ବିଶ୍ୱକପ୍ ହକି: ସମାଲୋଚନା ପରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରଖିଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କଡ଼ା ସମାଲୋଚନା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି । ନିଜର ତ୍ରୁଟିକୁ ରାଜ୍ୟ ସରକାର ସୁଧାରିଛନ୍ତି ଓ ଆସନ୍ତାକାଲି ବିଶ୍ୱକପ୍ ପୁରୁଷ ହକି-୨୦୨୩ର ଉଦଘାଟନୀ ସମାରୋହ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ନିଜର ବିଜ୍ଞାପନରେ ସ୍ଥାନିତ କରିଛନ୍ତି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିଜସ୍ୱ ଟ୍ୱିଟର […]

Poster

Ordigital Desk
  • Published: Tuesday, 10 January 2023
  • , Updated: 10 January 2023, 09:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କଡ଼ା ସମାଲୋଚନା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି । ନିଜର ତ୍ରୁଟିକୁ ରାଜ୍ୟ ସରକାର ସୁଧାରିଛନ୍ତି ଓ ଆସନ୍ତାକାଲି ବିଶ୍ୱକପ୍ ପୁରୁଷ ହକି-୨୦୨୩ର ଉଦଘାଟନୀ ସମାରୋହ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ନିଜର ବିଜ୍ଞାପନରେ ସ୍ଥାନିତ କରିଛନ୍ତି ।

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିଜସ୍ୱ ଟ୍ୱିଟର ପେଜରେ ପୁରୁଷ ବିଶ୍ୱକପ୍ କହି ଉଦଘାଟନୀ କାର୍ଯ୍ୟକ୍ରମ କଟକ ବାରବାଟୀ ଷ୍ଟାଡ଼ିୟମରେ ଜାନୁୟାରୀ ୧୧ ସନ୍ଧ୍ୟା ୬ଟାରୁ ଅନୁଷ୍ଠିତ ହେବ ଓ ଏଥିରେ ବଲିଉଡ୍ ଏବଂ ଓଡ଼ିଶାର ପ୍ରସିଦ୍ଧ କଳାକାରମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ସୂଚନା ଦେବା ସହ ଏକ ବ୍ୟାନର ମଧ୍ୟ ଜାରି କରିଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋଚିତ୍ର ରହିଛି । ବିଶ୍ୱକପ୍ ପୁୁରୁଷ ହକି-୨୦୨୩ ଭୁବନେଶ୍ୱର-ରାଉରକେଲାରେ ୧୩ରୁ ୨୯ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସେଥିରେ ଉଲ୍ଲେଖ ରହିଛି ତଥା ବିଭିନ୍ନ କଳାକାରମାନେ ସାମିଲ ହେବେ ବୋଲି ସୂଚନା ଦିଆଯାଇଛି ।

ଚଳିତ ବିଶ୍ୱକପ୍ ହକି ମ୍ୟାଚ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞାପନ, ପ୍ରଚାରପତ୍ର, ବ୍ୟାନର ଆଦିରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋଚିତ୍ରକୁ ରାଜ୍ୟ ସରକାର ସ୍ଥାନିତ କରିଛନ୍ତି । ବିଶ୍ୱକପ୍ ପୁରୁଷ ହକି ପ୍ରତିଯୋଗିତାକୁ ନେଇ ବିଜେଡି ସରକାର ଏକତରଫା ନିଷ୍ପତ୍ତି ନେଇ ସମସ୍ତ ଶ୍ରେୟ ନେବାକୁ ଉଦ୍ୟମ କରୁଥିବାବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ଶ୍ରୀ ସିନ୍ଧିଆଙ୍କ ସମାଲୋଚନା ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇଥିଲା ।

