସିବିରେ ଭର୍ତ୍ତି ହୋଇଥିବା ଜଗନ୍ନାଥ ପୁଷ୍ପାଳକଙ୍କ ବାପା। ପୁଅକୁ ନପାଇ ବାପା କାନ୍ଦୁଛନ୍ତି।

ଜଗନ୍ନାଥଙ୍କ ବାପା  ଗୁରୁଚରଣ ପୁଷ୍ପାଳ କହିଛନ୍ତି-“ମୋ ପୁଅ ମେଡିକାଲ୍‌ରେ ଭର୍ତ୍ତି ହୋଇଛି। ପୁଲିସ ମାଡ଼ ମାରି ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିଛି। ଖବର ପାଇ ଆଜି ତାକୁ ଦେଖା କରିବାକୁ ଆସିଥିଲି। ହେଲେ ପୁଲିସ ଦେଖା କରିବାକୁ ଦେଲା ନାହିଁ। ମୋ ପୁଅ ଯଦି କିଛି ଭୁଲ୍‌ କରିଛି, ତାକୁ କ୍ଷମା କରିଦିଅ।”

ସେପଟେ ଜଗନ୍ନାଥଙ୍କ ଭାଇ ରଘୁନାଥ କହିଛନ୍ତି-“ଗତ ୧୨ ତାରିଖରେ ମୋ’ ଭାଇ କାମ କରିବାକୁ ଯାଇଥିଲା। ହେଲେ ଆଉ ଘରକୁ ଫେରିନଥିଲେ। ସେ ଗିରଫ ହୋଇ ଥାନାରେ ଅଛି ବୋଲି ମୁଁ ଖବର କାଗଜ ଓ ନ୍ୟୁଜ ଚ୍ୟାନେଲରୁ ଶୁଣିବାକୁ ପାଇଲି। ପରେ ପିପିଲି ଥାନାକୁ ଯାଇ ଭାଇ ବିଷୟରେ ପଚାରିଥିଲେ। ସେ କଟକ ଏସ୍‌ସିବିରେ ଭର୍ତ୍ତି ହୋଇଥିବା ପୁଲିସ କହିଥିଲେ। ଏହା ପରେ ମୁଁ ଏସ୍‌ସିବି ଆସିଛି। ହେଲେ ସେଠାରେ ଉପସ୍ଥିତ ଥିବା ପୁଲିସ ଆମକୁ ଦୁର୍ବ୍ୟବହାର କରିଥିଲେ। ମୋର ସାର୍ଟ କଲର ଧରି ବାହାର କରିଦେଇଥିଲେ। ମୁଁ ମୋ ଭାଇକୁ ଦେଖିପାରିଲିନି।”

ପୁରୀ ହାଜତ ମୃତ୍ୟୁ ମାମଲା ମନରୁ ଲିଭିନଥିବା ବେଳେ ପିପିଲିରୁ ଆସିଛି ଭୟଙ୍କର ଚିତ୍ର। ସଂଘବଦ୍ଧ ଆକ୍ରମଣ ଅଭିଯୋଗରେ ଗିରଫ ହୋଇଥିବା ୬ ଜଣଙ୍କୁ ଥାନା ଭିତରେ ନିର୍ଦ୍ଧୁମ ଛେଚା ଯାଇଛି। ମାଡ଼ ଏମିତି ହୋଇଛି ଅଭିଯୁକ୍ତଙ୍କ ନିତମ୍ୱରରୁ ମାଂସ ଖସି ପଡ଼ିଥିବା ଅଭିଯୋଗ ହେଉଛି। ଏପରିକି ଗିରଫ ୬ ଜଣଙ୍କ ଭିତରେ ଜଣେ ନାବାଳକ ଥିବା ଅଭିଯୋଗ ହୋଇଛି।

ଅଭିଯୋଗରୁ ପ୍ରକାଶ, ଗତ ୧୩ ତାରିଖରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗରେ ପିପିଲି ପୁଲିସ ୬ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଥାନାରେ ଅକଥନୀୟ ନିର୍ଯାତନା ଦିଆଯାଇଥିଲା। ପ୍ରବଳ ମାଡ଼ ମରାଯାଇଥିଲା। ୧୯ ତାରିଖରେ ସେମାନଙ୍କୁ ନିମାପଡ଼ା ଜେଲ୍‌କୁ ପଠାଇ ଦିଆଯାଇଥିଲା। ତେବେ ଅଭିଯୁକ୍ତମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଜେଲ୍‌ର ସେମାନଙ୍କୁ ନିମାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେମାନଙ୍କ ଭିତରୁ ୫ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଏସ୍‌ସିବି ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ସେମାନଙ୍କୁ ଏସ୍‌ସିବି ମେଡିକାଲ୍‌ରେ ଚିକିତ୍ସା କରାଯାଉଛି। ହେଲେ ପରିବାର ଲୋକଙ୍କୁ ଭେଟିବାକୁ ଅନୁମତି ଦିଆଯାଉନାହିଁ। ଏପରିକି ଗିରଫ ନେଇ ପୁଲିସ ପକ୍ଷରୁ ପରିବାର ଲୋକଙ୍କୁ ଜଣାଇଦିଆଇ ନାହିଁ ଅଭିଯୋଗ ହୋଇଛି।

Related story