ଭୁବନେଶ୍ୱର/ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) ରାଜ୍ୟ ସରକାରଙ୍କୁ ଘାରିଲାଣି ତୃତୀୟ ଲହର ଭୟ। ସେଥିପାଇଁ ଦୈନିକ ଶିଶୁ ଆକ୍ରାନ୍ତଙ୍କ ଉପରେ ରଖିଛନ୍ତି କଡ଼ା ନଜର । ଗଲା ୨୪ ଘଣ୍ଟାରେ ରାଜ୍ୟରୁ ପଜିଟିଭ ଚିହ୍ନଟ ହୋଇଛନ୍ତି ୧୩୮ ଶିଶୁ ଓ କିଶୋର । ତେବେ ସରକାର କହୁଛନ୍ତି, ପୂର୍ବରୁ ବି ଶିଶୁମାନେ ସଂକ୍ରମିତ ହେଉଥିଲେ। ଏହା ନୂଆ କଥା ନୁହେଁ । କିନ୍ତୁ ଶିଶୁ ରୋଗ ବିଶେଷଜ୍ଞଙ୍କ ମତ, ପୂର୍ବାପେକ୍ଷା ଅଧିକ ଶିଶୁ ସଂକ୍ରମିତ ହେବା ଆଶଙ୍କା ଥିବାରୁ ସେଥିପ୍ରତି ସତର୍କ ରହିବା ଆବଶ୍ୟକ।
ଦିନକରେ ରାଜ୍ୟର ୧୩୮ ଶିଶୁ କୋଭିଡ୍ ପଜିଟିଭ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ମୋଟ ୧୦୫୮ ଆକ୍ରାନ୍ତଙ୍କ ଭିତରୁ ଏ ବର୍ଗଙ୍କ ସଂଖ୍ୟା ୧୩ ପ୍ରତିଶତ। ପ୍ରଥମ ଥର ଲାଗି ଶୂନରୁ ୧୮ ବର୍ଷ ବୟସ ବର୍ଗଙ୍କ ଦୈନିକ କରୋନା ସଂକ୍ରମଣ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ତେବେ ଦେଢ଼ ବର୍ଷ ପରେ ହଠାତ୍ ଶିଶୁ ଆକ୍ରାନ୍ତଙ୍କ ତଥ୍ୟ ପ୍ରକାଶ ପରେ ବଢ଼ିଛି ଆଶଙ୍କା । ସଭିଁଙ୍କ ମନରେ ଗୋଟିଏ ପ୍ରଶ୍ନ ଏହା କଣ ସମ୍ଭାବ୍ୟ ତୃତୀୟ ଲହରର ପଦଧ୍ୱନି? କାହିଁକି ହଠାତ୍ ଶିଶୁ ତଥ୍ୟକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର? ତେବେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଆଗରୁ ବି ଶିଶୁମାନେ କରୋନାରେ ଆକ୍ରାନ୍ତ ହେଉଥିଲେ। ତୃତୀୟ ଲହର ପ୍ରସ୍ତୁତି ସ୍ୱରୂପ ଆଜିଠୁ ଶିଶୁ ଆକ୍ରାନ୍ତ ତଥ୍ୟ ଉପରେ ନଜର ରଖାଯାଉଛି । ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ସବୁ ଲକ୍ଷଣଯୁକ୍ତ ପିଲାଙ୍କ କୋଭିଡ୍ ଟେଷ୍ଟ କରାଯାଉଛି । ମାତ୍ର ଗୋଟିଏ ଦିନର ତଥ୍ୟକୁ ନେଇ ଶିଶୁ ଆକ୍ରାନ୍ତ ସଂଖ୍ୟା ବଢ଼ିଯାଇଛି ବୋଲି କୁହାଯାଇପାରିବନି । ଆଗାମୀ କିଛି ଦିନର ତଥ୍ୟକୁ ବିଶ୍ଳେଷଣ କରିବା ପରେ ଶିଶୁ ଆକ୍ରାନ୍ତ ହାର କେତେ ରହୁଛି, ଜଣାପଡ଼ିବ। ଯଦିଓ ଆଜିର ମୋଟ୍ ସଂକ୍ରମଣରେ ଶିଶୁଙ୍କ ସଂଖ୍ୟା ୧୦%ରୁ ଅଧିକ ରହିଛି, କିନ୍ତୁ ଶିଶୁ ପଜିଟିଭିଟି ରେଟ୍ ଢେର୍ କମ୍ ରହିଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
ତୃତୀୟ ଲହରରେ ଶିଶୁଙ୍କ ପ୍ରତି ଅଧିକ ବିପଦ ଥିବାରୁ ରାଜ୍ୟ ସରକାର କେବଳ ଶିଶୁଙ୍କ ଲାଗି ୩ ହଜାର ବେଡ୍ ସଂରକ୍ଷିତ ରଖିଛନ୍ତି । ୬୦୦ ଆଇସିୟୁ ବେଡ୍ ବ୍ୟବସ୍ଥା କରାଯାଇଛି । ଏମିତିକି ରାଜ୍ୟ ଔଷଧ ନିଗମ ଜରିଆରେ ଔଷଧ କିଣା ଆରମ୍ଭ ହୋଇଯାଇଛି ବୋଲି ନିକଟରେ ସୂଚନା ଦେଇଥିଲେ ଡିଏମ୍ଇଟି । କିନ୍ତୁ ଆଜିର ଶିଶୁ ସଂକ୍ରମଣ ତଥ୍ୟ ପରେ ଚିନ୍ତା ପ୍ରକାଶ କଲେଣି ଶିଶୁରୋଗ ବିଶେଷଜ୍ଞ । କହିଛନ୍ତି, ତୃତୀୟ ଲହରରେ ଶିଶୁଙ୍କ ସଂକ୍ରମଣ ସଂଖ୍ୟା ଅଧିକ ରହିବ। ତେଣୁ ୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତେ ମାସ୍କ ପିନ୍ଧନ୍ତୁ । ଦରକାର ନ ଥିଲେ ବାହାରକୁ ଯାଆନ୍ତୁ ନାହିଁ । କୋଭିଡ୍ ନିୟମ ପାଳନ କରନ୍ତୁ। ଯଦି ପରିବାରର ଅନ୍ୟ ସଦସ୍ୟ ସତର୍କ ରହିବେ, ଶିଶୁଙ୍କ ପ୍ରତି ବିପଦ କମ୍ ରହିବ।
୧୨ରୁ ୧୮ ବର୍ଷ ବୟସ ବର୍ଗ କିଶୋରଙ୍କ ଲାଗି କୋଭିଡ୍ ଟିକାର କ୍ଲିନିକାଲ ଟ୍ରାଏଲ ଚଳାଇଛନ୍ତି ଭାରତ ବାୟୋଟେକ୍ ଓ ଜାଇଡସ୍ କାଡିଲା । ଆଶା, ଖୁବଶୀଘ୍ର ପିଲାଙ୍କ ଲାଗି ଟିକା ଆସିବ । ଆଉ ପିଲାମାନଙ୍କୁ ବି ମିଳିପାରିବ କରୋନା କବଚ ।