ଉଲ୍ଲେଖଯୋଗ୍ୟ, ଗତ ୭ତାରିଖରେ ଭୁବନେଶ୍ୱର-ରାଉରକେଲା ବିମାନସେବା ଆରମ୍ଭ ଅବସରରେ ଏହି ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସମେତ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଓଡ଼ିଶା ସରକାରଙ୍କ ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ନରହିବାକୁ ନେଇ ଆପତ୍ତି ଉଠାଇଥିଲେ । ବିମାନସେବା ଆରମ୍ଭ ପାଇଁ ରାଜ୍ୟ ସରକାର ଦେଇଥିବା ବିଜ୍ଞାପନରେ ପ୍ରଧାନମନ୍ତ୍ରୀ କିମ୍ବା କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀଙ୍କ ଫଟୋ ନଥିଲା କିମ୍ବା କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦିଆଯାଇନଥିଲା । ଯାହାକୁ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କଡ଼ା ସମାଲୋଚନା କରି କହିଥିଲେ ଯେ, ବଡ଼ ପ୍ରତିଯୋଗିତା ଆୟୋଜନ ଏଭଳି ଛୋଟ ମାନସିକତାରେ ହୁଏ ନାହିଁ । ରାଜନୀତି ବାଦବିବାଦ ରହିବ କିନ୍ତୁ ରାଜ୍ୟର ମର୍ଯ୍ୟାଦା ଓ ସ୍ୱାର୍ଥ କଥା ଆସିଲେ ସମସ୍ତଙ୍କୁ ଏକଜୁଟ ହେବାର ଆବଶ୍ୟକତା ଅଛି । ଖବରକାଗଜରେ ଭୁବନେଶ୍ୱର-ରାଉରକେଲା ବିମାନ ସେବା ଶୁଭାରମ୍ଭକୁ ନେଇ ରାଜ୍ୟ ସରକାର ଯେଉଁ ବିଜ୍ଞାପନ ଦେଇଛନ୍ତି ସେଥିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିବା ଉଚିତ୍ ଥିଲା । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ସିନ୍ଧିଆ ବି ପ୍ରଧାନମନ୍ତ୍ରୀଙ୍କ ଫଟୋ ବିଜ୍ଞାପନରେ ନରହିବାକୁ ନେଇ କ୍ଷୋଭ ବ୍ୟକ୍ତ କରିଥିଲେ । ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କ ଏଭଳି ଆଭିମୁଖ୍ୟ କଦାପି ଗ୍ରହଣୀୟ ନୁହେଁ ବୋଲି କହିଥିଲେ । ଏଭଳି ସୌଜନ୍ୟତା ପାଇଁ ପ୍ରଧାନମନ୍ତ୍ରୀଙ୍କ ଫଟୋ ରଖିଥିଲେ କ’ଣ ଅସୁବିଧା ହୋଇଥାନ୍ତା ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଥିଲେ ।

ଏହି ତ୍ରୁଟି ଉଜାଗର କରିବା ପରେ ଅବଶ୍ୟ ମୁଖ୍ୟମନ୍ତ୍ରୀ ନିଜର ଟ୍ୱିଟରରୁ ଉକ୍ତ ବିମାନ ସେବା ନିମନ୍ତେ ଉଭୟ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଆସନ୍ତାକାଲି ବିଶ୍ୱକପ୍ ହକି ଉଦଘାଟନୀ ସମାରୋହ ପୂର୍ବରୁ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଫଟୋଚିତ୍ର ଥିବା ବ୍ୟାନର ସୋସିଆଲ ମିଡିଆରେ ଜାରି ହୋଇଛି । ବିଶ୍ୱକପ୍ ହକି ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋକୁ ଯେଭଳି ଗୁରୁତ୍ୱ ଦିଆଯାଇଛି, ଅନୁରୂପ ଗୁରୁତ୍ୱ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଦେବା ଦିଗରେ ରାଜ୍ୟ ପ୍ରଶାସନ ପଦକ୍ଷେପ ନେଇଥିବା ଜଣାପଡ଼ିଛି । ବିଳମ୍ବରେ ହେଲେ ବି ରାଜ୍ୟ ସରକାରଙ୍କ ଚେତା ପଶିଛି ଓ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ସ୍ଥାନିତ କରି ତାଙ୍କର ଅବଦାନକୁ ମନେପକାଇବାକୁ ପ୍ରୟାସ କରିଛନ୍ତି ।

https://twitter.com/IPR_Odisha/status/1612672828071120897?s=20&t=q9adOGhIYKCLhAZMfti_5g

righ

Related story