ଆଠଗଡ଼(ନୀଳକଣ୍ଠ ଦୋରା) : ଦୀର୍ଘ ୪ ଦିନ ମହାନଦୀ ମଝିରେ ଫସି ରହିବା ପରେ ଅକାତ ପାଣିରୁ ଉଦ୍ଧାର ହେଲେ ବାପପୁଅ । ଆଠଗଡ଼ କନ୍ଦରପୁରର ଅମଙ୍ଗେଇ କୁଦକୁ ଛେଳି ଚରାଇବାକୁ ଯାଇ ପ୍ରାୟ ୪ ଦିନ ହେବ ବାପପୁଅ ପାଣି ମଝିରେ ଫସି ରହିଥିଲେ। ଆଜି ଓଡ୍ରାଫ ଟିମ୍ ପହଞ୍ଚି ଘଣ୍ଟାକର ଅପରେସନ ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି।
ପ୍ରାୟ ୪ ଦିନ ପୂର୍ବେ ଆଠଗଡ଼ କନ୍ଦରପୁରର ଅମଙ୍ଗେଇ କୁଦକୁ ବାପପୁଅ ଛେଳି ଚରାଇବାକୁ ଏକ ହୁଲି ଡଙ୍ଗାରେ ଯାଇଥିଲେ। ସେଠାରେ ସେମାନେ ନିୟମିତ ଛେଳି, ଚରାଇବାକୁ ଯାଉଥିବାରୁ ବିଶ୍ରାମ ନେବା ନିମନ୍ତେ ସେଠାରେ ଏକ କୁଡ଼ିଆ କରିଛନ୍ତି। ସେଠାରେ ସେମାନେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଛେଳି ରଖିଥିବା ବେଳେ ୨୦ରୁ ଅଧିକ କୁକୁଡ଼ା ବି ରଖିଛନ୍ତି।
୪ ଦିନ ପୂର୍ବେ ଉଭୟ ବାପପୁଅ ଛେଳି ଚରାଇବାକୁ କୁଦକୁ ଯାଇଥିବା ବେଳେ ପ୍ରବଳ ବର୍ଷା, ପବନ ହେବାରୁ ଆଉ ଫେରି ପାରି ନ ଥିଲେ। ତା’ ପରଦିନ ମହାନଦୀରେ ପାଣି ବଢ଼ିଯିବାରୁ ଆଉ ଫେରିବା ସମ୍ଭବପର ହୋଇପାରି ନ ଥିଲା। ସେମାନେ ସେଠାରେ ଥିବା କୁଡ଼ିଆରେ ମୁଣ୍ଡ ଗୁଞ୍ଜି ରହୁଥିବା ବେଳେ ପ୍ରାୟ ୨ ଦିନ ହେବ ସେମାନଙ୍କ ନିକଟରେ ଥିବା ଖାଦ୍ୟପଦାର୍ଥ ସରି ଯାଇଥିଲା। ଏନେଇ ସେମାନେ ପରିବାର ଲୋକଙ୍କୁ ଅବଗତ କରିଥିବା ବେଳେ ସେମାନଙ୍କ ମୋବାଇଲ ବି ସୁଇଚ ଅଫ୍ ହୋଇ ଯାଇଥିଲା।
ଉଭୟ ବାପପୁଅଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବାରୁ ଏନେଇ ପରିବାର ଲୋକେ ଗତକାଲି ରାତିରେ ଆଠଗଡ଼ ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ। ସେମାନଙ୍କୁ ଉଦ୍ଧାର ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା। ଆଜି ସକାଳୁ ଏକ ଓଡ୍ରାଫ ଟିମ୍ ସେମାନଙ୍କୁ ଉଦ୍ଧାର କରିବାକୁ ଅମଙ୍ଗେଇ କୁଦକୁ ଯାଇଥିଲା। ମାତ୍ର ଛେଳିଙ୍କୁ ଛାଡ଼ି ପ୍ରଥମେ ଫେରିବାକୁ ଅମଙ୍ଗ ହେଉଥିବା ବାପପୁଅଙ୍କୁ ବୁଝାଶୁଝା କରିବା ପରେ ସେମାନେ ଫେରିବାକୁ ରାଜି ହୋଇଥିଲେ। ଏହାପରେ ସେଠାରୁ ସୁରକ୍ଷିତ ଭାବେ ବାପପୁଅଙ୍କୁ ଉଦ୍ଧାର କରାଯାଇ କୁଳକୁ ଆଣିଥିବା ଜଣାଯାଇଛି।
୨ ଦିନ ହେବ କିଛି ଖାଇ ନ ଥିବାରୁ ସେମାନେ ସାମାନ୍ୟ ଦୁର୍ବଳ ହୋଇ ପଡ଼ିଛନ୍ତି। କୁଳରେ ଥିବା ଡାକ୍ତରୀ ଟିମ୍ ସ୍ୱାସ୍ଥ୍ୟ ପରୀକ୍ଷା କରି ସେମାନଙ୍କୁ ଆବଶ୍ୟକ ମେଡିସିନ ଦେଇଥିବା ଜଣାଯାଇଛି। ଏବେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାଯାଇଛି। ତେବେ ଏହି ସମୟରେ ମହାନଦୀରେ ପ୍ରଖର ସ୍ରୋତ ଥିବାରୁ ଉଭୟ ବାପପୁଅଙ୍କୁ ଉଦ୍ଧାର ପ୍ରକ୍ରିୟା ଏକ ଚ୍ୟାଲେଞ୍ଜ ଥିଲା । ତେବେ ବିପଦରେ ଥିବା ୨ ଜଣଙ୍କୁ ଉଦ୍ଧାର କରିବା ଆମର ପ୍ରଥମ ଲକ୍ଷ୍ୟ ଥିଲା ବୋଲି ଓଡ୍ରାଫ ଟିମ୍ ସଦସ୍ୟ କହିଛନ୍ତି।