କଳା ପଡ଼ିଯାଉଛି ଧୋବ ଫର ଫର ଧଉଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେଉଁଠି ପ୍ଲାଷ୍ଟର ଖସି ଲୁହା ଛଡ଼ ଦିଶୁଛି ତ ପୁଣି କେଉଁଠି ରଙ୍ଗ ଉଡ଼ି ମଳିନ ପଡ଼ିଛି । ଭଗବାନ ବୁଦ୍ଧଙ୍କ ଶାନ୍ତିର ବାର୍ତ୍ତା ବହନ କରୁଥିବା  ଶାନ୍ତି ସ୍ତୁପ ଧଉଳି ଏବେ ଏମିତି ଏକ ଅଭାବନୀୟ ପରିସ୍ଥିତିକୁ ଆସିଲାଣି। ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଲାଣି ରାଜ୍ୟର ଏହି ପ୍ରମୁଖ ପର୍ଯ୍ୟଟନସ୍ଥଳ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଧଉଳି ପରିଦର୍ଶନ କରି  ଚିନ୍ତା ପ୍ରକଟ କରିଥିବା ବେଳେ ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ […]

7nm2

Tapas Behera
  • Published: Wednesday, 18 November 2020
  • , Updated: 18 November 2020, 08:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେଉଁଠି ପ୍ଲାଷ୍ଟର ଖସି ଲୁହା ଛଡ଼ ଦିଶୁଛି ତ ପୁଣି କେଉଁଠି ରଙ୍ଗ ଉଡ଼ି ମଳିନ ପଡ଼ିଛି । ଭଗବାନ ବୁଦ୍ଧଙ୍କ ଶାନ୍ତିର ବାର୍ତ୍ତା ବହନ କରୁଥିବା  ଶାନ୍ତି ସ୍ତୁପ ଧଉଳି ଏବେ ଏମିତି ଏକ ଅଭାବନୀୟ ପରିସ୍ଥିତିକୁ ଆସିଲାଣି। ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଲାଣି ରାଜ୍ୟର ଏହି ପ୍ରମୁଖ ପର୍ଯ୍ୟଟନସ୍ଥଳ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଧଉଳି ପରିଦର୍ଶନ କରି  ଚିନ୍ତା ପ୍ରକଟ କରିଥିବା ବେଳେ ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିବାକୁ ଯାଉଛି ଧଉଳି ଉନ୍ନୟନ କମିଟିର ବୈଠକ। ମରାମତିରେ କାହିଁକି ହେଉଛି ଅବହେଳା ତାକୁ ନେଇ ଉଠିଛି ପ୍ରଶ୍ନ ? ସ୍ଥିତି ଏଭଳି ହୋଇଛି ଶାନ୍ତିସ୍ତୁପର ଅତି ପାଖକୁ ଯିବାକୁ ଆଉ ନିରାପଦ ମଣୁନାହାନ୍ତି ପର୍ଯ୍ୟଟକ । ତେଣୁ ତୁରନ୍ତ ରାଜ୍ୟ ପର୍ଯ୍ୟଟନ ବିଭାଗ ଏ ଦିଗରେ ଯତ୍ନବାନ ହେବାକୁ ଦାବି ହେଉଛି।

କଳିଙ୍ଗ ଯୁଦ୍ଧ ଓ ସମ୍ରାଟ ଖାରବେଳଙ୍କ ସ୍ମୃତି ବହନ କରୁଥିବା ଧଉଳି ଶାନ୍ତିସ୍ତୁପ ୧୯୭୨ ମସିହାରେ ନିର୍ମିତ ହୋଇଥିଲା । ହେଲେ ଏବେ ଏହାର ଜରାଜୀର୍ଣ୍ଣ ଅବସ୍ଥା ଦେଖି ମରାମତି ପାଇଁ ଅଣ୍ଟା ଭିଡିଛି କଳିଙ୍ଗ ନିପନ ବୁଦ୍ଧ ସଂଘ । ଏଥିପାଇଁ ସଂଘ ପାଣ୍ଠି ମଧ୍ୟ ଯୋଗାଡ଼ କରୁଛି । ଏମିତିକି ଟୁରିଜିମ୍ ବିଭାଗ ପକ୍ଷରୁ ଐତିହ୍ୟସ୍ଥଳର ରକ୍ଷଣାବେକ୍ଷଣ ପାଇଁ କୌଣସି ସହାୟତା ମିଳୁନି ବୋଲି ଅଭିଯୋଗ କରିଛି ସଂଘ।ଯ

୨୦୦୨ ମସିହାରେ ଏହାର ଚତୁଃପାର୍ଶ୍ୱର ଉନ୍ନତୀକରଣ ପାଇଁ ଏକ କମିଟି ଗଠନ ହୋଇଥିଲା।  ଯାହାର ମୁଖ୍ୟ ଦାୟିତ୍ୱ ଭାର ନେଇଥିଲେ ଖୋର୍ଦ୍ଧା ଜିଲ୍ଲାପାଳ । ହେଲେ ଉକ୍ତ କମିଟି ନିଷ୍କ୍ରିୟ ଥିବା ଭଳି ମନେ ହେଉଛି । ଫନି ବାତ୍ୟାରେ ଶାନ୍ତି ସ୍ତୁପର ଅନେକ କ୍ଷୟକ୍ଷତି ଘଟିଥିଲେ ବି ଏଯାଏଁ ମରାମତି ହୋଇନି । ଅପରପକ୍ଷରେ କଳିଙ୍ଗ ନିପନ ବୁଦ୍ଧ ସଂଘର ଆଗ୍ରହ କ୍ରମେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଧଉଳି ପରିଦର୍ଶନ କରି ଏହାର ରକ୍ଷଣାବେକ୍ଷଣ ନେଇ ଚିନ୍ତା ପ୍ରକଟ କରିଥିଲେ। ଅସନ୍ତୋଷ ବଢ଼ିବା ପରେ ଆସନ୍ତାକାଲି ଜିଲ୍ଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବାକୁ ଯାଉଥିବା କହିଛନ୍ତି ସଂଘ କର୍ମକର୍ତ୍ତା। ବର୍ଷ ତମାମ ଧଉଳି ଶାନ୍ତିସ୍ତୁପକୁ ଲାଗିଥାଏ ଟୁରିଷ୍ଟଙ୍କ ଗହଳି ହେଲେ ଧଉଳିର ମଳିନ ଅବସ୍ଥା ଦେଖି ଅସନ୍ତୁଷ୍ଟ ହେଉଛନ୍ତି ପର୍ଯ୍ୟଟକ।

Related story